ଭୁବନେଶ୍ୱର/ପୁରୀ: ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକରେ ହୋଇଥିବା ଉତ୍ତେଜନାପୂର୍ଣ୍ଣ ଆନ୍ଦୋଳନ ଓ ଗଣ୍ଡଗୋଳ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଫେରାର ରହିବା ପରେ ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ପୁରୀରୁ ତାଙ୍କୁ କାବୁ କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ୩୮୦ଟି ଯାନବାହନକୁ ସିଜ୍ କରାଯାଇଛି।
ମାଷ୍ଟରକ୍ୟାଣ୍ଟିନଠାରେ ଅଟୋ ଚାଳକଙ୍କ ଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡର ନେତୃତ୍ୱ ଦୀନବନ୍ଧୁ ନେଇଥିଲେ। ଏହି ଘଟଣା ପରଠାରୁ ସେ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲେ। ତେବେ ଗିରଫ ହେବା ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ୧୪ ମିନିଟ୍ର ଭିଡିଓ ବାର୍ତ୍ତା ଜାରି କରି ସାଧାରଣ ଜନତାଙ୍କୁ କ୍ଷମା ମାଗିଥିଲେ। ସେଦିନର ଅଘଟଣ ପାଇଁ ଦୁଃଖ ପ୍ରକାଶ କରିବା ସହ ଏଥିରେ କୌଣସି ରାଜନୀତି ନାହିଁ ବୋଲି ସେ ସ୍ପଷ୍ଟୀକରଣ ଦେଇଥିଲେ। ଏହାସହ ନିଜ ହକ୍ ପାଇଁ ଡ୍ରାଇଭରମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ ବୋଲି ସେ ଭିଡିଓରେ ସଫେଇ ଦେଇଥିଲେ।
Also Read: ଛାତ୍ରୀଙ୍କୁ ଶିକ୍ଷକଙ୍କ ମାଡ଼ ଅଭିଯୋଗ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ପୋଲିସ ଓ ପରିବହନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ
ଏହି ମାଷ୍ଟରକ୍ୟାଣ୍ଟିନ୍ ଗଣ୍ଡଗୋଳ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଘଟଣାରେ ସମ୍ପୃକ୍ତ ୧୧୩ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇସାରିଛି। ଖାରବେଳନଗର ଥାନାରେ ୭ଟି ମାମଲା (FIR) ରୁଜୁ ହେବା ସହ ମୋଟ ୩୮୦ଟି ଗାଡ଼ିକୁ ଜବତ କରାଯାଇଛି। ଗଣ୍ଡଗୋଳରେ ସମ୍ପୃକ୍ତ ଟ୍ୟାକ୍ସି ଆସୋସିଏସନ୍ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଳାଇ ଦିଆଯାଇଛି।
ପୋଲିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଅଭିଯାନ କାଳରେ ସମୁଦାୟ ୩୮୦ଟି ଯାନବାହନକୁ ବାଜ୍ୟାପ୍ତ (Seize) କରାଯାଇଛି। ଏହା ସହିତ ନିୟମାବଳୀର ଖୋଲାଖୋଲି ଉଲ୍ଲଂଘନ କରିଥିବା ଗାଡ଼ିଗୁଡ଼ିକ ବିରୋଧରେ ବିଭିନ୍ନ ଧାରାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗାଡ଼ିର ପରମିଟ୍ ସର୍ତ୍ତାବଳୀ ଖିଲାପ କରିଥିବା ଅଭିଯୋଗରେ ୩୨୫ ଜଣଙ୍କୁ 'କାରଣ ଦର୍ଶାଅ ନୋଟିସ୍' (Show Cause Notice) ଜାରି କରାଯାଇଛି।
ପ୍ରଦୂଷଣ ପ୍ରମାଣପତ୍ର (PUCC), ବୈଧ ବୀମା (Insurance), ଫିଟ୍ନେସ୍ ସାର୍ଟିଫିକେଟ୍ (FC) ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପରମିଟ୍ ସଂକ୍ରାନ୍ତୀୟ କାଗଜପତ୍ର ନଥିବା କାରଣରୁ ୧୮୧ଟି ଇ-ଚାଲାଣ କଟାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୋଲିସ ଦ୍ୱାରା ଜବତ କରାଯାଇଥିବା ସମସ୍ତ ୩୮୦ଟି ଯାନବାହନ ବିରୋଧରେ ମୋଟର ଯାନ ଆଇନର (Motor Vehicles Act) ଧାରା ୨୦୧ ଅଧୀନରେ ଇ-ଚାଲାଣ ଜାରି କରାଯାଇଛି।
Source link
