ମୁମ୍ବାଇ : ବର୍ଷ ବର୍ଷ ଧରି ସମସ୍ତଙ୍କ ମନରେ ଗୋଟାଏ ଧାରଣା ରହିଆସିଛି ଯେ, ବଲିଉଡର ସୁପରହିଟ୍ ଫିଲ୍ମ ‘3 Idiots’ର ରାଞ୍ଚୋ କିମ୍ବା ଫୁନସୁଖ ୱାଙ୍ଗଡୁ ଚରିତ୍ର ଲଦାଖର ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଜୀବନରୁ ପ୍ରେରିତ। ଆଜି ପର୍ଯ୍ୟନ୍ତ ରାଞ୍ଚୋ ଚରିତ୍ରକୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ସହ ଯୋଡ଼ାଯାଉଥିଲା। କିନ୍ତୁ ଏବେ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀ ଓ ଲେଖକ ଅଭିଜାତ ଯୋଶୀ ଏହାକୁ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି, ରାଞ୍ଚୋ କୌଣସି ଜଣେ ବ୍ୟକ୍ତିଙ୍କ ଜୀବନ କାହାଣୀ ନୁହେଁ। ତେବେ କାହା ଉପରେ ନିର୍ମିତ ହୋଇଥିଲା ଏହି ଫିଲ୍ମ ଯାହାଙ୍କ ଚରିତ୍ରକୁ ଲୋକେ ଆଜି ବି ଭୁଲିପାରୁନାହାନ୍ତି ।
ପ୍ରାୟ ୧୭ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଆମିର ଖାନଙ୍କ ଫିଲ୍ମ ‘3 Idiots’ ପୁଣିଥରେ ଚର୍ଚ୍ଚାରେ । ଏହାର କାରଣ ହେଉଛି ଆମିର ଖାନଙ୍କ ଏକ ବୟାନ, ଯେଉଁଥିରେ ସେ ପ୍ରକାଶ କରିଥିଲେ ଯେ ତାଙ୍କ ଚରିତ୍ର ରାଞ୍ଚୋ, ଭାରତୀୟ ବୈଜ୍ଞାନିକ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଦ୍ୱାରା ଅନୁପ୍ରାଣିତ ନୁହେଁ । ତଥାପି, ଏପର୍ଯ୍ୟନ୍ତ ଏହା ବିଶ୍ୱାସ କରାଯାଉଥିଲା ଯେ ଫିଲ୍ମରେ ଆମିର ଖାନଙ୍କ ଦ୍ୱାରା ଅଭିନୀତ ଚରିତ୍ର ପ୍ରକୃତରେ ସୋନମ ୱାଙ୍ଗଚୁକଙ୍କ ଦ୍ୱାରା ଅନୁପ୍ରାଣିତ । ବର୍ତ୍ତମାନ, ଆମିରଙ୍କ ପ୍ରତ୍ୟାଖ୍ୟାନ ପରେ, ପ୍ରଶ୍ନ ଉଠୁଛି: ଆମିରଙ୍କ ରାଞ୍ଚୋ କିମ୍ବା ଫୁନସୁଖ ୱାଙ୍ଗଡୁ ଚରିତ୍ର କେଉଁଠାରୁ ଆସିଲା ଏବଂ ସେମାନଙ୍କୁ କିଏ ପ୍ରେରଣା ଦେଇଥିଲା ?
