ପୁରୀ: ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଗଲେ ଦାରୁଦିଅଁ। ଭଉଣୀ ସୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ରଙ୍କ ସହ ଶ୍ରୀମନ୍ଦିର ରତ୍ନବେଦୀରେ ବିରାଜିଛନ୍ତି ଜଗତରନାଥ ଜଗନ୍ନାଥ। ସୁଭଦ୍ର ଏବଂ ବଳଭଦ୍ର ଗୋଟି ପହଣ୍ଡିରେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଜଗନ୍ନାଥ ରସଗୋଲା ଖୁଆଇ ଦେବୀ ଲକ୍ଷ୍ମୀଙ୍କ ମାନଭଞ୍ଜନ କରି ନୀଳାଦ୍ରିବେଜ କରିଛନ୍ତି। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଶେଷ ହୋଇଛି। ଏହା ପରେ ଆସନ୍ତାକାଲି ବାହାରିବ ନୀଳାଚଲ ଅବଢା। ନୀଳାଦ୍ରିବିଜେ ପରେ ମଙ୍ଗଳବାରଠାରୁ ପୁଣି ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଉଠିବ ଓ ଭକ୍ତମାନେ ନୀଳାଚଳ ଅବଢ଼ା ପାଇପାରିବେ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁସାରେ ନୀଳାଦ୍ରିବିଜେ ନୀତି ଆରମ୍ଭ ହୋଇଥିଲା। ମୁଦିରସ୍ତ ସେବକ ତିନିରଥରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ବିଜେ କାହାଳୀ ବାଜିଥିଲା। ଘୋଷ ଘଣ୍ଟୁଆଙ୍କ ଘଣ୍ଟନାଦ ମଧ୍ୟରେ ଠାକୁରମାନେ ଗୋଟି ପହଣ୍ଡିରେ ରଥରୁ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। ପ୍ରଥମେ ମହାଜନ ସେବକମାନେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରୁ ଶ୍ରୀରାମକୃଷ୍ଣ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଶ୍ରୀମଦନମୋହନଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଇଥିଲେ।
ଏହା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରୁ ଚକ୍ରରାଜ ସୁଦର୍ଶନ, ତାଳଧ୍ୱଜ ରଥରୁ ପ୍ରଭୁ ବଳଭଦ୍ର ଶ୍ରୀମନ୍ଦିରକୁ ବିଜେ କରିଥିଲେ। ଏହାପରେ ବଳଭଦ୍ର ଗୋଟି ପହଣ୍ଡିରେ ଯାଇ ଶ୍ରୀମନ୍ଦିର ପ୍ରବେଶ କରିଥିଲେ। ପଛରେ ଆସିଥିଲେ ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବା ମାତ୍ରେ ମହାଲକ୍ଷ୍ମୀ ଭେଟମଣ୍ଡପକୁ ବିଜେ କରିଥିଲେ। ଭିତରସ୍ଥ ମହାପାତ୍ର ଭେଟମଣ୍ଡପରେ ମହାଲକ୍ଷ୍ମୀ ଏବଂ ମହାପ୍ରଭୁଙ୍କ ଭେଟ କରାଇଥିଲେ। ସେଠାରେ ବନ୍ଦାପନା ନୀତି ହୋଇଥିଲା। ନବଦିନାତ୍ମକ ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ସାଥିରେ ନେଇ ନ ଥିବାରୁ ସେ ଅଭିମାନ କରି ରହିଥିଲେ।
ତେଣୁ ମହାପ୍ରଭୁ ପହଣ୍ଡି ହୋଇ ସିଂହଦ୍ୱାର ନିକଟରେ ପହଞ୍ଚିବା ମାତ୍ରେ ମହାଲକ୍ଷ୍ମୀ ସିଂହଦ୍ୱାର କବାଟ ବନ୍ଦ କରି ଦେଇଥିଲେ। ସିଂହଦ୍ଵାରର ଜୟବିଜୟ ଦ୍ଵାରରେ ଠାକୁର ଏବଂ ଠାକୁରାଣୀଙ୍କ ମଧ୍ୟରେ ବଚନିକା ହୋଇଥିଲା। ଏହାକୁ ଲକ୍ଷ୍ମୀ-ନାରାୟଣ ବଚନିକା ବୋଲି କୁହାଯାଏ। ନୀତି ସରିବା ପରେ ଭଣ୍ଡାରଘର ନିକଟରେ ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ବିବାହ ଗଇଁଠାଳ ଫିଟିଥିଲା। ମହାପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେଇଥିଲେ। ଅନ୍ୟାନ୍ୟ ନୀତି ଶେଷ ପରେ ରତ୍ନସିଂହାସନକୁ ମହାପ୍ରଭୁ ବିଜେ କରିଛନ୍ତି। ଏହା ସହିତ ନୀଳିଦ୍ରିବିଜେ ନୀତି ସଂପନ୍ନ ହୋଇଛି।
