ଭୂବନେଶ୍ୱର: ଭାରତର ଦୂରସଂଚାର ବା ଟେଲିକମ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିସାରିଥିବା ଜିଓ ଏବେ କେବଳ ଏକ ନେଟୱାର୍କ କମ୍ପାନୀ ଭାବେ ସୀମିତ ନରହି ଏକ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ହେବା ପଥରେ ଆଗକୁ ବଢୁଛି। ଏଥିପାଇଁ ଜିଓ ନିଜସ୍ୱ ଟେକ୍ନୋଲୋଜି, ଏଆଇ, ଏଣ୍ଟରପ୍ରାଇଜ୍ ପ୍ଲାଟଫର୍ମ ଓ କ୍ଲାଉଡ ଉପରେ ବିଶେଷ ଧ୍ୟାନ ଦେଉଛି। ଭାରତରେ ଏହି ଟେକ୍ନୋଲୋଜିକୁ ଭଲ ଭାବେ ବ୍ୟବହାର କରି ପରୀକ୍ଷା କଲା ପରେ ଜିଓ ଏହାକୁ ବିଶ୍ୱର ବିଭିନ୍ନ ଦେଶକୁ ନେବାକୁ ଲକ୍ଷ୍ୟ ରଖିଛି।
ଜିଓର ପ୍ରାରମ୍ଭିକ ଯାତ୍ରା ଗ୍ରାହକ ସଂଖ୍ୟା, ଡାଟା ବ୍ୟବହାର ଓ ଶସ୍ତା ଇଣ୍ଟରନେଟ୍ ଉପରେ ଆଧାରିତ ଥିଲା। କିନ୍ତୁ ଏବେ ଏହା ଅନ୍ୟ କମ୍ପାନୀଙ୍କ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ନ ରହି, ନିଜେ ନେଟୱାର୍କ ସଫ୍ଟୱେର୍ ଓ ଡିଜିଟାଲ୍ ପ୍ଲାଟଫର୍ମ ତିଆରି କରୁଛି। ସିଧାସଳଖ କହିଲେ, ଜିଓ ପାଇଁ ଟେକ୍ନୋଲୋଜି ଏବେ ନେଟୱାର୍କର ଏକ ଅଂଶ ମାତ୍ର ନୁହେଁ, ନିଜେ ଏକ ଉତ୍ପାଦ ହୋଇଯାଉଛି।
ଜିଓ ପ୍ଲାଟଫର୍ମସର ପରିଚାଳନା ନିର୍ଦ୍ଦେଶକ ଆକାଶ ଅମ୍ବାନୀ ନିକଟରେ କମ୍ପାନୀର ୧୦ମ ବାର୍ଷିକୀରେ କହିଥିଲେ ଯେ ଜିଓ ଏବେ ଆଉ କେବଳ ଏକ ଟେଲିକମ୍ କମ୍ପାନୀ ନୁହେଁ। ଟେକ୍ନୋଲୋଜିକୁ ବ୍ୟାପକ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା, ତାହାକୁ ବିଶ୍ୱ ବଜାରକୁ ନେବା ଏବଂ ଭାରତକୁ ଟେକ୍ନୋଲୋଜି ତିଆରି କରୁଥିବା ଦେଶ ଭାବେ ମଜବୁତ୍ କରିବା ହିଁ ଏବେ ଜିଓର ଲକ୍ଷ୍ୟ ରହିଥିବା ସେ କହିଥିଲେ।
ଜିଓର ନିଜସ୍ୱ ୫ଜି ଟେକ୍ନୋଲୋଜି:
ଜିଓ ନିଜେ ୫ଜି କୋର ଓ ଓଏସଏସ / ବିଏସଏସ ସିଷ୍ଟମ୍ ତିଆରି କରିଛି ଏବଂ ଏକ ପୂରା ୫ଜି ଟେକ୍ନୋଲୋଜି ଷ୍ଟାକ୍ ନିଜେ ଗଢ଼ିଛି। ଅକ୍ଟୋବର ୨୦୨୨ ରୁ ଡିସେମ୍ବର ୨୦୨୩ ମଧ୍ୟରେ ଜିଓ ସାରା ଦେଶରେ ୫ଜି କଭରେଜ୍ ପୂରା କରିସାରିଥିଲା। ମାର୍ଚ୍ଚ ୨୦୨୬ ସୁଦ୍ଧା ଜିଓର ୫ଜି ଉପଭୋକ୍ତା ସଂଖ୍ୟା ୨୬.୮ କୋଟିରୁ ଅଧିକ ହେବା ସହିତ ଏବଂ ଜିଓ ନେଟୱାର୍କରେ ମୋଟ ଡାଟା ଟ୍ରାଫିକ୍ର ପ୍ରାୟ ୫୫ ପ୍ରତିଶତ ଏହି ୫ଜିରୁ ଆସୁଥିଲା।
