
ଉଜ୍ଜେୟିନୀ: ଉଜ୍ଜୟିନୀରେ ଶାହୀ ମସ୍ଜିଦ ଉଚ୍ଛେଦ ଓ ହିଂସାକାଣ୍ଡ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମିଛ ଏଆଇ ଭିଡିଓ ଭାଇରାଲ୍ ପରେ ଗତକାଲି ହିଂସାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି। ପୋଲିସର କହିବା ଅନୁଯାୟୀ, ସମ୍ପୂର୍ଣ୍ଣ ଶାହୀ ମସଜିଦକୁ ଭାଙ୍ଗି ଦିଆଯାଇଥିବାର ଏକ ମିଛ ଏଆଇ ଭିଡିଓ ଭାଇରାଲ ହୋଇଥିଲା। ପ୍ରାୟ ୧୦୦ରୁ ଅଧିକ ଇନଷ୍ଟା ଆଇଡିରେ ଏହାକୁ ଶେୟାର କରାଯାଇଥିଲା।
ଏହି ଗୁଜବକୁ ବିଶ୍ୱାସ କରି ଉଜ୍ଜୟିନୀରେ ଭିଡ଼ ଜମିଥିଲା। ମାମଲାରେ ୧୦୦ ରୁ ଅଧିକ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଯାଞ୍ଚ ଅଧୀନରେ ଥିବା ବେଳେ ଏଫ୍ଆଇଆରରେ ୨୦ ଜଣଙ୍କ ମଧ୍ୟରୁ ୫ ଜଣ କଣ୍ଟେଣ୍ଟ କ୍ରିଏଟର ଥିଲେ ବୋଲି ସୋମବାର ରାତିରେ ପୁଲିସ ସୂଚନା ଦେଇଛି।
ଉଜ୍ଜୈନର ଅବଦାଲପୁରରେ ରହିଛି ଏହି ଶାହୀ ମସଜିଦ। ଏହାର ଏକ ଅଂଶ ବେଆଇନ ଭାବେ ତିଆରି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଶୁକ୍ରବାର ଏହାକୁ ହଟାଇବା ପାଇଁ ଅଧିକାରୀ ପହଁଚିବା ପରେ ବିରୋଧର ସାମ୍ନା କରିଥିଲା। ଗୋଟିଏ ଗୋଷ୍ଠୀର ଲୋକେ ମସଜିଦ ହଟାଇବାକୁ ନେଇ ଜିଦ୍ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ। ତେବେ ସୋମବାର ପୁଣିଥରେ ଉଚ୍ଛେଦ ପାଇଁ ଆସିଥିବା ଟିମ ଆକ୍ରମଣର ଶିକାର ହୋଇଥିଲେ। ପୁଲିସ ଉପରେ ପଥର ମାଡ଼ ହୋଇଥିଲା। ପୁଲିସ ମଧ୍ୟ ଲୁହବୁହା ଗ୍ୟାସ ମାଡ଼ କରିଥିଲା।
ବର୍ତ୍ତମାନ ପୁଲିସ ଭାଇରାଲ୍ ଏଆଇ ଭିଡିଓଗୁଡ଼ିକୁ ନେଇ ତଦନ୍ତ ଚଳାଇଛି। ତିନୋଟି ଥାନାରେ ୨୦ ଜଣ ବିରୁଦ୍ଧରେ ୮ଟି ଏଫ୍ଆଇଆର୍ (FIR) ରୁଜୁ କରାଯାଇଛି। ଯେଉଁଥିରେ ୫ ଜଣ କଣ୍ଟେଣ୍ଟ କ୍ରିଏଟର୍ (content creators)ନାଁ ରହିଛି। ସେମାନଙ୍କ ବିରୁଦ୍ଧରେ ସୋସିଆଲ୍ ମିଡିଆରେ ଏଆଇ-ଜନିତ (AI-generated) ଭିଡିଓ ଏବଂ ଅନ୍ୟାନ୍ୟ ଉତ୍ତେଜନାମୂଳକ ପୋଷ୍ଟ ପ୍ରଚାର କରିବାର ଅଭିଯୋଗ ରହିଛି।
ଇଣ୍ଡିଆନ ଏକ୍ସପ୍ରେସରର ରିପୋର୍ଟ ଅନୁଯାୟୀ ପୁଲିସ କହିଛି ଯେ କିଛି ଭିଡିଓରେ ସମ୍ପୂର୍ଣ୍ଣ ମସଜିଦ୍ ଭାଙ୍ଗି ଦିଆଯାଉଥିବାର ମିଥ୍ୟା ଦୃଶ୍ୟ ଦେଖାଯାଇଥିଲା। କିନ୍ତୁ ପ୍ରକୃତ ବିବାଦ କେବଳ ସେହି ଢାଞ୍ଚାର ଏକ ଅଂଶକୁ ନେଇ ରହିଛି, ଯାହା ୨୦୨୮ ସିଂହସ୍ଥ କୁମ୍ଭ ପୂର୍ବରୁ ଚାଲିଥିବା ରାସ୍ତା ଓସାର କରିବା କାର୍ଯ୍ୟର ସୀମା ମଧ୍ୟରେ ଆସୁଛି। ତେବେ ଏଭଳି ଭିଡିଓ ଭାଇରାଲ ପରେ ଭିଡ଼ ହିଂସା ହୋଇଥିଲା ବୋଲି ଉଜ୍ଜେନ ଏସ୍ପି ସନ୍ଦୀପ ଶର୍ମା କହିଛନ୍ତି। ତେବେ ମାମଲାରେ ସମସ୍ତ ସିସିଟିଭି ଯାଞ୍ଚ କରାଯାଉଛି। ଯେଉଁମାନେ ପଥରମାଡ କରିଥିଲେ ସେମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍ଶୀଘ୍ର ସେମାନଙ୍କ ବୁରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ କେତେକଙ୍କୁ ଗିରଫ କରାଯାଇଛି। ପୋଲିସ୍ ସୋସିଆଲ୍ ମିଡିଆ ଆକାଉଣ୍ଟଗୁଡ଼ିକ ଉପରେ ମଧ୍ୟ ନଜର ରଖିଛି ଏବଂ ଭିଡିଓଗୁଡ଼ିକର ଉତ୍ସ ତଥା ପ୍ରସାର ସମ୍ପର୍କରେ ତଦନ୍ତ କରୁଛି।
