ଭୁବନେଶ୍ୱର ୦୮।୦୭ : ପ୍ରକାଶ ପାଇଲା ମେରିଟ୍ ଲିଷ୍ଟ । ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ ଲିଷ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ଇ-ନାମଲେଖାର ପ୍ରଥମ ପର୍ଯ୍ୟାୟ ମନୋନୟନ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ମୋଟ ୪,୬୧,୩୨୫ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୯୩.୦୪ ପ୍ରତିଶତ ଅର୍ଥାତ୍ ୪,୨୯,୨୧୯ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ମନୋନୀତ ଶିକ୍ଷାର୍ଥୀଙ୍କ ମଧ୍ୟରେ କଳାରେ ୨,୭୬,୯୨୫, ବିଜ୍ଞାନରେ ୧,୨୧,୪୯୪, ବାଣିଜ୍ୟରେ ୧୯,୮୪୪, ଉପଶାସ୍ତ୍ରୀରେ ୬,୧୩୪, ଧନ୍ଦାମୂଳକ ଶିକ୍ଷାରେ ୪,୮୨୨ ଜଣ ରହିଛନ୍ତି।
ସେହିଭଳି ୨,୦୦,୪୯୩ ଛାତ୍ର ଥିବା ବେଳେ ୨,୨୮,୬୭୫ ଛାତ୍ରୀ ଏବଂ ୫୧ ଜଣ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀ ଅଛନ୍ତି। ଏଥିସହ ମୋଟ ମନୋନୀତଙ୍କ ମଧ୍ୟରୁ ୨, ୭୪,୪୫୪ ଜଣଙ୍କୁ ସେମାନଙ୍କର ପ୍ରଥମ ପସନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିଥିବା ବେଳେ ୩୨,୧୦୬ ଜଣ ପ୍ରଥମ ପର୍ଯ୍ୟାୟରେ ଅନୁପଯୁକ୍ତ ରହି ଦ୍ୱିତୀୟ ଓ ସ୍ପଟ୍ ସିଲେକ୍ସନ ପାଇଁ ସୁଯୋଗ ପାଇବେ। ବିଭିନ୍ନ ବିଭାଗର କଟ୍-ଅଫ୍ ମାର୍କକୁ ଦେଖିଲେ, କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୮୧%, ବାଣିଜ୍ୟରେ ୮୨.୪୦% ଏବଂ ବିଜ୍ଞାନରେ ସର୍ବାଧିକ ୯୩.୪୦% କଟ୍-ଅଫ୍ ସହ ଶୀର୍ଷରେ ରହିଛି। ଯେଉଁଠି ଧନ୍ଦାମୂଳକ ଶିକ୍ଷାରେ କଳାହାଣ୍ଡି ଧର୍ମଗଡ଼ର ସରକାରୀ ଭୋକେସନାଲ୍ ବିଦ୍ୟାଳୟ ୭୪.୬୭%, ଉପଶାସ୍ତ୍ରୀରେ କନ୍ଧମାଳ ଚକାପାଦର ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ୫୭% ନିଜ ନିଜ ବର୍ଗରେ ଆଗୁଆ ରହିଛନ୍ତି। ଏହାସହ ବିଏସଇ ଓଡ଼ିଶାରୁ ଆବେଦନ କରିଥିବା ୪,୨୬,୪୦୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩,୯୫,୬୮୧ ଜଣ ଏହି ରାଉଣ୍ଡରେ ସ୍ଥାନ ପାଇଛନ୍ତି। ଆସନ୍ତା ଜୁଲାଇ ୨୩ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବା ଜଣାପଡ଼ିଛି ।
Also Read:-୧୬ ଲକ୍ଷ ଟଙ୍କା ପାଇଁ ଝୁଲି ପଡିଲେ IIC ବିଉଟି ମହାନ୍ତି ! ବିଶ୍ୱାସରେ ବିଷ ଦେଇଥିବା ପୋଲିସ ବାବୁ କିଏ ?
