Voice of Eastern India

ବିଜେପିର ହାତ ଛାଡ଼ି ବିଜୟ ଥାଲାପତିଙ୍କ ସହ ମିଶିବାକୁ ଯାଉଛି ଏହି ପାର୍ଟି, କ୍ୟାବିନେଟରେ ମିଳିପାରେ ସ୍ଥାନ


ନୂଆଦିଲ୍ଲୀ: ତାମିଲନାଡୁ ରାଜନୀତିରେ ଏକ ନୂଆ ରାଜନୈତିକ ସମୀକରଣ ରୂପ ନେଉଥିବା ଦେଖିବାକୁ ମିଳିଛି। ଆଉ ଏହାର ପରିମାଣର ଝଟକା ବିଜେପିକୁ ଲାଗିପାରେ। ମୁଖ୍ୟମନ୍ତ୍ରୀ ସି ଜୋଶେଫ ବିଜୟଙ୍କ ପାର୍ଟି ତାମିଲଗା ଭେଟ୍ରି କଝଗମ(ଟିଭିକେ) ଓ ପଟ୍ଟାଲି ମକ୍କଲ କଚ୍ଚି(ପିଏମକେ) ମଧ୍ୟରେ ସମ୍ଭାବିତ ମେଣ୍ଟକୁ ନେଇ ଆଲୋଚନା ଚାଲିଛି। କେବଳ ଏତିକି ନୁହେଁ ମେଣ୍ଟ ହେଲେ ସହଯୋଗୀ ଦଳକୁ କ୍ୟାବିନେଟରେ ସ୍ଥାନ ମିଳିବା ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ହେଲେ ଏହି ପୂରା ଘଟଣାକ୍ରମରେ ସବୁଠୁ ବଡ଼ ପେଞ୍ଚ ବିଜେପି ଓ ପିଏମକେର ସଂପର୍କକୁ ନେଇ ରହିଛି। କୌଣସି ବି ଆନୁଷ୍ଠାନିକ ନିଷ୍ପତ୍ତି ନେବା ପୂର୍ବରୁ ପିଏମକେକୁ ବିଜେପି ସହିତ ନିଜ ରାଜନୈତିକ ସମୀକରଣ ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ।

ଉପନିର୍ବାଚନରେ କାହାରିକୁ ସମର୍ଥନ ଦେଇ ନ ଥିଲା ପିଏମକେ

ପିଏମକେ ଏଆଇଏଡିଏମକେ ଏବଂ ବିଜେପି ମେଣ୍ଟ ସହ ମିଶି ୨୦୨୬ ବିଧାନସଭା ନିର୍ବାଚନ ଲଢିଥିଲା। ଅନବୁମଣି ରାମଦାସଙ୍କ ନେତୃତ୍ଵାଧୀନ ଗୋଷ୍ଠୀକୁ ୧୮ ବିଧାନସଭା ସିଟ୍ ଦିଆଯାଇଥିଲା ଏବଂ ଦଳ ୪ଟି ସିଟ୍ ଜିତି ପାରିଥିଲା। ମାତ୍ର ଅକ୍ଟୋବର ୬ରେ ହେବାକୁ ଥିବା ମଦୁରନ୍ତକମ ଓ ଧରାପୁରମ ଉପନିର୍ବାଚନରେ ପାର୍ଟି କୌଣସି ଦଳକୁ ସମର୍ଥନ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି।

Also Read: ବିଜେପିକୁ ହଟେଇବା ପାଇଁ କଂଗ୍ରେସରେ ଯୋଗ ଦେବେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା! ଜାଣନ୍ତୁ କହିଲେ କ’ଣ?

