ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୋଲିସ ୧୭ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଂ ଅଫିସର ଏବଂ ଅନ୍ୟ ଭାରତୀୟ ସେନା କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି । କିସ୍ତୱାଡ଼ ଜିଲ୍ଲାରେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୋଗରେ କମାଣ୍ଡିଂ ଅଫିସର କର୍ଣ୍ଣେଲ ଏନ୍.ଅରୁଣ ଗାନ୍ଧୀଙ୍କ ବ୍ୟତୀତ ମେଜର ବିକାଶ ଶର୍ମା, ସୁବେଦାର ଶଙ୍କର ଗୁର୍ଖେ, ରାଜ କୁମାର, ସିପାହୀ ରାହୁଲ କୁମାର, ଅନୁପ ସିଂହ, ଓମକାର ଇଙ୍ଗାଲେ ଏବଂ ୩୦-୪୦ ଜଣ ଅଜ୍ଞାତ ସେନା କର୍ମଚାରୀଙ୍କ ନାଁରେ ଏଫଆଇଆର୍ ହୋଇଛି ।
ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବେଆଇନ ସମାବେଶ, ଦଙ୍ଗା, ଅନଧିକାର ପ୍ରବେଶ, ସରକାରୀ କାର୍ଯ୍ୟରେ ବାଧା, କର୍ମଚାରୀଙ୍କୁ ଆକ୍ରମଣ, ହତ୍ୟା ଉଦ୍ୟମ ଭଳି ମାମଲା ରୁଜୁ କରାଯାଇଛି । ସେପଟେ ପ୍ରତିରକ୍ଷା ବିଭାଗର ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁନୀଲ ବାରତୱାଲ କହିଛନ୍ତି, ” ଇନଷ୍ଟିଟ୍ୟୁସନାଲ୍ ମେକାନିଜମ୍ ମାଧ୍ୟମରେ ଏହି ବିଷୟର ଯାଞ୍ଚ କରାଯାଉଛି । ଆଇନଗତ ପ୍ରକ୍ରିୟାରେ ଭାରତୀୟ ସେନା ସମ୍ପୂର୍ଣ୍ଣ ସହଯୋଗ କରିବ । ମିଳିତ ତଦନ୍ତର ନିଷ୍କର୍ଷ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । “
ରିପୋର୍ଟ ଅନୁସାରେ, ଜିଲ୍ଲାର ଏକ ସଂକୀର୍ଣ୍ଣ ରାସ୍ତା ଦେଇ କିସ୍ତୱାଡ଼ ଡେପୁଟି କମିଶନର (ଡିସି)ଙ୍କ କନଭୟ ଯାଉଥିବା ବେଳେ ମୁହାଁମୁହିଁ ପରିସ୍ଥିତି ଆରମ୍ଭ ହୋଇଥିଲା । ବିପରୀତ ଦିଗରୁ ଆସୁଥିବା ଏକ ସେନା ଗାଡ଼ିକୁ ଗୋଟିଏ ପାର୍ଶ୍ୱକୁ ହଟିବା ପାଇଁ କୁହାଯାଇଥିଲା, ଯାହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ପୋଲିସ ସେନା ଗାଡ଼ିକୁ ସ୍ଥାନୀୟ ଥାନାକୁ ନେଇଯାଇଥିଲା ଏବଂ ସେନା ଯବାନମାନେ ସେଠାରେ ପହଞ୍ଚି ଥାନା ପରିସରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
