Voice of Eastern India

ପାଠପଢ଼ାରେ ବାଧକ ସାଜିଛି ମାସିକ ଋତୁସ୍ରାବ, ପିରିୟଡ୍ସ ହେଲେ ସପ୍ତାହେ ସ୍କୁଲ ବନ୍ଦ !


ଭୁବନେଶ୍ୱର,୦୯/୦୬: ପାଠ ପଢ଼ାରେ ବାଧକ ସାଜିଛି ମାସିକ ଋତୁସ୍ରାବ। ବିଦ୍ୟାଳୟରେ ଖରାପ ବ୍ୟବସ୍ଥା ଓ ସାମାଜିକ ବାସନ୍ଦ ଏହାର ପ୍ରମୁଖ କାରଣ। ନିକଟରେ ଭୁବନେଶ୍ୱରରେ ହୋଇଥିବା ଏକ ସର୍ଭେରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରାୟ ୭୪% ଛାତ୍ରୀ ପ୍ରତି ମାସିକ ଚକ୍ରରେ ୧ରୁ୮ ଦିନ ପର୍ଯ୍ୟନ୍ତ ପାଠ ପଢ଼ିବାକୁ ଆସୁନାହାନ୍ତି । ସେମାନଙ୍କ ସ୍କୁଲ୍ ଅନୁପସ୍ଥିତି ବଡ଼ ଚିନ୍ତାର ବିଷୟ ପାଲଟିଛି। ସାଧାରଣତଃ ମହିଳାଙ୍କ ପାଇଁ ଋତୁସ୍ରାବ ମାନେ ଏକ ପ୍ରକାର ବନ୍ଦୀଖାନା। ସାମାଜିକ ବାସନ୍ଦ କିଛି ନୂଆ କଥା ନୁହେଁ, ଦଶନ୍ଧି ଦଶନ୍ଧି ଧରି ଏହା ଘରେ ପ୍ରଚଳିତ ହୋଇ ଆସୁଛି। ଯାହା ଆଜି ବି ସମାଜରେ ଏକ ବଡ ପ୍ରତିବନ୍ଧକ ସାଜିଛି। କିନ୍ତୁ ଏକ ସର୍ଭେ ରିପୋର୍ଟ ସାଧାରଣରେ ଚିନ୍ତା ବଢ଼ାଇଛି।

ସୂଚାନୁଯାୟୀ; ୟୁନିସେଫ, ଆଇନା, ୱାଟର ଏଡ୍, ଏମ୍ସ-ଭୁବନେଶ୍ୱର ଓ ଆଇଆଇଟି-ଭୁବନେଶ୍ଵର ଭଳି ସଂଗଠନ ମିଳିତ ଭାବେ ଏହି ସର୍ଭେ କରିଥିଲେ। ସେମନେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୧୨୧ଟି ସ୍କୁଲ ଓ ୫୬ଟି ସରକାରୀ ଅନୁଷ୍ଠାନ ସମେତ ମୋଟ ୧୭୭ଟି କ୍ଷେତ୍ରକୁ ନେଇ ସର୍ଭେ କରିଥିଲେ। ସେଥିରୁ ଜଣାପଡ଼ିଥିଲା, ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା, ପରିମଳ ଭିଭିଭୂମି, ସଚେତନତା ଏବଂ ପ୍ରାତିଷ୍ଠାନିକ ସହାୟତା ବ୍ୟବସ୍ଥାରେ ଅନେକ ଅଭାବ ରହିଛି। ଛାତ୍ରୀଙ୍କ ଶାରୀରିକ ଯନ୍ତ୍ରଣା ଏବଂ ଅସହଜତାକୁ ସ୍କୁଲ ନଯିବାର ମୁଖ୍ୟ କାରଣ ଭାବେ ଚିହ୍ନଟ କରାଯାଇଛି । ଋତୁସ୍ରାବ ଜନିତ ଗୋପନୀୟତାର ଅଭାବ , ଅପର୍ଯ୍ୟାପ୍ତ ସୁବିଧା ଏବଂ ସମାଜିକ ବାସନ୍ଦ ମଧ୍ୟ ଅନ୍ୟତମ କାରଣ ସାଜିଛି ।

ସର୍ଭେରୁ ଜଣାପଡ଼ିଛି, ୯୪% ସ୍କୁଲରେ ଝିଅଙ୍କ ପାଇଁ ପୃଥକ ଶୌଚାଳୟ ରହିଛି । ସେଠାରେ ମୌଳିକ ଋତୁସ୍ରାବ ସ୍ୱଚ୍ଛତା ସହାୟତା ବ୍ୟବସ୍ଥା, ପାଣି ଓ ସାବୁନର ଅଭାବ ସବୁଠାରୁ ବଡ଼ ବାଧା ସାଜିଛି । ୫୬% ସ୍କୁଲରେ ଋତୁସ୍ରାବ ବର୍ଜ୍ୟବସ୍ତୁ ନଷ୍ଟ କରିବା ପାଇଁ କୌଣସି ସୁବିଧା ନାହିଁ । ସ୍କୁଲଗୁଡ଼ିକରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଅଭାବ ମଧ୍ୟ ଆଉ ଏକ ଚିନ୍ତାର ବିଷୟ। ମାତ୍ର ୨୭% ସ୍କୁଲରେ ନର୍ସ ବା ସ୍ବାସ୍ଥ୍ୟକର୍ମୀ ଅଛନ୍ତି । ମାତ୍ର ୪୪% ସ୍କୁଲରେ ଫାଷ୍ଟ ଏଡ କିଟ୍ ରହିଛି ।

ଅନ୍ୟ ଏକ ସର୍ଭେରେ ୮୦୦ଜଣ ଲୋକ ମତ ଦେଇଛନ୍ତି ଯେ ଗ୍ରାମଞ୍ଚଳ ଓ ସହରାଞ୍ଚଳରେ ସାର୍ବଜନୀନ ସ୍ଥାନଗୁଡ଼ିକରେ ସମସ୍ତଙ୍କ ପାଇଁ ଉପଯୁକ୍ତ ଏବଂ ଋତୁସ୍ରାବ ଅନୁକୂଳ ଶୌଚାଳୟର ଅଭାବ ରହିଛି । ତେଣୁ ମହିଳାଙ୍କ ପାଇଁ ଋତୁସ୍ରାବ ଜନିତ ଭିତ୍ତିଭୂମି ତିଆରି କରିବା ଆବଶ୍ୟକତା ରହିଛି। ଏହା ହୋଇପାରିଲେ ମହିଳା, ଛାତ୍ରୀ ଓ ଭିନ୍ନକ୍ଷମଙ୍କ ପାଇଁ ସହଜ ହେବ । ସମସ୍ତଙ୍କ ପାଇଁ ସମ୍ମାନ, ସ୍ୱଚ୍ଛତା ଓ ଆରାମଦାୟକ ପରିବେଶ ସୁନିଶ୍ଚିତ କରାଯିବା ରଚିତ ବୋଲି ସର୍ଭେରେ କୁହାଯାଇଛି।

Source link



Source link

Leave A Reply

Your email address will not be published.