୨୦୦୯ ମସିହାରେ ରିଲିଜ ହୋଇଥିବା ‘3 Idiots’ କେବଳ ଏକ ସିନେମା ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥା ଓ ସଫଳତାର ସଂଜ୍ଞାକୁ ନେଇ ଏକ ନୂଆ ଚିନ୍ତାଧାରା ଆଣିଥିଲା। ଫିଲ୍ମର ମୁଖ୍ୟ ଚରିତ୍ର ରାଞ୍ଚୋ ତାଙ୍କ ଅଲଗା ଚିନ୍ତାଧାରା, ବିଜ୍ଞାନ ପ୍ରତି ଭଲପାଇବା ଓ ଜୀବନକୁ ଦେଖିବାର ଭିନ୍ନ ଦୃଷ୍ଟିକୋଣ ପାଇଁ ଦର୍ଶକଙ୍କ ମନ ଜିତିଥିଲା। ଫିଲ୍ମ ରିଲିଜ୍ ପରେ ଲୋକଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା ଯେ, ରାଞ୍ଚୋର ଚରିତ୍ର ଲଦାଖର ଇଞ୍ଜିନିୟର, ବୈଜ୍ଞାନିକ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଜୀବନରୁ ପ୍ରେରିତ। ବିଶେଷକରି ଫିଲ୍ମର ଶେଷ ଦୃଶ୍ୟରେ ଲଦାଖରେ ବସବାସ କରୁଥିବା ବୈଜ୍ଞାନିକ ‘ଫୁନସୁଖ ୱାଙ୍ଗଡୁ’ଙ୍କ ଚରିତ୍ର ଦେଖି ଏହି ଧାରଣା ଆହୁରି ଜୋର ଧରିଥିଲା। କିନ୍ତୁ ଏହି ବିବାଦ ଉପରେ ପୂର୍ଣ୍ଣଛେଦ ଲଗାଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ଓ ଲେଖକ । ସେମାନଙ୍କ କହିବା ଅନୁସାରେ, ରାଞ୍ଚୋ କୌଣସି ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ନୁହେଁ। ଏହି ଚରିତ୍ର ତିଆରି କରିବା ପାଇଁ ଅନେକ ଉଦ୍ଭାବକ, ଶିକ୍ଷାବିତ୍, ବୈଜ୍ଞାନିକ ଓ ସୃଜନଶୀଳ ଲୋକଙ୍କ ଚିନ୍ତାଧାରାରୁ ପ୍ରେରଣା ନିଆଯାଇଥିଲା।
ସୋନମ ୱାଙ୍ଗଚୁକ ମଧ୍ୟ ପୂର୍ବରୁ କହିଥିଲେ ଯେ, ଫିଲ୍ମ ସହ ତାଙ୍କ ଜୀବନର କିଛି ସମାନ ଥାଇପାରେ, କିନ୍ତୁ ରାଞ୍ଚୋ ସମ୍ପୂର୍ଣ୍ଣ ଭାବେ ତାଙ୍କ ଜୀବନ କାହାଣୀ ନୁହେଁ। ସେ ଏହା ମଧ୍ୟ କହିଥିଲେ ଯେ, ଏହି ବିଷୟରେ ସେ କେବେ ଫିଲ୍ମ ନିର୍ମାତାଙ୍କ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ନେଇନଥିଲେ। ‘3 Idiots’ ଆଜି ମଧ୍ୟ ଭାରତୀୟ ସିନେମାର ସବୁଠୁ ପ୍ରଭାବଶାଳୀ ଫିଲ୍ମମାନଙ୍କ ମଧ୍ୟରେ ଗଣାଯାଏ। ଫିଲ୍ମର ଏକ ଡାଇଲଗ —”ସଫଳତା ପଛରେ ନୁହେଁ, ଜ୍ଞାନ ପଛରେ ଦୌଡ଼। ସଫଳତା ନିଜେ ତୁମ ପଛରେ ଆସିବ” ଯାହା ଯୁବପିଢିଙ୍କ ପାଇଁ ଏକ ପ୍ରେରଣାଦାୟକ ହୋଇଛି । ରାଞ୍ଚୋ ଚରିତ୍ର କାହାର ଜୀବନୀ ହେଉ କି ନହେଉ, ତାଙ୍କ ବାର୍ତ୍ତା ଆଜି ସମାନ ଭାବେ ଲୋକଙ୍କୁ ପ୍ରେରଣା ଦେଇଛି ।
