Voice of Eastern India

ସ୍ତ୍ରୀର ଜିମ୍‌ ଟ୍ରେନ୍‌ର ଘରେ ପଶି ସ୍ବାମୀକୁ ଭୁସିଲା ଛୁରୀ, ଗିରଫ ପରେ ବଡ଼ ଦାବି କଲା ଆକ୍ରମଣକାରୀ 


ନୂଆଦିଲ୍ଲୀ: ସ୍ତ୍ରୀର ଜିମ୍‌ ଟ୍ରେନର ଘରେ ପଶି ସ୍ବାମୀଙ୍କୁ ଛୁରା ମାଡ଼ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ସ୍ତ୍ରୀ ଜିମ୍‌ରେ ଥିବା ବେଳେ ଟ୍ରେନର ଘରେ ପଶି ସ୍ବାମୀଙ୍କୁ ଆକ୍ରମଣ କରିଛି । ଏହା ପରେ ସ୍ଥାନୀୟ ଲୋକେ ଆକ୍ରମଣକାରୀକୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି ।

ଉତ୍ତର ପ୍ରଦେଶର ଗାଜିଆବାଦସ୍ଥିତ ବସୁନ୍ଧରା ଅଞ୍ଚଳରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ।  ସୋମବାର ସକାଳେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ନିଜ ଘରେ ପଶି ସ୍ତ୍ରୀଙ୍କ ଜିମ୍ ଟ୍ରେନର୍ ଛୁରାମାଡ଼ କରି ଗୁରୁତର ଆହତ କରିଛି। ଘଟଣା ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତ ଟ୍ରେନର୍‌କୁ କାବୁ କରି ପୁଲିସକୁ ଦେଇଛନ୍ତି ।

ସୂଚନା ଅନୁଯାୟୀ, ସ୍ବାମୀ ଏବଂ ସ୍ତ୍ରୀ ଉଭୟ ଦିଲ୍ଲୀର ଏକ କେନ୍ଦ୍ରୀୟ ସରକାରୀ ବିଭାଗରେ ସିନିୟର ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟରତ। ସୋମବାର ସକାଳ ପ୍ରାୟ ୫:୩୦ ସମୟରେ ୩୨ ବର୍ଷୀୟା ସ୍ତ୍ରୀ ଜିମ୍‌କୁ ଯାଇଥିବା ବେଳେ ତାଙ୍କ ସ୍ୱାମୀ ଘରେ ଏକା ଥିଲେ। ସ୍ତ୍ରୀ ଜିମ୍‌କୁ ଯିବା ପରେ ତାଙ୍କ ୩୦ ବର୍ଷୀୟ ଜିମ୍ ଟ୍ରେନର୍ ପ୍ରତାପ ସିଂହ ସେମାନଙ୍କ ଫ୍ଲାଟ୍‌ରେ ପହଞ୍ଚିଥିଲା।

ଘରେ ଏକା ଥିବା ସ୍ୱାମୀଙ୍କୁ ସେ ଧାରୁଆ ଛୁରୀରେ ୨-୩ ଥର ଆକ୍ରମଣ କରି ଗୁରୁତର କରିଥିଲା। ଆକ୍ରମଣ ପରେ ଅଭିଯୁକ୍ତ ପ୍ରତାପ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଗୋଡ଼ାଇ କାବୁ କରି ନେଇଥିଲେ । ପରେ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ ।

 ଗୁରୁତର ଆହତ ସ୍ୱାମୀଙ୍କୁ ତୁରନ୍ତ ନିକଟସ୍ଥ ଏକ ସୁପର-ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ପୁଲିସ ସୂଚନା ଦେଇଛି। ଆହତ ବ୍ୟକ୍ତିଙ୍କ ଝାନ୍ସୀରେ ଥିବା ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ଲିଖିତ ଅଭିଯୋଗ ଆଧାରରେ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିବ।

ଘଟଣା ପଛରେ ଷଡ଼ଯନ୍ତ୍ର 

ଇନ୍ଦିରାପୁରମ୍ ସର୍କଲ୍ ଏସିପିଙ୍କ ଅନୁଯାୟୀ, ଜିମ୍ ଟ୍ରେନର୍ ପ୍ରତାପ ସିଂହ ପଚରାଉଚୁରା ସମୟରେ ବଡ଼ ବୟାନ ଦେଇଛି । 

ସେ ଦାବି କରିଛି ଯେ, ତାର ମହିଳାଙ୍କ ସହ ସଂପର୍କ ଅଛି । ଆଉ ଏହି ଆକ୍ରମଣ ଷଡ଼ଯନ୍ତ୍ର ପଛରେ ମହିଳାଙ୍କ ହାତ ରହିଛି । ସେ ମହିଳାଙ୍କୁ ବିବାହ କରିବା ଲାଗି ତାଙ୍କ ସ୍ବାମୀଙ୍କୁ ରାସ୍ତାରୁ ହଟାଇବାକୁ ଏହି ଆକ୍ରମଣ କରିଥିଲା । ସେପଟେ ପୁଲିସ ସଂପୃକ୍ତ ମହିଳାଙ୍କୁ ଡାକି ପଚରା ଉଚରା କରିଛି । କିନ୍ତୁ ସେ ଏହି ସବୁ ଦାବିକୁ ଖଣ୍ଡନ କରିଛନ୍ତି । ତେବେ ମହିଳାଜଣକ ୨୦୨୬ ଫେବ୍ରୁଆରୀ ମାସରୁ ସେହି ଜିମ୍‌କୁ ଯାଉଛନ୍ତି ।

 

Source link



Source link

Leave A Reply

Your email address will not be published.