Voice of Eastern India

ଗୌତମ ଆଦାନୀଙ୍କ ବିରୋଧରେ ଲାଗିଥିବା ଲାଞ୍ଚ ଓ ଠକେଇ ଅଭିଯୋଗକୁ ଖାରଜ କଲେ ଆମେରିକା କୋର୍ଟ


ୱାଶିଂଟନ ଡିସି: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାରେ ଚାଲିଥିବା ଲାଞ୍ଚ ଦେବା ଓ ଠକେଇ ମାମଲାରେ ବଡ଼ ଆଶ୍ୱସ୍ତି ମିଳିଛି। ଆମେରିକାର ଏକ ଅଦାଲତ ଏହି ମାମଲାକୁ ଖାରଜ କରିଛନ୍ତି। ବ୍ରୁକଲିନର ଆମେରିକୀୟ ଜିଲ୍ଲା ଅଦାଲତର ବିଚାରପତି ନିକୋଲାସ୍ ଗାରୋଫିସ୍ ମାମଲାକୁ ଆଗକୁ ନ ବଢ଼ାଇବା ପାଇଁ ଆମେରିକାର ନ୍ୟାୟ ବିଭାଗ (DOJ) କରିଥିବା ଅନୁରୋଧକୁ ମଞ୍ଜୁର କରିଛନ୍ତି। ତେବେ ଅନୁରୋଧ ମଞ୍ଜୁର କରିବା ବେଳେ ମାମଲାର ପରିଚାଳନା ନେଇ ଡିଓଜେକୁ କଡ଼ା ସମାଲୋଚନା କରିଥିଲେ ବିଚାରପତି।

୨୦୨୪ ମସିହାରେ ଗୌତମ ଆଦାନୀଙ୍କ ଉପରେ ଭାରତୀୟ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ସହମତି ପ୍ରକାଶ କରିଥିବା ଅଭିଯୋଗ ଆସିଥିଲା। ଏହି ଲାଞ୍ଚ ମାଧ୍ୟମରେ ଆଦାନୀ ଗ୍ରୁପ୍ର ଏକ କମ୍ପାନୀକୁ ସୌର ଶକ୍ତି ପ୍ରକଳ୍ପର ଠିକା ଦେବା ପାଇଁ ଚେଷ୍ଟା କରାଯାଇଥିବା ଆମେରିକୀୟ ନିବେଶକମାନେ ଅଭିଯୋଗ କରିଥିଲେ। ତେବେ ଆଦାନୀ ଗ୍ରୁପ୍ ଏହି ସମସ୍ତ ଅଭିଯୋଗକୁ ଲଗାତାର ଖଣ୍ଡନ କରିଆସିଥିଲା।

Also Read- ମେଟାର ବଢିଲା ଟେନସନ୍ ! ଫେସବୁକ୍ ଓ ଇନଷ୍ଟା ଉପରେ କଟକଣା ଚାହୁଁଛନ୍ତି ୬୬% ଲୋକ

ରାୟ ପରେ କ’ଣ କହିଲେ ଗୌତମ ଆଦାନୀ?

ଅଦାଲତଙ୍କ ରାୟ ପରେ ଗୌତମ ଆଦାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ରାୟକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ, ନ୍ୟାୟିକ ପ୍ରକ୍ରିୟା ପ୍ରତି ନମ୍ରତା ଓ ଗଭୀର ସମ୍ମାନ ସହିତ ସେ ଆମେରିକୀୟ ଅଦାଲତଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି।

ଆମେରିକୀୟ ନିବେଶକଙ୍କ ଟଙ୍କା ଯୋଗୁ ମାମଲା ଆମେରିକାରେ

ଏହି ମାମଲାର ମୂଳ ଅଭିଯୋଗ ଭାରତରେ ଲାଞ୍ଚ ଏବଂ ସୌର ଶକ୍ତି ପ୍ରକଳ୍ପର ଠିକା ସହ ଜଡ଼ିତ ଥିଲା। ତେବେ ଏଥିରେ ଆମେରିକୀୟ ନିବେଶକଙ୍କ ଟଙ୍କା ଜଡ଼ିତ ଥିବାରୁ ମାମଲା ଆମେରିକାରେ ମଧ୍ୟ ପହଞ୍ଚିଥିଲା। ୨୦୨୧ ସେପ୍ଟେମ୍ବରରେ ଆଦାନୀ ଗ୍ରୀନ୍ ଏନର୍ଜି ପ୍ରାୟ ୭୫ କୋଟି ଡଲାରର ବଣ୍ଡ୍ ଜାରି କରିଥିଲା। ଏଥିରୁ ପ୍ରାୟ ୧୭.୫ କୋଟି ଡଲାର ଆମେରିକୀୟ ନିବେଶକଙ୍କ ଠାରୁ ଆସିଥିଲା।

