Voice of Eastern India

ପରିସଂଖ୍ୟାନଭିତ୍ତିକ ଗବେଷଣାକୁ ଗୁରୁତ୍ୱ, ସୋଆ ଆଇଭିଏସ୍‌ଏଏଚ୍‌ରେ ଦୁଇଦିନିଆ କାର୍ଯ୍ୟକ୍ରମ


ଭୁବନେଶ୍ୱର ୦୭।୧୧ : ଗବେଷଣାର ଗୁଣବତ୍ତା ବୃଦ୍ଧିରେ ପରିସଂଖ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ତଥ୍ୟ ସଂଗ୍ରହ କରିଦେଲେ ଗବେଷଣା ସମ୍ପୂର୍ଣ୍ଣ ହୁଏନାହିଁ, ବରଂ ସଠିକ୍ ପରିସଂଖ୍ୟାନ ଡିଜାଇନ୍ ଓ ତଥ୍ୟର ବିଶ୍ଳେଷଣ ହିଁ ଗବେଷଣାକୁ ଦିଏ ନୂଆ ଦିଗ। ଏହି ଲକ୍ଷ୍ୟ ନେଇ ସୋଆର ଇନଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡ୍ରି ବା ଆଇଭିଏସ୍‌ଏଏଚ୍‌ରେ ଆୟୋଜିତ ହୋଇଛି ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା। ଏଥିରେ ସୋଆର ବିଭିନ୍ନ ଶିକ୍ଷାନୁଷ୍ଠାନର ୪୩ ଜଣ ଶିକ୍ଷକ ଅଂଶଗ୍ରହଣ କରି ଗବେଷଣାରେ ପରିସଂଖ୍ୟାନର ବ୍ୟବହାରିକ ପ୍ରୟୋଗ ଓ ଡାଟା ଆନାଲିସିସ୍‌ ସମ୍ପର୍କରେ ପ୍ରଶିକ୍ଷଣ ନେଇଛନ୍ତି।

ଗବେଷଣାକୁ ଅଧିକ ଗୁଣାତ୍ମକ, ତଥ୍ୟଭିତ୍ତିକ ଓ ଫଳପ୍ରଦ କରିବା ଦିଗରେ ସୋଆର ଆଉ ଏକ ପଦକ୍ଷେପ। ଭୁବନେଶ୍ୱରସ୍ଥିତ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡ୍ରିର ପ୍ରାଣୀପ୍ରଜନନ ବିଭାଗ ପକ୍ଷରୁ ଗବେଷଣାରେ ପରିସଂଖ୍ୟାନର ଗୁରୁତ୍ୱ ଓ ଏହାର ବ୍ୟବହାରିକ ପ୍ରୟୋଗ ଉପରେ ଏହି କର୍ମଶାଳା ଆୟୋଜନ କରାଯାଇଛି। ଏଥିରେ ସୋଆର ନର୍ସିଂ, ଆଇଏଏସ୍‌, ଫାର୍ମାସୀ, ବାୟୋଟେକ୍ନୋଲୋଜି ଓ ଭେଟେରିନାରୀ ମହାବିଦ୍ୟାଳୟର ୪୩ ଜଣ ଶିକ୍ଷକ ଯୋଗଦେଇଥିଲେ। ଗବେଷଣା କ୍ଷେତ୍ରରେ ତଥ୍ୟ ସଂଗ୍ରହ ସହ ତାହାର ସଠିକ୍ ବିଶ୍ଳେଷଣ କିପରି କରାଯିବ, କେଉଁ ପ୍ରକାର ତଥ୍ୟ ପାଇଁ କେଉଁ ପରିସଂଖ୍ୟାନ ଡିଜାଇନ୍ ଉପଯୁକ୍ତ ହେବ ଏବଂ ତାହାରୁ କିପରି ନିର୍ଭରଯୋଗ୍ୟ ନିଷ୍କର୍ଷ ବାହାର କରାଯିବ, ସେ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ବିସ୍ତୃତ ପ୍ରଶିକ୍ଷଣ ଦିଆଯାଇଥିଲା।

Also Read:-ଅପରାଧ ନିୟନ୍ତ୍ରଣ ପାଇଁ ସରକାର ବଦ୍ଧପରିକର, ଖୁବଶୀଘ୍ର ଦେଖିବାକୁ ମିଳିବ ପ୍ରତିଫଳ: ଆଇନ ମନ୍ତ୍ରୀ

