ଭାରତୀୟ ଲୋକେ ସୁସ୍ଥ ରୁହନ୍ତୁ ଆପଣ କ’ଣ ଏହା ଚାହାନ୍ତି ନାହିଁ ? ଅନ୍ତୋଷ ଝାଡିବା ପରେ FSSAIକୁ ଦୁଇ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଅଧିକ ଚିନି, ଲୁଣ ଓ ସାଚୁରେଟେଡ୍ ଫ୍ୟାଟ୍ ଥିବା ପ୍ୟାକେଟ୍ ଖାଦ୍ୟ ସାମଗ୍ରୀ ସମ୍ମୁଖରେ ସତର୍କ ସୂଚନା ( Front-of-Pack Warning Label) ଲଗାଇବା ନେଇ ଶେଷ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାର ଓ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)କୁ ୨ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଗୁରୁବାର ଜଷ୍ଟିସ୍ ଜେ.ବି. ପାର୍ଦ୍ଦିୱାଲା ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ୟାକେଟ୍ ଖାଦ୍ୟରେ ଅଧିକ ପରିମାଣର ଚିନି, ଲୁଣ ଓ ଚର୍ବି ରହିଥିଲେ ଗ୍ରାହକଙ୍କୁ ସହଜରେ ଜଣାଇବା ପାଇଁ ପ୍ୟାକେଟ୍ର ସାମ୍ନା ଭାଗରେ ସ୍ପଷ୍ଟ ଚେତାବନୀ ଲେବଲ୍ ଲଗାଇବା ଦାବିରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।
‘ଆମ ଆଦେଶ ପାଳନ କରୁନାହାନ୍ତି କାହିଁକି?’
କେନ୍ଦ୍ର ଓ FSSAI ପକ୍ଷରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ୍ ବ୍ରିଜେନ୍ଦ୍ର ଚହରଙ୍କୁ ଖଣ୍ଡପୀଠ ଏପର୍ଯ୍ୟନ୍ତ କ’ଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହି ନିଷ୍ପତ୍ତିରେ ଖାଦ୍ୟ ଉତ୍ପାଦନକାରୀ କମ୍ପାନୀଗୁଡ଼ିକର ଚାପ ପ୍ରଭାବ ପକାଉଛି କି ନାହିଁ, ସେନେଇ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିଲେ। ରିପୋର୍ଟ ଅନୁସାରେ ଖଣ୍ଡପୀଠ ପ୍ରଶ୍ନ କରିଥିଲେ, “ଆପଣ କୋର୍ଟକୁ ହେୟଜ୍ଞାନ କରୁଛନ୍ତି କି?”
କୋର୍ଟ କହିଥିଲେ ଯେ ଏହି ପ୍ରସଙ୍ଗ କୋର୍ଟର ସ୍ୱାର୍ଥ ନୁହେଁ, ବରଂ ଜନସ୍ୱାସ୍ଥ୍ୟ ସହ ଜଡ଼ିତ। ବିଶେଷକରି ଛୋଟ ପିଲାମାନେ କ’ଣ ଖାଉଛନ୍ତି, ସେ ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ଚେତାବନୀ ଲେବଲ୍ର ଉଦ୍ଦେଶ୍ୟ ବୋଲି କୋର୍ଟ କହିଥିଲେ। ଖଣ୍ଡପୀଠ ପ୍ରଶ୍ନ କରିଥିଲେ, “ଆପଣ ଚାହୁଁ ନାହାନ୍ତି କି ଏହି ଦେଶର ଲୋକେ ସୁସ୍ଥ ରୁହନ୍ତୁ? ବିଶେଷକରି ବଢ଼ୁଥିବା ପିଲାମାନେ?”
