Voice of Eastern India

ପାପୁଆରେ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀଙ୍କ ଆତଙ୍କ; ଆମେରିକୀୟ ପାଇଲଟଙ୍କୁ ହତ୍ୟା, ଜାଳିଦେଲେ ବିମାନ


ନୂଆଦିଲ୍ଲୀ: ଇଣ୍ଡୋନେସିଆର ପ୍ରଦେଶ ପାପୁଆରୁ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ସେଠାରେ ସକ୍ରିୟ ଥିବା ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ଜଣେ ଆମେରିକୀୟ ପାଇଲଟଙ୍କୁ ଗୁଳି କରି ହତ୍ୟା କରିବା ସହ ଏକ ଯାତ୍ରୀବାହୀ ବିମାନକୁ ନିଆଁ ଲଗାଇ ସମ୍ପୂର୍ଣ୍ଣ ଜାଳି ଦେଇଛନ୍ତି। ବିଦ୍ରୋହୀ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏହି ଆକ୍ରମଣ ଆମେରିକା ଏବଂ ଇଣ୍ଡୋନେସିଆ ସରକାରଙ୍କ ପାଇଁ ଏକ ବଡ଼ ଚେତାବନୀ। ଏହି ଘଟଣା ପାପୁଆର ପାର୍ବତ୍ୟ ଅଞ୍ଚଳ ୟାହୁକିମୋ ଜିଲ୍ଲାର ବାଲିଙ୍ଗଗାମା ଗ୍ରାମରେ ଥିବା ଏକ ଛୋଟ ଏୟାରଷ୍ଟ୍ରିପରେ ଘଟିଛି।

ସେଠାକାର ସ୍ଥାନୀୟ ଏୟାରଲାଇନ୍ସ ‘ପିଟି ଏଏମଏ’ର ଏକ ଛୋଟ ବିମାନ ୭ ଜଣ ଯାତ୍ରୀଙ୍କୁ ନେଇ ଅବତରଣ କରିଥିଲା। ବିମାନର ପାଇଲଟ୍ ଥିଲେ ଆମେରିକୀୟ ନାଗରିକ ନିକୋଲାସ୍ ଏଫ୍. ଗୋସେଲିନ୍। ବିମାନଟି ଅବତରଣ କରିବା ମାତ୍ରେ ସେଠାରେ ପୂର୍ବରୁ ଲୁଚି ରହିଥିବା ବିଦ୍ରୋହୀମାନେ ବିମାନ ଉପରକୁ ଆକ୍ରମଣ କରିଥିଲେ। ସେମାନେ ପାଇଲଟ୍ ନିକୋଲାସଙ୍କୁ ଗୁଳି କରି ହତ୍ୟା କରିବା ସହ ବିମାନରେ ନିଆଁ ଲଗାଇ ଦେଇଥିଲେ। ବିମାନରେ ଥିବା ୭ ଜଣ ସ୍ଥାନୀୟ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ଏହି ଆକ୍ରମଣ ପାଇଁ ପାପୁଆର ସଶସ୍ତ୍ର ବିଦ୍ରୋହୀ ସଂଗଠନ ‘ୱେଷ୍ଟ ପାପୁଆ ନ୍ୟାସନାଲ ଲିବରେସନ ଆର୍ମି’ ନିଜକୁ ଦାୟୀ କରିଛି। ସଂଗଠନର ମୁଖପାତ୍ର ସେବି ସାମ୍ବୋମ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସେମାନଙ୍କ ସଂଗଠନ ପକ୍ଷରୁ ସେହି ଅଞ୍ଚଳକୁ ବେସାମରିକ କିମ୍ବା ବ୍ୟବସାୟିକ ବିମାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିଲା। ବିଦ୍ରୋହୀଙ୍କ ଅଭିଯୋଗ ଅନୁଯାୟୀ, ଏହି ବ୍ୟବସାୟିକ ବିମାନଗୁଡ଼ିକର ବ୍ୟବହାର କରି ଇଣ୍ଡୋନେସିଆ ସେନା ସେମାନଙ୍କ ନିୟନ୍ତ୍ରିତ ଅଞ୍ଚଳକୁ ସୈନିକ ଏବଂ ଯୁଦ୍ଧ ସାମଗ୍ରୀ ପଠାଉଥିଲା। ବାରମ୍ବାର ଚେତାବନୀ ସତ୍ତ୍ୱେ ବିମାନ ସେବା ଜାରି ରହିବାରୁ ସେମାନେ ପାଇଲଟଙ୍କୁ ହତ୍ୟା କରିଛନ୍ତି।

