ଭୁବନେଶ୍ୱର,୧୧/୦୮: ଫିଟନେସ୍ ପରେ ଏବେ ରାଜ୍ୟ ପରିବହନ ବିଭାଗ ବୈଧ ବୀମା ନଥିବା ଗାଡ଼ି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ଯେଉଁସବୁ ଗାଡ଼ିର ବୀମା ନଥିବ ଏବଂ ବାରମ୍ବାର ଜରିମାନା ଚାଲାଣ କଟୁଥିବା ସତ୍ତ୍ୱେ ବୀମା କରୁନଥିବେ ସେହିସବୁ ଗାଡ଼ିଗୁଡ଼ିକୁ ଜବତ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନମା ଜାରି କରାଯାଇଛି। ରାଜ୍ୟରେ ୬୫ଲକ୍ଷ ୭୩ ହଜାର ୬୩୩ଟି ଗାଡ଼ିର ବୈଧ ବୀମା ନଥିବା ଜଣାପଡ଼ିଛି।
ନିକଟରେ ସୁପ୍ରିମକୋର୍ଟ ବୈଧ ବୀମା ନଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଗାଡ଼ିର ବୀମା ନଥିବ ସେମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ୍ ନଦେବାକୁ ଆଦେଶରେ କୁହାଯାଇଥିଲା। ପ୍ରତ୍ୟେକ ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଆସିବା ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶାରେ ଏହିଭଳି ଗାଡ଼ିଗୁଡ଼ିକୁ ଜବତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଇ-ଡିଟେକ୍ସନ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲଗେଟ୍ ଦେଇ ଯାତାୟାତ କରୁଥିବା ଯାନବାହନର ବୈଧ ବୀମା,ଫିଟନେସ,ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦି କାଗଜପତ୍ର ସ୍ବୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ,ସେଗୁଡ଼ିକ ବିରୋଧରେ ସଙ୍ଗେସଙ୍ଗେ ଇ-ଚାଲାଣ ଜାରି କରାଯିବ ଏବଂ ଅଭ୍ୟାସଗତ ନିୟମ ଉଲଂଘନକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସ୍ବରୂପ ପଞ୍ଜୀକରଣ ପ୍ରମାଣପତ୍ର ରଦ୍ଦ କରିବା ଓ ଗାଡ଼ି ଜବତ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
Also Read :- ଡାକ୍ତରଙ୍କ ଆତ୍ମହତ୍ୟା ! ଫ୍ୟାନରେ ଝୁଲି ପଡିଲେ ହର୍ଷ, କିଏ କରୁଥିଲା ମାରପିଟ୍ ?
ସୂଚନାଯୋଗ୍ୟ ଯେ ରାଜ୍ୟରେ ମୋଟ୍ ୧ କୋଟି ୧ ଲକ୍ଷ ୪୧ ହଜାର ୯୫୧ ଟି ଗାଡ଼ି ଗଡ଼ୁଛି। ସେଥ୍ରୁ ମାତ୍ର ୩୫ ଲକ୍ଷ ୬୮ ହଜାର ୩୧୮ ଟି ଗାଡ଼ିର ବୈଧ ବୀମା ରହିଥିବା ବେଳେ ୬୫ ଲକ୍ଷ ୭୩ ହଜାର ୬୩୩ଟି ଗାଡ଼ିର ବୀମା ନାହିଁ। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହ ଚଢ଼ଉ ଅଭିଯାନ ଜୋରଦାର କରିବାକୁ କୁହାଯାଇଛି।
ଉଚିତ୍ କ୍ଷତିପୂରଣ ସୁନିଶ୍ଚିତ କରିବା ପାଇଁ ବୈଧ ବୀମା ଅତ୍ୟନ୍ତ ଜରୁରୀ ହୋଇଥାଏ। ତେଣୁ ଏଭଳି ନିୟମ ଉଲଂଘନକାରୀ ନିଜ ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ମୋଟରଯାନରେ ବୀମାର ଗୁରୁତ୍ବକୁ ବିଚାର କରି ସୁପ୍ରିମକୋର୍ଟ ନିକଟରେ ମତ ଦେଇଛନ୍ତି,ଯେଉଁ ଗାଡ଼ିର ବୈଧ ବୀମା ନଥିବ,ତାକୁ ପେଟ୍ରୋଲ/ଡିଜେଲ ଦିଆଯିବ ନାହିଁ। ଏହି ନିୟମକୁ କେନ୍ଦ୍ର ସରକାରଙ୍କ ଦ୍ଵାରା ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ସମସ୍ତ ଗାଡ଼ି ମାଲିକ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ସହ ସମାଜ ପ୍ରତି ନିଜର ଦାୟିତ୍ଵ ବୁଝି ତୁରନ୍ତ ନିଜ ଯାନର ବୈଧ ବୀମା,ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦି ନବୀକରଣ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
