Voice of Eastern India

ରିଷଭ ପନ୍ତଙ୍କ ସ୍ଥାନରେ IPLରେ କରିଥିଲେ ଏଣ୍ଟ୍ରି, ଏବେ ଦୁଷ୍କର୍ମ ଅଭିଯୋଗରେ ଫସିଲେ କ୍ରିକେଟର ? ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ !


କୋଲକାତା: ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଯୁବ ବ୍ୟାଟର ଅଭିଷେକ ପୋରେଲ ଏବେ ଭୟଙ୍କର ଭାବେ ଫସିଛନ୍ତି । ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ ଫସିଥିବା ଅଭିଷେକ ପୋରେଲଙ୍କୁ ଗିରଫ କରିବା ପାଇଁ କୋଲକାତା ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ତାଙ୍କର ସମସ୍ତ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଯେପରିକି ଫୋନ୍, ଲାପଟପ୍ ଆଦିକୁ ଜବତ କରିବାକୁ କୋର୍ଟ କହିଛନ୍ତି ।

ହୁଗୁଳି ଜିଲ୍ଲାର ମୋଗରା ପୋଲିସ ଜଣେ ମହିଳା ଏତଲା ଆଧାରରେ ଅଭିଷେକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୩ ମସିହାରେ ସମ୍ପର୍କରେ ଆସିବା ପରେ ପୋରେଲ ବିବାହର ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ତାଙ୍କର ବ୍ୟକ୍ତିଗତ ମୁହୂର୍ତ୍ତର ଭିଡିଓ ରେକର୍ଡ କରିନେଇଥିଲେ । ମହିଳାଙ୍କ ଏହି ଅଭିଯୋଗ ପରେ ଏବେ ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପୋରେଲ ଓ ତାଙ୍କର ଜଣେ ସହଯୋଗୀ ଫୋନ୍ କଲ୍ ଏବଂ ସୋସିଆଲ ମିଡିଆ ଜରିଆରେ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଉଥିଲେ । କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଅଭିଯୁକ୍ତଙ୍କ ଗିରଫଦାରୀ ଏବଂ ତାଙ୍କ ପାଖରେ ଥିବା ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଜବତ କରିବା ଅତ୍ୟନ୍ତ ଜରୁରି । ଯାହାଫଳରେ ଆପତ୍ତିଜନକ ଡାଟା ଆଉ କାହା ସହ ସେୟାର କରାଯାଇପାରିବ ନାହିଁ ।

ପୋରେଲଙ୍କୁ ଧରିବାରେ ପୋଲିସ ଏପର୍ଯ୍ୟନ୍ତ ବିଫଳ ହୋଇଥିବା କୋର୍ଟ ଲକ୍ଷ୍ୟ କରିଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଭିଷେକ ପୋରେଲ ପଶ୍ଚିମବଙ୍ଗର ଚନ୍ଦନନଗରର ବାସିନ୍ଦା ଏବଂ ବେଙ୍ଗଲ ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି ।

ପନ୍ତଙ୍କ ସ୍ଥାନରେ ଦଳରେ କରିଥିଲେ ଏଣ୍ଟ୍ରି

କାର ଦୁର୍ଘଟଣାରେ ଆହାତ ହୋଇଥିବା ରିଷଭ ପନ୍ତଙ୍କ ବିକଳ୍ପ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ ହେବା ପରେ ଅଭିଷେକ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ । ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ୱିକେଟ କିପିଂ ବଳରେ ସେ ଖୁବ୍ କମ୍ ସମୟ ମଧ୍ୟରେ ଜଣେ ପ୍ରତିଭାଶାଳୀ ଯୁବ ଖେଳାଳି ଭାବେ ନିଜର ପରିଚୟ ସୃଷ୍ଟି କରିଥଲେ ।

୨୦୦୨ ମସିହାରେ ଜନ୍ମଗ୍ରହଣ କରିଥିବା ଅଭିଷେକ ୨୦୨୨ ମସିହାରେ ବେଙ୍ଗଲ ପାଇଁ ଡେବ୍ୟୁ କରିଥିଲେ। ସେ ସେବେଠାରୁ ୩୨ଟି ପ୍ରଥମ ଶ୍ରେଣୀ (ରଣଜୀ ଟ୍ରଫି) ମ୍ୟାଚ୍, ୨୩ଟି ଲିଷ୍ଟ-ଏ (୫୦-ଓଭର) ମ୍ୟାଚ୍ ଏବଂ ୬୧ଟି ଟି-୨୦ ଖେଳିଛନ୍ତି । ଆଇପିଏଲରେ, ସେ ୨୦୨୩ ମସିହାରୁ ଦିଲ୍ଲୀ କ୍ୟାପିଟାଲ୍ସରେ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ୩୫ଟି ମ୍ୟାଚ୍ ଖେଳିଛନ୍ତି । ସେ ପ୍ରଥମ ଶ୍ରେଣୀ ମ୍ୟାଚରେ ୧୪୦୮, ଲିଷ୍ଟ-ଏରେ ୮୩୩ ଏବଂ ଟି-୨୦ରେ ୧୫୯୦ ରନ୍ କରିଛନ୍ତି ।

ଆଇପିଏଲରେ, ସେ ୨୦୨୩ରେ କେବଳ ତିନୋଟି ମ୍ୟାଚ୍ ଖେଳିଥିଲେ । ୨୦୨୪ରେ ସମସ୍ତ ୧୪ଟି ମ୍ୟାଚ୍ ଖେଳିଥିଲେ । ୨୦୨୫ରେ, ସେ ୧୩ଟି ମ୍ୟାଚ୍ ଖେଳିଥିଲେ କିନ୍ତୁ ଆଇପିଏଲ୍ ୨୦୨୬ରେ କେବଳ ତିନୋଟି ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଥିଲେ । ସିଜନ ପୂର୍ବରୁ ୪ କୋଟି ଟଙ୍କାରେ ରିଟେନ୍ ହୋଇଥିଲେ । ମୋଟ ଉପରେ, ସେ ୧୪୫ ଷ୍ଟ୍ରାଇକ୍ ରେଟ୍ ଏବଂ ୨୫ ହାରରେ ୭୬୯ ରନ କରିଛନ୍ତି ।

Source link



Source link

Leave A Reply

Your email address will not be published.