ଢେଙ୍କାନାଳ: ହସ ଖୁସିରେ ବାହାରିଥିଲେ । ବାଜା ସହ ଜମିଥାନ୍ତା ନାଚ । କିନ୍ତୁ ଖୁସି ମାହୋଲରେ ଘୋଟିଆସିଲା ମୃତ୍ୟୁର କଳା ଅନ୍ଧାର । କନିଆ ଘର ଗାଁରେ ପହଞ୍ଚୁ ପହଞ୍ଚୁ ବରଯାତ୍ରୀ ଉପରେ ହେଲା ବଜ୍ରପାତ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ।
ସୂଚନା ଅନୁସାରେ ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ଝୁମ୍ପୁଡିଆ ଗାଁରୁ ରଞ୍ଜା ଗାଁକୁ ଯାଉଥିଲା ବରଯାତ୍ରୀ । ତେବେ ରଞ୍ଜା ଛକ ନିକଟରେ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ମୃତକ ହେଲେ ଭାପୁର ଫାଣ୍ଡି ଅନ୍ତର୍ଗତ କୋଇଲିପଙ୍ଗି ଗାଁର ୫୨ ବର୍ଷୀୟ ଅମିନ ବେହେରା । ଗୁରୁତର ଦୁଇଜଣ ହେଲେ କୋଇଲି ପଙ୍ଗିରର ତପନ ଜେନା ଓ ଝୁମ୍ପୁଡିଆ ଗାଁର ମନୋଜ ଦେହୁରୀ । ତେବେ ଗୁରୁତର ଆହତ ମନୋଜ ଦେହୁରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