କୋର୍ଟ କହିଥିଲେ ଯେ ପ୍ୟାକେଟ୍ ଖାଦ୍ୟରେ ଚିନି, ଚର୍ବି ଓ କାର୍ବୋହାଇଡ୍ରେଟ୍ ରହିଥାଏ ବୋଲି ଗ୍ରାହକମାନେ ଜାଣନ୍ତି। କିନ୍ତୁ ପ୍ୟାକେଟ୍ର ସାମ୍ନା ଭାଗରେ ସ୍ପଷ୍ଟ ଚେତାବନୀ ଥିଲେ କିଣିବା ପୂର୍ବରୁ ସେମାନେ ଅଧିକ ସଚେତନ ଭାବେ ନିଷ୍ପତ୍ତି ନେଇପାରିବେ।
ଭାରତୀୟ ଖାଦ୍ୟକୁ ନେଇ କେନ୍ଦ୍ରର ଚିନ୍ତା
କେନ୍ଦ୍ର ସରକାର ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ କଠୋର ଚେତାବନୀ ଲେବଲ୍ ନିୟମ ଲାଗୁ କଲେ ଅନେକ ପାରମ୍ପରିକ ଭାରତୀୟ ଖାଦ୍ୟରେ ମଧ୍ୟ ଲାଲ୍ ଚେତାବନୀ ଚିହ୍ନ ଲାଗିପାରେ। ଏହାର କାରଣ ହେଉଛି ସେଗୁଡ଼ିକରେ ଲୁଣ କିମ୍ବା ଚର୍ବିର ପରିମାଣ। ଏଏସ୍ଜି ବ୍ରିଜେନ୍ଦ୍ର ଚହର କହିଥିଲେ ଯେ ଭାରତୀୟ ଲୋକଙ୍କ ଖାଦ୍ୟାଭ୍ୟାସ ବିକଶିତ ଦେଶଗୁଡ଼ିକଠାରୁ ଭିନ୍ନ। ତେଣୁ ଅନ୍ତର୍ଜାତୀୟ ପୋଷଣ ମାନଦଣ୍ଡକୁ ଭାରତୀୟ ଖାଦ୍ୟ ଉପରେ ସିଧାସଳଖ ଲାଗୁ କରାଯାଇପାରିବ ନାହିଁ ବୋଲି ସେ ଯୁକ୍ତି ଦେଇଥିଲେ।
Also Read- ପାନ ମସଲା ପ୍ୟାକେଜିଂକୁ ନେଇ FSSAIର ନୂଆ ନିୟମ: ପ୍ଲାଷ୍ଟିକ୍, ଆଲୁମିନିୟମ୍ ଫଏଲ୍ ଉପରେ କଟକଣା
ସେ ନମକିନ୍ର ଉଦାହରଣ ଦେବା ସହ କିଛି ପ୍ରସ୍ତାବିତ ସୀମା ଅନୁସାରେ ଅଣ୍ଡା ଭଳି ଖାଦ୍ୟରେ ମଧ୍ୟ ଚେତାବନୀ ଲେବଲ୍ ଲାଗିପାରେ ବୋଲି କହିଥିଲେ। ତାଙ୍କ ଯୁକ୍ତି ଥିଲା, “ପ୍ରତ୍ୟେକ ଖାଦ୍ୟ ସାମଗ୍ରୀରେ ଲାଲ୍ ଲେବଲ୍ ଲାଗିଯିବ।” ତେବେ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ। ଖଣ୍ଡପୀଠ କହିଥିଲେ ଯେ ଚେତାବନୀ ଲେବଲ୍ର ଉଦ୍ଦେଶ୍ୟ କୌଣସି ଉତ୍ପାଦ କିଣିବାରୁ ଗ୍ରାହକଙ୍କୁ ରୋକିବା ନୁହେଁ, ବରଂ ସେମାନଙ୍କୁ ତଥ୍ୟ ଜଣାଇବା।
‘କେତେ ପିଲା Kurkure କିଣନ୍ତି?’
ଶୁଣାଣି ସମୟରେ କୋର୍ଟ ସ୍ପଷ୍ଟ କରିଥିଲେ ଯେ ଏହା କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ କିମ୍ବା କମ୍ପାନୀକୁ ଟାର୍ଗେଟ୍ କରିବାର ମାମଲା ନୁହେଁ। ଖଣ୍ଡପୀଠ କହିଥିଲେ, “ଏହି ଦେଶରେ କେତେ ଲୋକ ଡ୍ରାଏ ଫ୍ରୁଟ୍ କିଣିପାରନ୍ତି? ଆଉ କେତେ ପିଲା କୁରକୁରେ କିଣନ୍ତି? ଏହା ହିଁ ପାର୍ଥକ୍ୟ ସୃଷ୍ଟି କରେ।” କୋର୍ଟ ଆହୁପି କହିଥିଲେ ଯେ ଏହା କୌଣସି ନିର୍ଦ୍ଦିଷ୍ଟ ଉତ୍ପାଦ ବିରୋଧରେ ନୁହେଁ। କେବଳ ଗ୍ରାହକ ଯାହା କିଣୁଛନ୍ତି, ସେଥିରେ କ’ଣ ରହିଛି ତାହା ଜାଣିବା ଉଚିତ।
ଉତ୍ପାଦନକାରୀଙ୍କ ବ୍ୟବସାୟିକ ସ୍ୱାର୍ଥ ଆଧାରରେ ଖାଦ୍ୟ ଲେବଲିଂ ନୀତି ନିର୍ଦ୍ଧାରଣ ହେବା ଉଚିତ ବୋଲି ଯୁକ୍ତିକୁ ମଧ୍ୟ କୋର୍ଟ ଖାରଜ କରିଥିଲେ। ଶୁଣାଣି ସମୟରେ ଜଣେ ଉତ୍ପାଦନକାରୀ ପକ୍ଷ ନିଜର ମତ ରଖିବାକୁ ଚାହିଁବାରୁ କୋର୍ଟ କହିଥିଲେ ଯେ ଏହା ଜନସ୍ୱାସ୍ଥ୍ୟର ପ୍ରସଙ୍ଗ ଏବଂ ଉତ୍ପାଦନକାରୀମାନେ ନୀତି ନିର୍ଦ୍ଧାରଣ କରିପାରିବେ ନାହିଁ।