ଏହି ହତ୍ୟାକାଣ୍ଡ ହେଉଛି ଆମେରିକା ଏବଂ ଇଣ୍ଡୋନେସିଆ ସରକାରଙ୍କ ବିଫଳତାର ପରିଣାମ, ଯେଉଁମାନେ ଗତ ୬୪ ବର୍ଷ ହେବ ଚାଲିଆସିଥିବା ପାପୁଆ ବିବାଦର ମୂଳ ସମସ୍ୟାର ସମାଧାନ କରିପାରି ନାହାନ୍ତି ବୋଲି ସାମ୍ବୋମ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଯଦି ସେମାନଙ୍କର ‘ରେଡ୍ ଜୋନ୍’ କୁ ବିମାନ ଆସେ, ତେବେ ଆଗକୁ ମଧ୍ୟ ଏଭଳି ଆକ୍ରମଣ ଜାରି ରହିବ। ଇଣ୍ଡୋନେସିଆର ସୁରକ୍ଷା ବାହିନୀ ପକ୍ଷରୁ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ନେଇ ସ୍ପଷ୍ଟ କରାଯାଇଛି। କିନ୍ତୁ ସେହି ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ପାଇଲଟଙ୍କ ମୃତ୍ୟୁ ଏବଂ ଅନ୍ୟ ଯାତ୍ରୀମାନଙ୍କର ବର୍ତ୍ତମାନର ସ୍ଥିତି ଯାଞ୍ଚ କରିବା ପାଇଁ ଏକ ସ୍ୱତନ୍ତ୍ର ସେନା ଦଳ ଘଟଣାସ୍ଥଳକୁ ପଠାଯାଇଛି। ଜାକର୍ତ୍ତାସ୍ଥିତ ଆମେରିକୀୟ ଦୂତାବାସ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ବିବୃତ୍ତି ଦେଇନାହିଁ।

ପାପୁଆ ବିବାଦ କ’ଣ?

ପାପୁଆ ପୂର୍ବରୁ ଏକ ଡଚ୍ ଉପନିବେଶ ଥିଲା, ଯାହାକୁ ୧୯୬୯ ମସିହାରେ ମିଳିତ ଜାତିସଂଘ ସମର୍ଥିତ ଏକ ବିବାଦୀୟ ଜନମତ ସଂଗ୍ରହ ମାଧ୍ୟମରେ ଇଣ୍ଡୋନେସିଆ ନିଜ ଅଧୀନକୁ ନେଇଥିଲା। ସେବେଠାରୁ ସ୍ଥାନୀୟ ଆଦିବାସୀ ଓ ସଂଖ୍ୟାଲଘୁ ସେଠାରେ ସ୍ୱାଧୀନତା ପାଇଁ ସଶସ୍ତ୍ର ଆନ୍ଦୋଳନ ଚଳାଇ ଆସୁଛନ୍ତି। ବିଗତ କିଛି ବର୍ଷ ହେବ ବିଦ୍ରୋହୀମାନେ ବିଦେଶୀ ନାଗରିକ ଏବଂ ବିମାନଗୁଡ଼ିକୁ  ଟାର୍ଗେଟ୍ କରୁଛନ୍ତି। ଏହା ପୂର୍ବରୁ ୨୦୨୩/୨୦୨୪ ରେ ନ୍ୟୁଜିଲ୍ୟାଣ୍ଡର ଜଣେ ପାଇଲଟ୍ ଫିଲିପ୍ ମେହର୍ଟେନ୍ସଙ୍କୁ ମଧ୍ୟ ଏହି ଗୋଷ୍ଠୀ ଅପହରଣ କରି ବନ୍ଦୀ କରିଥିଲା।

 

Source link



Source link

Leave A Reply

Your email address will not be published.