ଭୁବନେ: ପର୍ବପର୍ବାଣୀର ଭିଡ଼ରେ ଅପରାଧୀଙ୍କ ଉତ୍ପାତକୁ ରୋକିବାକୁ ପୋଲିସର ମେଗା ପ୍ରସ୍ତୁତି। ନଭେମ୍ବରରୁ ଡିସେମ୍ବର ଯାଏଁ ବିଭିନ୍ନ ଧାର୍ମିକ ଉତ୍ସବ ଓ ମେଳାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଯାଜପୁର କାଳୀପୂଜା ପାଇଁ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୧୦ ଜଣ DSP, ୮୫ ଜଣ SI ଓ ASI ଏବଂ ପ୍ରାୟ ୪୦୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି।
ନଭେମ୍ବର ୧୬, ୧୭ ଓ ୧୮ ତାରିଖରେ ଯାଜପୁର ଟାଉନ୍ ଓ ଯାଜପୁର ରୋଡ୍ରେ ଭସାଣି ଉତ୍ସବ ପାଇଁ ରହିଛି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ସମ୍ବେଦନଶୀଳ ଅଞ୍ଚଳରେ ବାଇକ୍ ପାଟ୍ରୋଲିଂ, ଫୋର୍ ହ୍ୱିଲର୍ ପାଟ୍ରୋଲିଂ ଓ ଜିରୋ ଆୱାର ପାଟ୍ରୋଲିଂ କରାଯିବ। ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ରହିବ ପୋଲିସର କଡ଼ା ନଜର।
ସେପଟେ ପୁରୀରେ ହବିଷ୍ୟାଳିଙ୍କ ସୁରକ୍ଷା ପାଇଁ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ପ୍ରାୟ ୨୩୦୦ ହବିଷ୍ୟାଳିଙ୍କ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ପୋଲିସ କର୍ମଚାରୀ। ରହଣି ସ୍ଥଳରେ ୬ ପ୍ଲାଟୁନ୍ ଏବଂ ଶ୍ରୀମନ୍ଦିର ଭିତର ଓ ଚାରିପାଖରେ ପ୍ରାୟ ୨୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ଅଛନ୍ତି। ଆଗକୁ ପୁରୀରେ ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ।
କଟକ ଧବଳେଶ୍ୱରରେ ବଡ଼ଓଷା ପାଇଁ ୧୬ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ।ଜଗତସିଂହପୁରର ବାଲିଯାତ୍ରା ସହ ଅନ୍ୟ ପ୍ରମୁଖ ଉତ୍ସବ ପାଇଁ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବନ୍ଦୋବସ୍ତ ହୋଇଛି। କେବଳ ଉତ୍ସବସ୍ଥଳ ନୁହେଁ, ସୋସିଆଲ ମିଡିଆ ଉପରେ ମଧ୍ୟ ପୋଲିସର କଡ଼ା ନଜର ରହିବ। ମିଥ୍ୟା ଖବର, ଗୁଜବ ଓ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟକୁ ରୋକିବା ପାଇଁ ୨୪ ଘଣ୍ଟିଆ ମନିଟରିଂ ଚାଲିଛି।
Also Read:-ସମୁଦ୍ରରୁ ସିଧା ବେଳାଭୂମିକୁ ମାଡ଼ି ଆସିଲା ୨ ହୋଭରକ୍ରାଫ୍ଟ, ପ୍ରଥମେ ଭୟଭୀତ ହେଲେ ସ୍ଥାନୀୟ ଲୋକେ
ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ। ପର୍ବର ଭିଡ଼ରେ ଚୋରି, ଛିନତାଇ ଓ ଅସାମାଜିକ କାର୍ଯ୍ୟକଳାପ ରୋକିବା ସହ ଆଇନଶୃଙ୍ଖଳା ବଜାୟ ରଖିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଫିଲ୍ଡରେ ଫୋର୍ସ ମୁତୟନ, ପାଟ୍ରୋଲିଂ ଓ ସାଇବର ମନିଟରିଂକୁ ଗୁରୁତ୍ୱ ଦେଇଛି କେନ୍ଦ୍ରାଞ୍ଚଳ ପୋଲିସ।
