ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରଥମ ଥର ପାଇଁ ‘ଲୁନା’ (Luna) ନାମକ ଜଣେ AI ମ୍ୟାନେଜର, ୨୩ଟି ଶିଫ୍ଟ ମଧ୍ୟରୁ ୧୭ ଥର ବିଳମ୍ବରେ ଆସିଥିବା ଜଣେ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ପାଇଁ ସୁପାରିଶ କରିଛି। ଗବେଷକମାନେ ଏହି ସୁପାରିଶକୁ ଯାଞ୍ଚ କରିବା ପରେ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଛନ୍ତି। ଏହି ଘଟଣା ଆମେରିକାର ସାନ ଫ୍ରାନ୍ସିସ୍କୋରେ ଘଟିଛି ।
‘ଆଣ୍ଡନ୍ ଲାବ୍ସ’ ନାମକ ଏକ ସଂସ୍ଥା ଏଆଇ କିପରି ଏକ ବାସ୍ତବ ବ୍ୟବସାୟ ଚଳାଇପାରିବ ଏବଂ ମାନବ କର୍ମଚାରୀଙ୍କୁ ପରିଚାଳନା କରିପାରିବ, ତାହାର ପରୀକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଛି । ସଂସ୍ଥା ପକ୍ଷରୁ ‘ଲୁନା’କୁ ୧ ଲକ୍ଷ ଡଲାର, କର୍ପୋରେଟ୍ କାର୍ଡ, ଇଣ୍ଟରନେଟ୍ ଏବଂ ୩ ବର୍ଷର ଲିଜ୍ ଦିଆଯାଇ ଦୋକାନ ଚଳାଇବା ଓ ଲାଭ ବଢ଼ାଇବା ପାଇଁ ଦାୟିତ୍ୱ ଦିଆଯାଇଛି।
ଲୁନା ନିଜେ ଦୋକାନର ସାମଗ୍ରୀ ବାଛିବା, ମୂଲ୍ୟ ଓ ସମୟସୀମା ସ୍ଥିର କରିବା, ବ୍ରାଣ୍ଡିଂ କରିବା ଏବଂ କର୍ମଚାରୀ ନିଯୁକ୍ତି ଦେବା ପରି ସମସ୍ତ କାମ କରୁଛି । ଲୁନା କିଛି ମାସ ପୂର୍ବରୁ କର୍ମଚାରୀଙ୍କ ଉପସ୍ଥାନ ପାଇଁ ନିୟମ ତିଆରି କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ନିଜେ ସେହି ନିୟମକୁ ଭୁଲିଯାଇଥିଲା। ଫଳରେ କର୍ମଚାରୀଜଣକ କ୍ରମାଗତ ବିଳମ୍ବରେ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ସଂସ୍ଥାର ଗବେଷକମାନେ ଲୁନାକୁ ପୁରୁଣା ନିୟମ ମନେପକାଇ କର୍ମଚାରୀଙ୍କ ସମ୍ପର୍କରେ ସମୀକ୍ଷା କରିବାକୁ କହିବା ପରେ, ସେ କର୍ମଚାରୀଙ୍କୁ ବାହାର କରିବାକୁ ସୁପାରିଶ କରିଥିଲା।
ଏହି ଦୋକାନରେ ବହି, ଚିତ୍ରକଳା ଏବଂ ଗେମ୍ସ ଆଦି ବିକ୍ରି ହେଉଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ଲାଭଜନକ ହୋଇପାରିନାହିଁ। ମାର୍ଚ୍ଚ ମାସରେ ଥିବା ୧ ଲକ୍ଷ ଡଲାରରୁ ବ୍ୟାଙ୍କ ବାଲାନ୍ସ କମି ୬୧,୧୮୬ ଡଲାରରେ ପହଞ୍ଚିଛି। ଆଣ୍ଡନ୍ ଲାବ୍ସର ସିଇଓ ଲୁକାସ୍ ପିଟରସନ୍ କହିଛନ୍ତି ଯେ, ଏହି ଘଟଣାରୁ ଜଣାପଡ଼ୁଛି ଯେ, ଭବିଷ୍ୟତରେ ଏଆଇ ବହୁତ ଶକ୍ତିଶାଳୀ ହେବ, କିନ୍ତୁ ବର୍ତ୍ତମାନର ଏଆଇ ସିଷ୍ଟମ ନିୟମଗୁଡ଼ିକୁ ମନେରଖିବାରେ ଏବଂ ଠିକ୍ ସମୟରେ ଲାଗୁ କରିବାରେ ଦୁର୍ବଳ।