ଅନବୁମଣି ଓ ବିଜୟଙ୍କ ପରାମର୍ଶଦାତା ମଧ୍ୟରେ ଆଲୋଚନା

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ମୁତାବକ, ଦୁଇ ଦଳ ମଧ୍ୟରେ ଆଲୋଚନା ମୁଖ୍ୟତଃ ପିଏମକେ ନେତା ଅନବୁମଣି ରାମଦାସ ଓ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ରାଜନୈତିକ ପରାମର୍ଶଦାତା ଜନ ଅରୋକିଆସାମୀଙ୍କ ଜରିଆରେ ଚାଲିଛି। ରିପୋର୍ଟ ଅନୁ୍ାୟୀ, ଆଲୋଚନାରେ ବିଜୟ ସରକାର କ୍ୟାବିନେଟରେ ସ୍ଥାନ ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବ ଅନୁସାରେ ଗୋଟିଏ କ୍ୟାବିନେଟ୍ ପଦ ଅନବୁମଣି ରାମଦାସଙ୍କ ପତ୍ନୀ କିମ୍ବା ପିଏମକେର ବିଧାନସଭା ନେତା ସୌମ୍ୟା ଅନବୁମଣିଙ୍କୁ ମିଳିପାରେ। ଦ୍ଵିତୀୟ ପଦ ପିଏମକେ ବିଧାୟକ ଏ ଗଣେଶ କୁମାରଙ୍କୁ ମିଳିବା ନେଇ ଚର୍ଚ୍ଚା ହେଉଛି।

ବିଜେପି ସହ ସମ୍ପର୍କ ପାଲଟିଛି ବଡ଼ ଅସୁବିଧା

ତେବେ ଏହି ନୂତନ ମେଣ୍ଟ ଗଠନ ପଛରେ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି ବିଜେପି ସହ ପିଏମକେର ମେଣ୍ଟ। ବିଜୟଙ୍କ ଦଳ ସହ ଆନୁଷ୍ଠାନିକ ଭାବେ ହାତ ମିଳାଇବା ପୂର୍ବରୁ ପିଏମକେକୁ ବିଜେପି ସହ ନିଜର ପୁରୁଣା ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ଛିନ୍ନ କରିବାକୁ ପଡ଼ିବ। ସମ୍ପ୍ରତି ହେବାକୁ ଥିବା ଉପନିର୍ବାଚନରେ ପିଏମକେ କୌଣସି ଦଳକୁ ସମର୍ଥନ ନଦେଇ ନିରପେକ୍ଷ ରହିବା ନିଷ୍ପତ୍ତି ନେଇଛି। ଉତ୍ତର ତାମିଲନାଡୁରେ ବଳିଷ୍ଠ ଭୋଟବ୍ୟାଙ୍କ ଥିବା ‘ବନ୍ନିୟାର’ ସମ୍ପ୍ରଦାୟ ଉପରେ ପିଏମକେର ସୁଦୃଢ଼ ସଂପର୍କ ରହିଛି। ସେମାନଙ୍କର ଏହି ନିରପେକ୍ଷତା ଟିଭିକେ ସହ ହେବାକୁ ଥିବା ବଡ଼ ଡିଲ୍ ଏକ ଅଂଶ ବୋଲି କୁହାଯାଉଛି।

Also Read: ଆଇଏଏସ ଚାକିରି ଛାଡ଼ିଲେ, ଏବେ ରାଜନୀତିରେ ଧମାକା କରିବେ ଦିବ୍ୟା !

ବିଜୟଙ୍କ ପାଇଁ କାହିଁକି ଜରୁରୀ ପିଏମକେ ?

୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଦଳ ସଂଖ୍ୟାଗରିଷ୍ଠତାଠାରୁ କିଛି ଆସନ ପଛରେ ରହିଯାଇଥିଲା। ଏଭଳି ପରିସ୍ଥିତିରେ ସରକାରୀ ସ୍ଥିରତା ଓ ନିଜର ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ଉତ୍ତର ତାମିଲନାଡୁରେ ପିଏମକେର ବନ୍ନିୟାର ଭୋଟବ୍ୟାଙ୍କ ବିଜୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ଉପନିର୍ବାଚନ ଫଳାଫଳ ପରେ ଏହି ମେଣ୍ଟ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଯଦି ଏହି ନୂଆ ମେଣ୍ଟ ବାସ୍ତବ ରୂପ ନିଏ, ତେବେ ତାମିଲନାଡୁ ରାଜନୀତିର ପୁରୁଣା ସମୀକରଣ ସମ୍ପୂର୍ଣ୍ଣ ବଦଳିଯିବ।

Source link



Source link

Leave A Reply

Your email address will not be published.