ଗବେଷଣାର ସଫଳତା କେବଳ ତଥ୍ୟ ସଂଗ୍ରହ ଉପରେ ନୁହେଁ, ବରଂ ସେହି ତଥ୍ୟକୁ କେତେ ବୈଜ୍ଞାନିକ ଢଙ୍ଗରେ ବିଶ୍ଳେଷଣ କରାଯାଉଛି, ତାହା ଉପରେ ନିର୍ଭର କରେ। ଅନେକ ସମୟରେ ଗବେଷକମାନେ ବିଭିନ୍ନ ତଥ୍ୟ ସଂଗ୍ରହ କରୁଥିଲେ ମଧ୍ୟ କେଉଁ ପରିସଂଖ୍ୟାନ ପଦ୍ଧତି ବ୍ୟବହାର କଲେ ସଠିକ୍ ଫଳାଫଳ ମିଳିବ, ସେ ନେଇ ସ୍ପଷ୍ଟ ଧାରଣା ରଖିପାରନ୍ତି ନାହିଁ। ଏହି ସମସ୍ୟାର ସମାଧାନ ଦିଗରେ କର୍ମଶାଳାରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏସ୍‌ପିଏସ୍‌ଏସ୍‌ (SPSS) ସଫ୍ଟୱେର୍‌ ମାଧ୍ୟମରେ ତଥ୍ୟର ବିଶ୍ଳେଷଣ, ଉପଯୁକ୍ତ ଷ୍ଟାଟିଷ୍ଟିକାଲ୍ ଡିଜାଇନ୍‌ ଚୟନ ଏବଂ ଗବେଷଣାର ଫଳାଫଳକୁ ସଠିକ୍ ଭାବେ ଉପସ୍ଥାପନ କରିବାର ପ୍ରଣାଳୀ ସମ୍ପର୍କରେ ଶିକ୍ଷକମାନଙ୍କୁ ତାଲିମ୍‌ ଦିଆଯାଇଥିଲା।

​​​​​​​

କର୍ମଶାଳାକୁ ଉଦ୍‌ଘାଟନ କରି ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ, ପରିସଂଖ୍ୟାନ ବିନା ଗବେଷଣା ଅସମ୍ପୂର୍ଣ୍ଣ ଓ ଦିଗହୀନ। ପ୍ରତ୍ୟେକ ଗବେଷଣାରେ ପରିସଂଖ୍ୟାନର ଗୁରୁତ୍ୱ ରହିଛି। ତେଣୁ ଗବେଷକମାନେ ଏହାର ସଠିକ୍ ଜ୍ଞାନ ଓ ପ୍ରୟୋଗ ପଦ୍ଧତି ଜାଣିବା ଆବଶ୍ୟକ। ଏହି ଅବସରରେ ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ଏବଂ ସୋଆର ନିର୍ଦ୍ଦେଶକ ପ୍ରଫେସର କୌତୁକ କୁମାର ସର୍ଦ୍ଦାର ମଧ୍ୟ ଉଦ୍‌ବୋଧନ ଦେଇଥିଲେ। ଜୀବ ବିଜ୍ଞାନ କ୍ଷେତ୍ରରେ ଗବେଷଣା କରୁଥିବା ବ୍ୟକ୍ତିମାନଙ୍କ ପରିସଂଖ୍ୟାନ ଜ୍ଞାନ ଓ ଏହାର ବ୍ୟବହାରିକ ପ୍ରୟୋଗ ଦକ୍ଷତା ବୃଦ୍ଧି ପାଇଲେ ଅଧିକ ଗୁଣାତ୍ମକ ଗବେଷଣା ପ୍ରବନ୍ଧ ପ୍ରକାଶ ପାଇପାରିବ ବୋଲି ସେ ମତ ଦେଇଥିଲେ।

ସାମଗ୍ରିକ ଭାବେ ଗବେଷଣାରେ ତଥ୍ୟର ସଠିକ୍ ବ୍ୟବହାର, ବିଶ୍ଳେଷଣ ଓ ବୈଜ୍ଞାନିକ ଉପସ୍ଥାପନା ଦକ୍ଷତା ବୃଦ୍ଧି କରିବା ହିଁ ଏହି ଦୁଇଦିନିଆ କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। ଏହା ଶିକ୍ଷକ ଓ ଗବେଷକମାନଙ୍କୁ ଅଧିକ ଦକ୍ଷ କରିବା ସହ ଗୁଣାତ୍ମକ ଗବେଷଣା ଓ ନୂତନ ଜ୍ଞାନ ସୃଷ୍ଟିରେ ସହାୟକ ହେବ ବୋଲି ଆଶା ରହିଛି।

Source link



Source link

Leave A Reply

Your email address will not be published.