ରିଲାଏନ୍ସର ୨୦୨୫-୨୬ ବାର୍ଷିକ ରିପୋର୍ଟ ଅନୁସାରେ ଜିଓର ମୋଟ ଗ୍ରାହକ ୫୨.୪ କୋଟିରୁ ଅଧିକ ରହିଛନ୍ତି। ଏତେ ବଡ଼ ଗ୍ରାହକ ସଂଖ୍ୟା ସହିତ ନୂଆ ଟେକ୍ନୋଲୋଜି ପରୀକ୍ଷା କରିପାରିବା ଜିଓ ପାଇଁ ଏକ ବଡ଼ ସୁବିଧା।
୬,୮୧୭ଟି ପେଟେଣ୍ଟ, ୧୧ ହଜାରରୁ ଅଧିକ ଇଞ୍ଜିନିୟର:
ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଜିଓ ଓ ଏହାର ସହାୟକ କମ୍ପାନୀଗୁଡ଼ିକ ୪ଜି, ୫ଜି, ୬ଜି, ଏଆଇ ଓ କ୍ଲାଉଡ ସମ୍ବନ୍ଧୀୟ ମୋଟ ୬,୮୧୭ଟି ପେଟେଣ୍ଟ ଦାଖଲ କରିଛନ୍ତି। ଏଥିମଧ୍ୟରୁ ୧,୦୦୯ଟିକୁ ବିଶ୍ୱବ୍ୟାପୀ ମଞ୍ଜୁରୀ ମିଳିସାରିଛି। ଡବ୍ଲୁଆଇପିଓର ପିସିଟି ର୍ୟାଙ୍କିଂରେ ୨୦୨୬ରେ ଜିଓ ପ୍ଲାଟଫର୍ମସ୍ ବିଶ୍ୱର ଶୀର୍ଷ ୨୦ କମ୍ପାନୀ ମଧ୍ୟରେ ୧୨ତମ ସ୍ଥାନରେ ରହିଛି। କମ୍ପାନୀର ଇଞ୍ଜିନିୟରିଙ୍ଗ କ୍ଷେତ୍ରରେ ୧୧ ହଜାରରୁ ଅଧିକ ଇଞ୍ଜିନିୟର ରହିଛନ୍ତି।
ଭାରତ ପାଇଁ ବିକଶିତ ଟେକ୍ନୋଲୋଜି:
ଜିଓ ଏଭଳି ଟେକ୍ନୋଲୋଜି ତିଆରି କରୁଛି ଯାହା ଭାରତ ଭଳି ବିଶାଳ ଓ ବିବିଧତା ଭରା ଦେଶରେ ସହଜରେ କାମ କରିପାରିବ। ଯେଉଁଠିକୁ ଫାଇବର ନେବା କଷ୍ଟ ବା ଅଧିକ ବ୍ୟୟବହୁଳ, ସେଠି ହାଇ ସ୍ପିଡ଼ ବ୍ରଡବ୍ୟାଣ୍ଡ ପାଇଁ କମ୍ପାନୀ ୟୁବିଆର ଟେକ୍ନୋଲୋଜି ତିଆରି କରିଛି। ମାର୍ଚ୍ଚ ୨୦୨୬ ସୁଦ୍ଧା ଜିଓର ୨ କୋଟି ୭୦ ଲକ୍ଷରୁ ଅଧିକ ଫିକ୍ସଡ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକ ରହିଥିଲେ ଏବଂ ଏହି କ୍ଷେତ୍ରରେ ଏହାର ବଜାର ଅଂଶ ପ୍ରାୟ ୪୩ ପ୍ରତିଶତ ରହିଥିଲା। ଏହା ବ୍ୟତୀତ କମ୍ପାନୀ ଛୋଟ ପ୍ରାଇଭେଟ୍ ୫ଜି ନେଟୱାର୍କ ପାଇଁ ୫ଜି-ଇନ-ଏ-ବକ୍ସ ଭଳି ଅଭିନବ ସମାଧାନ ମଧ୍ୟ ତିଆରି କରିଛି।
