ଚଣ୍ଡିଗଡ଼: ୨୦୨୭ ପ୍ରାରମ୍ଭରେ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଜାତୀୟ ରାଜନୀତିକୁ ମଧ୍ୟ ସରଗରମ କରୁଛି ପଞ୍ଜାବର ରାଜନୀତି। ରାଜ୍ୟରେ ପୁନର୍ବାର କ୍ଷମତାସୀନ ହେବା ଆମ୍ ଆଦମୀ ପାର୍ଟି(AAP) ପାଇଁ ସହଜ ହେବନି। ଅନ୍ୟପଟେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଅଣ୍ଟା ଭିଡ଼ିଛି। ତୃତୀୟ ମୋର୍ଚ୍ଚା ଭାବେ ଭାରତୀୟ ଜନତା ପାର୍ଟି(BJP) ଓ ଶିରୋମଣି ଅକାଳି(SAD) ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର୍ ଧରିଛି। ଏହି ସବୁ ମଧ୍ୟରେ ଏକ ସର୍ଭେର ଫଳାଫଳ ସାମ୍ନାକୁ ଆସିଛି। ଏଥିରେ ପଞ୍ଜାବ ଜନତାଙ୍କ ମୁଡ ପରଖିବାକୁ ଚେଷ୍ଟା କରାଯାଇଛି।
ରାଜ୍ୟର ୧୧୭ ବିଧାନସଭା ସିଟରେ ମତଦାତାଙ୍କ ମୁଡ ଜାଣିବା ପାଇଁ ଭୋଟ୍ ଭାଇବ ନିଜର ସଦ୍ୟତମ ସର୍ବେକ୍ଷେଣ ‘ଷ୍ଟେଟ ଓ୍ଵାଇଭ-ଟ୍ରାକର ୨’ ଜାରି କରିଛି। ନଭେମ୍ବର ୧୨ରେ ଜାରି ଏହି ସର୍ଭେରୁ ଏହି ସଙ୍କେତ ମିଳିଛି ଯେ, ରାଜ୍ୟରେ ବିଧାନସଭା ନିର୍ବାଚନ ଲଢେଇ ବେଶ ରୋଚକ ହେବାକୁ ଯାଉଛି। କ୍ଷମତାସୀନ ଆପ ଆଗରେ ରହିଥିବା ବେଳେ କଡ଼ା ଟକ୍କର ଦେଉଛି କଂଗ୍ରେସ। ଆଉ ବିଜେପି ଓ ଶିବସେନା ମୁକାବିଲାକୁ ଆହୁରି ରୋମାଞ୍ଚକର କରୁଛନ୍ତି।
Also Read: ଗୋଧ୍ରା ଟ୍ରେନ ଅଗ୍ନିକାଣ୍ଡରେ ସୋନିଆଙ୍କ ଲେଖା ସଂପୂର୍ଣ୍ଣ ଭୁଲ୍: CBIର ପୂର୍ବତନ ନିର୍ଦ୍ଦେଶକ
ସର୍ଭେ ମୁତାବକ ଯଦି ଆଜି ନିର୍ବାଚନ ହୁଏ ତେବେ ଆପ୍ ୩୩.୫ ପ୍ରତିଶତ ଭୋଟ୍ ସହ ସବୁଠୁ ଆଗରେ ଥିବା ବେଳେ କଂଗ୍ରେସ ୨୭.୬ ପ୍ରତିଶତ ସହ ଦ୍ଵିତୀୟ ସ୍ଥାନରେ ରହିଛି। ଦୁଇ ପ୍ରମୁଖ ଦଳ ମଧ୍ୟରେ ମାତ୍ର ୫.୯ ପ୍ରତିଶତର ଭୋଟ୍ ବ୍ୟବଧାନ ରହିଛି। ବିଜେପିକୁ ୧୪.୫ ପ୍ରତିଶତ ଏବଂ ଶିରୋମଣି ଅକାଳି ଦଳକୁ ୧୨.