Voice of Eastern India

ଏକ ସଙ୍ଗରେ ଇସ୍ତଫା ଦେଲେ JPSCର ୩ ସଦସ୍ୟ, ଏବେ ପଚରା ଉଚରା କରିବ CID


ରାଞ୍ଚୀ: ଝାଡଖଣ୍ଡ ଲୋକସେବା ଆୟୋଗ (ଜେପିଏସସି) ପରୀକ୍ଷାରେ କଥିତ ଗଡ଼ବଡ଼କୁ ନେଇ ଜାରି ବିବାଦ ମଧ୍ୟରେ ରବିବାର ଏକ ବଡ଼ ପ୍ରଶାସନିକ ଘଟଣାକ୍ରମ ସାମ୍ନାକୁ ଆସିଛି। ଜେପିଏସସିର ୩ ସଦସ୍ୟ ଡ.ଅଜିତା ଭଟ୍ଟଚାର୍ଯ୍ୟ, ଡ. ଅନିମା ହଁସଦା ଓ ଡ.ଜମାଲ ଅହମଦ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୩ଜଣ ସଦସ୍ୟ ସେମାନଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ସେମାନଙ୍କ ଇସ୍ତଫାର କାରଣ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ। ସେପଟେ ଚତୁର୍ଦ୍ଦଶ ଜେପିଏସସି ସିଭିଲ ସର୍ଭିସ ପ୍ରାରମ୍ଭିକ ପରୀକ୍ଷାରେ କଥିତ ଅନିୟମିତତାର ଯାଞ୍ଚ କରୁଥିବା ସିଆଇଡି ଏବେ ଏହି ସଦସ୍ୟମାନଙ୍କୁ ପଚରା ଉଚରା କରିବ ବୋଲି ଜଣାପଡିଛି।

ଅଧିକାରୀଙ୍କ ଅନୁସାରେ ସିଆଇଡି ସୋମବାର ସଦସ୍ୟମାନଙ୍କୁ ପଚରାଉଚରା ଆରମ୍ଭ କରିବ। ଏହି କ୍ରମରେ ସୋମବାର ଡା.ଅଜିତା ଭଟ୍ଟଚାର୍ଯ୍ୟଙ୍କୁ ପଚରାଉଚରା କରିବାକୁ ଥିବା ବେଳେ ମଙ୍ଗଳବାର ଅନିମା ହଁସଦା ଓ ବୁଧବାର ଜମାଲ ଅହମ୍ମଦଙ୍କୁ ପଚରାଉଚରା କରାଯିବ। ଯଦି ଆବଶ୍ୟକ ପଡେ ଯାଞ୍ଚ ଏଜେନ୍ସୀ ସେମାନଙ୍କୁ ଦ୍ୱିତୀୟବାର ମଧ୍ୟ ପଚରାଉଚରା ପାଇଁ ଡକାଇ ପାରେ। ଏହି ଯାଞ୍ଚ କାଳରେ ପରୀକ୍ଷା ପ୍ରକ୍ରିୟା, ଆୟୋଗ ସ୍ତରରେ ନିଆଯାଉଥିବା ନିଷ୍ପତ୍ତି ଓ କଥିତ ଅନିୟମିତତା ସମ୍ପର୍କିତ ପ୍ରଶ୍ନ ପଚରା ଯାଇପାରେ।

ନିକଟରେ ହୋଇଥିବା ଜେପିଏସସି ପରୀକ୍ଷାମାନଙ୍କରେ କଥିତ ଗଡ଼ବଡ଼ିକୁ ନେଇ ପ୍ରାର୍ଥୀମାନେ ଲଗାତାର ଆନ୍ଦୋଳନ କରୁଛନ୍ତି। ବିକ୍ଷୋଭ କରୁଥିବା ପ୍ରାର୍ଥୀମାନେ ପରୀକ୍ଷା ପ୍ରକ୍ରିୟାର ନିରପେକ୍ଷତା ଓ ପାରଦର୍ଶି ଯାଞ୍ଚ ଦାବି କରୁଛନ୍ତି। ଏପରି ସମୟରେ ଆୟୋଗଙ୍କ ୩ ଜଣ ସଦସ୍ୟ ଗୋଟିଏ ଦିନରେ ଇସ୍ତଫା ଦେବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ମନେ କରାଯାଉଛି। ଏହି ମାମଲାର ଯାଞ୍ଚରେ ସିଆଇଡି ଜେପିଏସସିର ପୂର୍ବତନ ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡ ସରକାରଙ୍କ ପୂର୍ବତନ ମୁଖ୍ୟ ସଚିବ ଏଲ.ଖିୟାଙ୍ଗତେଙ୍କୁ ୪ ରାଉଣ୍ଡ ପଚରାଉଚରା କରିସାରିଲାଣି।

ତାଙ୍କୁ ପରୀକ୍ଷା ଓ ଆୟୋଗସ୍ତରରେ ନିଆଯାଉଥିବା ନିଷ୍ପତ୍ତି ସମ୍ପର୍କିତ ଅନେକ ପ୍ରଶ୍ମ କରାଯାଇଛି। ଯାଞ୍ଚ ଏଜେନ୍ସୀ ଏବେ ମାମଲାରେ ଆୟୋଗର ଅନ୍ୟ ଦାୟିତ୍ୱସମ୍ପନ୍ନ ଅଧିକାରୀଙ୍କଠାରୁ ସୂଚନା ସଂଗ୍ରହ କରୁଛି।

ଏହା ପୂର୍ବରୁ ଶନିବାର ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରେ କାମ କରୁଥିବା କମ୍ପ୍ୟୁଟର ଅପରେଟର ଧର୍ମେନ୍ଦ୍ର କୁମାର ଓ ପରୀକ୍ଷା ସଞ୍ଚାଳନ କରୁଥିବା ଏଜେନ୍ସୀ ଟିଏସଆର ଡାଟା ପ୍ରୋସେସିଂ ପ୍ରାଇଭେଟ ଲିମିଟେଡ (ଟିଡିପିଏଲ) ଆକାଉଣ୍ଟାଣ୍ଟ ରକ୍ଷକ ସିଂହଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ଦୁଇ ଦିନ ହେଲା ପଚରା ଉଚରା ଚଳାଇଛି। ସିଆଇଡି ଉଭୟଙ୍କୁ ପରୀକ୍ଷା ପ୍ରକ୍ରିୟା, କଥିତ ଅନିୟମିତତା ଓ ଏ ସମ୍ପର୍କିତ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ନେଇ ସୂଚନା ସଂଗ୍ରହ କରୁଛି। ଯାଞ୍ଚ ଏଜେନ୍ସୀର ତଦନ୍ତ କାଳରେ ଯେଉଁ ତଥ୍ୟ ମିଳୁଛି ସେହି ଅନୁସାରେ ଯାଞ୍ଚ ଆଗକୁ ଆଗଉଛି।

Source link



Source link

Leave A Reply

Your email address will not be published.