ଆମେରିକୀୟ ତଦନ୍ତକାରୀଙ୍କ ଅଭିଯୋଗ ଅନୁସାରେ, କମ୍ପାନୀ ନିବେଶକଙ୍କୁ ଲାଞ୍ଚ ସମ୍ପର୍କିତ ବିପଦ ଏବଂ ଏହାକୁ ରୋକିବା ପାଇଁ ନିଆଯାଇଥିବା ବ୍ୟବସ୍ଥା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇନଥିଲା। ଏହି କାରଣରୁ ମାମଲା କେବଳ ଭାରତରେ ସୀମିତ ରହିନଥିଲା। ଆମେରିକୀୟ ନିବେଶକ ଏବଂ ଆମେରିକା ସହ ଜଡ଼ିତ ଆର୍ଥିକ କାରବାରକୁ ନେଇ ମଧ୍ୟ ଠକେଇର ଅଭିଯୋଗ ଲଗାଯାଇଥିଲା।

ଆଦାନୀଙ୍କ ବିରୋଧରେ କ’ଣ ଥିଲା ଅଭିଯୋଗ?

ଆମେରିକୀୟ ଅଭିଯୋଗକାରୀମାନେ ଅଭିଯୋଗ କରିଥିଲେ ଯେ, ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେବା ପାଇଁ ଯୋଜନା କରାଯାଇଥିଲା। ଏହା ସହ ନିବେଶକଙ୍କୁ କମ୍ପାନୀର ଲାଞ୍ଚ ବିରୋଧୀ ବ୍ୟବସ୍ଥା ଏବଂ ସମ୍ପର୍କିତ ବିପଦ ବିଷୟରେ ସଠିକ୍ ସୂଚନା ନଦେବା ଏବଂ ଇଲେକ୍ଟ୍ରୋନିକ୍ ମାଧ୍ୟମ ବ୍ୟବହାର କରି ଠକେଇ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ ଆମେରିକାର ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ କମିଶନ୍ (SEC) ମଧ୍ୟ ନିବେଶକଙ୍କୁ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ସୂଚନା ଦେବା ଅଭିଯୋଗରେ ଆମେରିକୀୟ ସିକ୍ୟୁରିଟିଜ୍ ଆଇନ ଅନୁଯାୟୀ ପଦକ୍ଷେପ ନେଇଥିଲା।

ଆମେରିକାର ନ୍ୟାୟ ବିଭାଗ ମେ’ ୧୮ ତାରିଖରେ ଏହି ମାମଲାକୁ ଆଗକୁ ନ ବଢ଼ାଇବାକୁ ନିଷ୍ପତ୍ତି ନେଇଥିବା କହିଥିଲା। ତେବେ ମାମଲାକୁ ଆଇନଗତ ଭାବେ ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ଅଦାଲତଙ୍କ ଅନୁମୋଦନ ଆବଶ୍ୟକ ଥିଲା। ଶେଷରେ ବିଚାରପତି ନିକୋଲାସ୍ ଗାରୋଫିସ୍ ନ୍ୟୟ ବିଭାଗର ଅନୁରୋଧକୁ ମଞ୍ଜୁର କରି ମାମଲା ଖାରଜ କରିଛନ୍ତି।

୧୬ ବର୍ଷ ବୟସରେ ସ୍କୁଲ୍ ଛାଡ଼ି ଗଢ଼ିଥିଲେ ବିଶାଳ ସାମ୍ରାଜ୍ୟ

ଗୌତମ ଆଦାନୀ ମାତ୍ର ୧୬ ବର୍ଷ ବୟସରେ ସ୍କୁଲ୍ ଛାଡ଼ିଥିଲେ। ୧୯୮୮ରେ ଗୁଜରାଟରୁ କମୋଡିଟି ଟ୍ରେଡିଂ ମାଧ୍ୟମରେ ସେ ନିଜ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିଲେ। ଗତ କିଛି ଦଶନ୍ଧି ମଧ୍ୟରେ ସେ ଆଦାନୀ ଗ୍ରୁପ୍ର ବ୍ୟବସାୟକୁ ବନ୍ଦର, ବିମାନବନ୍ଦର, ଖଣି, ବିଦ୍ୟୁତ ଉତ୍ପାଦନ, ବିଦ୍ୟୁତ ପରିବହନ ଏବଂ ଲଜିଷ୍ଟିକ୍ସ ଭଳି ଅନେକ କ୍ଷେତ୍ରକୁ ବିସ୍ତାର କରିଛନ୍ତି। ଆଜି ଆଦାନୀ ଗ୍ରୁପ୍ ଭାରତର ଅନ୍ୟତମ ବଡ଼ ଭିତ୍ତିଭୂମି ଓ ବ୍ୟବସାୟିକ ଗ୍ରୁପ୍ ଭାବେ ପରିଚିତ। ଆମେରିକାରେ ଗୌତମ ଆଦାନୀଙ୍କ ବିରୋଧରେ ଚାଲିଥିବା ମାମଲା ଖାରଜ ହେବା ଆଦାନୀ ଗ୍ରୁପ୍ ପାଇଁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ଭାବେ ଦେଖାଯାଉଛି।

 

Source link



Source link

Leave A Reply

Your email address will not be published.