୫ ପ୍ରତିଶତ ଭୋଟ୍ ମିଳିପାରେ ବୋଲି ସର୍ଭେରେ ଆକଳନ କରାଯାଇଛି। ଯଦି ବିଜେପି ଓ ଅକାଳି ଦଳ ମଧ୍ୟରେ ମେଣ୍ଟ ହୁଏ ତେବେ ରାଜ୍ୟ ରାଜନୀତିର ସ୍ଥିତି ବଦଳିପାରେ। ପୁଣି ଅମୃତପାଲ ସିଂଙ୍କ ନେତୃତ୍ଵାଧୀନ ଅକାଳି ଦଳ(ଓ୍ଵାରିସ ପଞ୍ଜାବ ଦେ) ଖାତାକୁ ୮.୧ ପ୍ରତିଶତ ଭୋଟ୍ ମିଳିପାରେ।
ନିଶା ଓ ବେରୋଜଗାରୀ ସବୁଠୁ ବଡ଼ ପ୍ରସଙ୍ଗ
ପଞ୍ଜାବ ରାଜନୀତିରେ ଏଥର ମଧ୍ୟ ନିଶା ପଦାର୍ଥ(ଡ୍ରଗ୍ସ) ସବୁଠୁ ବଡ଼ ପ୍ରସଙ୍ଗ ପାଲଟିବ। ସର୍ଭେରେ ୩୧.୧ ପ୍ରତିଶତ ଭୋଟର ନିଶାକୁ ସବୁଠୁ ବଡ଼ ପ୍ରସଙ୍ଗ ବିବେଚନା କରିଛନ୍ତି। ଗ୍ରାମାଞ୍ଚଳରେ ୩୬.୧ ପ୍ରତିଶତ ଏବଂ ୨୫ରୁ ୩୪ ବର୍ଷ ମଧ୍ୟରେ ଥିବା ୪୨.୨ ପ୍ରତିଶତ ଯୁବ ପିଢିନିଶାକୁ ବଡ଼ ସମସ୍ୟା ମାନିଛନ୍ତି। ଏହା ପରେ ବେରୋଜଗାରୀ ଓ ପଳାୟନକୁ ୨୩ ପ୍ରତିଶତ ଜନତା ଦ୍ଵିତୀୟ ପ୍ରସଙ୍ଗ ଏବ ୧୭.୩ ପ୍ରତିଶତ ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ପ୍ରସଙ୍ଗକୁ ତୃତୀୟ ସ୍ଥାନରେ ରଖିଛନ୍ତି। ସହରାଞ୍ଚଳରେ ୨୭.୫ ପ୍ରତିଶତ ଲୋକ ବେରୋଜଗାରୀକୁ ଏକ ପ୍ରସଙ୍ଗ ଭାବେ ମାନୁଛନ୍ତି।
ସରକାର ପ୍ରତି କେତେ ସନ୍ତୁଷ୍ଟ ଜନତା
ଗତ ପାଞ୍ଚ ବର୍ଷରେ ରାଜ୍ୟ ସରକାରଙ୍କ କାମକୁ ନେଇ ସାଧାରଣ ଜନତା ନିଜର ମତ ରଖିଛନ୍ତି। ୩୯.୫ ପ୍ରତିଶତ ଲୋକ ସରକାରଙ୍କ କାମକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିରୁ ୩୦.୨ ପ୍ରତିଶତ ସଂପୂର୍ଣ୍ଣ ସନ୍ତୁଷ୍ଟ ଏବଂ ୯.୩ ପ୍ରତିଶତ ସନ୍ତୁଷ୍ଟ। ୪୨.୯ ପ୍ରତିଶତ ଅସନ୍ତୁଷ୍ଟ ରହିଛନ୍ତି। ୧୮.୫ ପ୍ରତିଶତ ଅସନ୍ତୁଷ୍ଟ ଏବେଂ ୨୪.୪ ପ୍ରତିଶତ ସଂପୂର୍ଣ୍ଣ ଅସନ୍ତୁଷ୍ଟ ଥିବା କହିଛନ୍ତି। ୧୪.୮ ପ୍ରତିଶତ ଭଗବନ୍ତ ମାନ ସରକାରଙ୍କ କାମକୁ ଏଭାରେଜ୍ ଦର୍ଶାଇଛନ୍ତି।
