ଭୁବନେଶ୍ୱର: ମୋଡିଫାଏଡ୍ ସାଇଲେନ୍ସର ଲଗାଇ ରାସ୍ତାରେ ଅତ୍ୟଧିକ ଶବ୍ଦ କରୁଥିବା ଗାଡ଼ି ଚାଳକଙ୍କ ଉପରେ ଏବେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ। ଏଭଳି ଗାଡ଼ି ବିରୋଧରେ ପଦକ୍ଷେପ ନେବାକୁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛି ପୋଲିସ।
ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଗାଡ଼ିରୁ ଅତ୍ୟଧିକ ଶବ୍ଦ କରିବା ଦ୍ୱାରା ଶବ୍ଦ ପ୍ରଦୂଷଣ ବଢ଼ିବା ସହ ସାଧାରଣ ଲୋକଙ୍କ ସମସ୍ୟା ହେଉଛି। ବିଶେଷକରି ରାତି ସମୟରେ ଏଭଳି ଗାଡ଼ିର ତୀବ୍ର ଶବ୍ଦ ଲୋକଙ୍କୁ ଅସୁବିଧାରେ ପକାଉଛି। ଏହାକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ନିଆଯାଇଛି କଡ଼ା ପଦକ୍ଷେପ।
ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ, ଆଇନ ଉଲ୍ଲଂଘନ କରି ଅତ୍ୟଧିକ ଶବ୍ଦ କରୁଥିବା କୌଣସି ଗାଡ଼ି ନଜରକୁ ଆସିଲେ ତାହାର ସୂଚନା ପୋଲିସକୁ ଦିଅନ୍ତୁ।
ଏଥିପାଇଁ ପୋଲିସ ପକ୍ଷରୁ ଏକ ହ୍ଵାଟ୍ସଆପ୍ ନମ୍ବର – ୮୨୮୦୩ ୩୮୩୦୨ ଜାରି କରାଯାଇଛି। ଲୋକେ ମୋଡିଫାଏଡ୍ ସାଇଲେନ୍ସର ଲାଗିଥିବା ଗାଡ଼ିର ଫଟୋ କିମ୍ବା ଭିଡିଓ ସହ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ଏହି ନମ୍ବରରେ ପଠାଇପାରିବେ।
also read- ବାପା-ମାଆଙ୍କ ଆକୁଳ ନିବେଦନ, ୪ ଦିନ ହେଲା ହଜିଯାଇଛି ମୋ ପୁଅ…
ପୋଲିସ କହିଛି, ମିଳୁଥିବା ସୂଚନା ଆଧାରରେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିସହ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପୋଲିସ ପକ୍ଷରୁ ଆଶ୍ୱାସନ ଦିଆଯାଇଛି।
ତେଣୁ, ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଅତ୍ୟଧିକ ଶବ୍ଦ କରୁଥିବା ଗାଡ଼ି ଦେଖିଲେ ଚୁପ୍ ନରହି ଫଟୋ କିମ୍ବା ଭିଡିଓ ସହ ରେଜିଷ୍ଟ୍ରେସନ୍ ନମ୍ବର ପଠାଇ ପୋଲିସକୁ ସୂଚନା ଦେବାକୁ କମିଶନରେଟ୍ ପୋଲିସ ଅନୁରୋଧ କରିଛି।
