Voice of Eastern India

ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ


ପୁରୀ: ସ୍ନାନ ଯାତ୍ରା ପାଇଁ ଚୂଡ଼ାନ୍ତ ହୋଇଛି ବ୍ୟବସ୍ଥା । ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏନେଇ ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପୁରୀ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆଇଜି, ଏସପିଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି, ସ୍ନାନ ଯାତ୍ରାର ସମସ୍ତ ନୀତି ନିର୍ଦ୍ଧାରିତ ସମୟରେ ସମ୍ପାଦନ କରାଯିବ। ନୀତି ବହୁଳତା ଯୋଗୁଁ ଶନିବାର ଓ ରବିବାର କିଛି ସମୟ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ସେନାପଟା ଲାଗି ସମେତ ଅନ୍ୟାନ୍ୟ ବିଶେଷ ନୀତି ଥିବାରୁ ସାମୟିକ କଟକଣା ଜାରି କରାଯାଇଛି। ସ୍ନାନଯାତ୍ରା ଦିନର କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ସ୍ନାନ ପୂର୍ଣ୍ଣିମା ଦିନ ପହଣ୍ଡି ପ୍ରାତଃ ୫ ଟା ରୁ ୭ ଟା ମଧ୍ୟରେ ଆରମ୍ଭ ହେବ। ଏହାପରେ ଅନ୍ୟାନ୍ୟ ନୀତି ବଢ଼ିବ।’’

Also Read: ସ୍ନାନଯାତ୍ରା ପାଇଁ ଆକ୍ସନରେ ପୁରୀ ପୋଲିସ, ଜଗିବେ ୭୯ ପ୍ଲାଟୁନ୍‌ ଫୋର୍ସ, ନଜର ରଖିବ ୩୦୦ ସିସିଟିଭି

ସେ ଆହୁରି କହିଛନ୍ତି ‘‘ ରାଜ ନୀତି ଓ ଛେରାପହଁରା ଗଜପତି ମହାରାଜାଙ୍କ ଦ୍ୱାରା ଅପରାହ୍ନ ୩ ଟାରୁ ୩ ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ। ହାତୀ ବେଶ ଅପରାହ୍ନ ୪ ଟା ରୁ ୫ ଟା ମଧ୍ୟରେ ଠାକୁରମାନଙ୍କୁ ହାତୀ ବେଶରେ ସଜ୍ଜିତ କରାଯିବ। ସାହାଣ ମେଲା ସନ୍ଧ୍ୟା ୭ ଟା ରୁ ରାତି ୯ ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି। ହାତୀ ବେଶ ମଇଲମ ପରେ ଠାକୁର ମାନେ ବାହୁଡା ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିବେ। ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ସ୍ନାନ ମଣ୍ଡପ ସମ୍ମୁଖରେ ସ୍ୱତନ୍ତ୍ର ରାମ୍ପ୍ ନିର୍ମାଣ କରାଯାଇଛି। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରି ସ୍ନାନ ମଣ୍ଡପରେ ଦର୍ଶନ ସାରି ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଟିକେଟଧାରୀ ଶ୍ରଦ୍ଧାଳୁମାନେ କେବଳ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିପାରିବେ। ପ୍ରଶାସନ ପକ୍ଷରୁ ସମସ୍ତ ଭକ୍ତଙ୍କୁ ଶୃଙ୍ଖଳା ରକ୍ଷା କରି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Source link



Source link

Leave A Reply

Your email address will not be published.