କମ୍ପାନୀ ଅନୁଯାୟୀ, ଭାରତର ବଡ଼ ଜନସଂଖ୍ୟା ଓ କମ୍ ଖର୍ଚ୍ଚର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତିଆରି ହୋଇଥିବା ଏହି ଟେକ୍ନୋଲୋଜି ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକାର ଅନ୍ୟ ଦେଶମାନଙ୍କରେ ମଧ୍ୟ କାମରେ ଆସିପାରିବ।
ଭାରତରୁ ବିଶ୍ୱ ବଜାରକୁ:
ଜିଓ ଏବେ ନିଜର ମୋବାଇଲ୍, ବ୍ରଡବ୍ୟାଣ୍ଡ ଓ ନେଟୱାର୍କ ଟେକ୍ନୋଲୋଜିକୁ ବିଶ୍ୱ ବଜାରକୁ ନେବାର ଯୋଜନା କରୁଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଜିଓ ନେଟୱାର୍କରେ ପ୍ରାୟ ୨୪୧ ଏକ୍ସାବାଇଟ୍ ଡାଟା ଚାଲିଥିଲା। ଏହାର ଅର୍ଥ, ଏବେ ପରୀକ୍ଷିତ ଓ ପ୍ରମାଣିତ ଟେକ୍ନୋଲୋଜିକୁ ସେ ଅନ୍ୟ ଟେଲିକମ୍ କମ୍ପାନୀ କିମ୍ବା ବ୍ୟବସାୟୀଙ୍କୁ ବିକ୍ରି ବା ଲାଇସେନ୍ସ ଦେଇପାରିବ।
ଏଆଇ, କ୍ଲାଉଡ ଓ ୬ଜି ଉପରେ ଗୁରୁତ୍ୱ:
ଏବେ ଜିଓ କ୍ଲାଉଡ, ଏଜ୍ କମ୍ପ୍ୟୁଟିଂ, ପ୍ରାଇଭେଟ୍ ୫ଜି ଓ ଏଆଇ ଉପରେ ମଧ୍ୟ କାମ କରୁଛି, ଯାହା ଫଳରେ ଏହା ଏଣ୍ଟରପ୍ରାଇଜ୍ କ୍ଷେତ୍ରକୁ ମଧ୍ୟ ସହଜରେ ପ୍ରବେଶ କରିପାରିବ। ରିଲାଏନ୍ସର ‘ଏଆଇ ସବୁସ୍ଥାନରେ, ସମସ୍ତଙ୍କ ପାଇଁ’ ଲକ୍ଷ୍ୟ ଅଧୀନରେ ନେଟୱାର୍କ, ଅପରେସନ୍ସ ଓ ଗ୍ରାହକ ସେବାରେ ଏଆଇ ଯୋଡ଼ୁଛି, ଯାହା ଭାରତ ଭଳି ବଡ଼ ଓ ଖର୍ଚ୍ଚ-ସଚେତନ ବଜାର ପାଇଁ ତିଆରି ହେଉଛି।
ଏହା ସାଙ୍ଗକୁ, କମ୍ପାନୀ ୬ଜି ଉପରେ ମଧ୍ୟ କାମ କରୁଛି ଓ ଭବିଷ୍ୟତ ମାନଦଣ୍ଡ ତିଆରି କରିବାରେ ଅଂଶଗ୍ରହଣ କରୁଛି। ଜିଓର ଉଦ୍ଦେଶ୍ୟ ହେଉଛି ଭାରତକୁ କେବଳ ଟେକ୍ନୋଲୋଜି ବ୍ୟବହାର କରୁଥିବା ଦେଶ ନ ରଖି, ଟେକ୍ନୋଲୋଜି ତିଆରି କରୁଥିବା ଦେଶ ଭାବେ ଆଗକୁ ଆଣିବା।
ସଂକ୍ଷେପରେ କହିବାକୁ ଗଲେ, ଜିଓ ପାଇଁ ଆଗାମୀ ଦଶନ୍ଧି କେବଳ ଭାରତକୁ ଯୋଡ଼ିବାର ନୁହେଁ, ବରଂ ଏଠି ଟେକ୍ନୋଲୋଜି ତିଆରି କରି, ପରୀକ୍ଷା କରି, ପରେ ଏହାକୁ ଦୁନିଆକୁ ନେବାର ଯାତ୍ରା। ନିଜସ୍ୱ ୫ଜି ଷ୍ଟାକ୍, ହଜାର ହଜାର ପେଟେଣ୍ଟ, କୋଟି କୋଟି ଗ୍ରାହକ ଓ ଏଆଇ / ୬ଜିରେ କାମ ସହିତ, ଜିଓ ଏବେ ଭାରତକୁ ଟେକ୍ନୋଲୋଜି ବ୍ୟବହାର କରୁଥିବା ଦେଶରୁ ଟେକ୍ନୋଲୋଜି ତିଆରି ଓ ରପ୍ତାନି କରୁଥିବା ଦେଶ ଆଡକୁ ନେବାର ପ୍ରଚେଷ୍ଟାରେ ରହିଛି।
