କୋଲକାତା,୧୩/୦୮:ପଶ୍ଚିମବଙ୍ଗ ଏସଟିଏଫ୍ ବୁଧବାର ଭାରତ-ବାଂଲାଦେଶ ସୀମାରୁ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ରାଣା ରୌଫଙ୍କୁ ଗିରଫ କରିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ତାଙ୍କର ସଂପର୍କ ଥିବା କୁହାଯାଉଛି।
ଏସଟିଏଫ୍ ଅନୁସାରେ,ରୌଫ୍ ମୂଳତଃ ପାକିସ୍ତାନ ଫେସଲାବାଦର ବାସିନ୍ଦା। ନେପାଳରେ ସେ କୋଲକାତାର ଜଣେ ବଢେଇଙ୍କୁ ଭେଟିଥିଲେ। ବଢ଼େଇଜଣକ ତାଙ୍କ ଲାଗି ଭୋଟର କାର୍ଡ ଏବଂ ଆଧାର କାର୍ଡ ସମେତ ଜାଲ୍ ଭାରତୀୟ ଦସ୍ତାବିଜ ପ୍ରସ୍ତୁତ କରାଇଥିଲେ । ଏହାପରେ ୨୦୧୨ରେ ରୌଫ୍ ନେପାଳ ରାସ୍ତା ଦେଇ ଭାରତ ଆସିଥିଲେ। ପଶ୍ଚିମବଙ୍ଗ ନର୍ଥ ଚବିଶ ପ୍ରଗଣାର ବଙ୍ଗାଓଁରେ ବହାବ ଆଲମ ନାଁରେ ରହୁଥିଲେ।
Also Read :- ଅବପାତର ରୂପ ନେବ ଲଘୁଚାପ, ବିପଦରେ ଏହି ସବୁ ଜିଲ୍ଲା
ରୌଫଙ୍କ ସଂପର୍କରେ ଗୋପନ ସୂଚନା ପାଇବା ପରେ ଏସଟିଏଫ୍ ପକ୍ଷରୁ ତଲାସୀ ଅଭିଯାନ ଚଳାଯାଇ ତାଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ତଦନ୍ତରୁ ରୌଫ୍ ବରିଷ୍ଠ ଭାରତୀୟ ଅଧିକାରୀଙ୍କ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନ ପଠାଇଥିବା ଜଣାପଡ଼ିଛି। ସେ ମଧ୍ୟ ବିଭିନ୍ନ ଟ୍ରେନ୍ର ଗତିବିଧି ସଂପର୍କିତ ତଥ୍ୟ ଏକତ୍ରିତ କରୁଥିଲେ।
ଏହାପୂର୍ବରୁ ମଙ୍ଗଳବାର ଏସଟିଏଫ୍ ଗେପାସିୟାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ତାଙ୍କର ରୌଫଙ୍କ ସହ ସିଧା ସଂପର୍କ ଥିଲା । ସେ ରୌଫଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ କରିଥିଲେ। ଏପରିସ୍ଥଳେ ଉଭୟଙ୍କ ସହ ଆଉ କେଉଁମାନେ ଯୋଗାଯୋଗରେ ଥିଲେ ତାହା ଜାଣିବାକୁ ତଦନ୍ତ ଜାରି ରହିଛି।