ବିକଶିତ ଦେଶର ମାନଦଣ୍ଡକୁ ନେଇ କୋର୍ଟ ଅସନ୍ତୁଷ୍ଟ
ବିକଶିତ ଦେଶଗୁଡ଼ିକରେ ପ୍ରଚଳିତ ଖାଦ୍ୟ ଲେବଲିଂ ମାନଦଣ୍ଡକୁ ଭାରତ ସମ୍ପୂର୍ଣ୍ଣ ଭାବେ ଅନୁସରଣ କରିପାରିବ ନାହିଁ ବୋଲି କେନ୍ଦ୍ରର ଯୁକ୍ତି ଉପରେ ମଧ୍ୟ ସୁପ୍ରିମକୋର୍ଟ ଆପତ୍ତି ପ୍ରକାଶ କରିଥିଲେ।
ଖଣ୍ଡପୀଠ କହିଥିଲେ, “ଅନ୍ତର୍ଜାତୀୟ ମାନଦଣ୍ଡ, ବିଶେଷକରି ବିକଶିତ ଦେଶଗୁଡ଼ିକର ମାନଦଣ୍ଡ ସହ ସମକକ୍ଷ ହେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ଯେଉଁ ଆଭିମୁଖ୍ୟ ରଖିଛି, ଆମେ ତାହାକୁ ଅନୁମୋଦନ କରୁନାହୁଁ। ଭାରତ କ’ଣ ଏକ ଅନୁନ୍ନତ ଦେଶ ହୋଇ ରହିବ?” ଭାରତ ନିଜ ନାଗରିକଙ୍କ ସ୍ୱାସ୍ଥ୍ୟ, ବିଶେଷକରି ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଗମ୍ଭୀର ବୋଲି ପ୍ରମାଣ କରିବା ଉଚିତ ବୋଲି କୋର୍ଟ କହିଥିଲେ।
‘ଏହା ଆପଣଙ୍କ ଶେଷ ସୁଯୋଗ’
କେନ୍ଦ୍ର ସରକାର ଓ FSSAIକୁ ଦୁଇ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ନିଜର ଶେଷ ନିଷ୍ପତ୍ତି କୋର୍ଟରେ ଦାଖଲ କରିବାକୁ କୁହାଯାଇଛି। ସରକାର ନିଜ ଆଡ଼ୁ ପଦକ୍ଷେପ ନନେଲେ କୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ଜାରି କରିପାରନ୍ତି ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। କୋର୍ଟ ଚେତାବନୀ ଦେଇ କହିଥିଲେ, “ଏହା ଆପଣଙ୍କ ଶେଷ ସୁଯୋଗ। ଏହାପରେ ଆମେ ରାୟ ଶୁଣାଇବୁ।”
Also Read- ବଦଳିଲା ଅନଲାଇନ ରାଇଡ ବୁକ୍ କରିବାର ନିୟମ, ‘ଆଡଭାନ୍ସ ଟିପ୍’ ଫିଚର ଉପରେ ରୋକ୍ ଲଗାଇଲେ ସରକାର
ଏହି ମାମଲାରେ ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ FSSAIକୁ ଅଧିକ ଚିନି, ଲୁଣ ଓ ସାଚୁରେଟେଡ୍ ଫ୍ୟାଟ୍ ଥିବା ପ୍ୟାକେଟ୍ ଖାଦ୍ୟର ସମ୍ମୁଖ ଭାଗରେ ସୂଚନା ଲଗାଇବା ନେଇ ବିଚାର କରିବାକୁ କହିଥିଲେ। ୨୦୨୫ ଏପ୍ରିଲ୍ରେ, ସୁପ୍ରିମକୋର୍ଟ FSSAI ଦ୍ୱାରା ଗଠିତ ବିଶେଷଜ୍ଞ କମିଟିକୁ ଏହି ପ୍ରସଙ୍ଗରେ ସୁପାରିଶ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ FSSAI କୋର୍ଟକୁ କହିଥିଲା ଯେ ଏହାର ପ୍ରସ୍ତାବିତ ଭାରତୀୟ ପୋଷଣ ମାନ (INR) ବ୍ୟବସ୍ଥା ଉପରେ ୧୪,୦୦୦ରୁ ଅଧିକ ହିତଧାରୀଙ୍କ ମତାମତ ମିଳିଛି। ତେବେ ଲେବଲ୍ରେ ଫର୍ମାଟ୍ ନେଇ ଏପର୍ଯ୍ୟନ୍ତ ସହମତି ହୋଇନାହିଁ।
