କଲୋମ୍ବୋ,୧୫/୦୮:ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେଶନିବାରଠୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପହଞ୍ଚିବାକୁ ହେଲେ ଏହି ସିରିଜ ଉଭୟ ଦଳ ପାଇଁ ଶେଷ ସୁଯୋଗ ହେବ। ତେଣୁ ଉଭୟ ଦଳ ୨-୦ରେ ସିରିଜ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିବେ। ଘରୋଇ ଗ୍ରାଉଣ୍ଡରେ ବିଦେଶୀ ସ୍ପିନରଙ୍କ ଦ୍ବାରା ଧରାଶାୟୀ ହୋଇଥିବା ଭାରତୀୟ ଦଳ ଶ୍ରୀଲଙ୍କାର ସ୍ପିନ ଭୂସ୍ବର୍ଗରେ ଅସଲ ପରୀକ୍ଷାର ସମ୍ମୁଖୀନ ହେବ।ଏହାକୁଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଥିବାରୁ ଏହି ସିରିଜ ବେଶ୍ ରୋମାଞ୍ଚପୂର୍ଣ୍ଣ ହେବା ଏକ ପ୍ରକାର ନିଶ୍ଚିତ। ଉଭୟ ଶୁଭମନ ଗିଲ ଓ ଗୌତମ ଗମ୍ଭୀର ପୂର୍ବ ତ୍ରୁଟିରୁ କେତେ ଶିକ୍ଷା ଲାଭ କରିଛନ୍ତି ତାହାସିରିଜରେ ଜଣା ପଡିବ ।
ପ୍ରଥମ ଟେଷ୍ଟ ସହ ଶୁଭମନ ଗିଲଙ୍କ ନାମରେ ଏକ ରେକର୍ଡଯୋଡ଼ି ହେବ। ତାଙ୍କ ନେତୃତ୍ୱରେ ଭାରତ ୬୦୦ତମ ଟେଷ୍ଟ ଖେଳିବାକୁ ଯାଉଛି। କେବଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ୬୦୦ ଟେଷ୍ଟ ମାଇଲଖୁଣ୍ଟ ଅତିକ୍ରମ କରିସାରିଛନ୍ତି। ବର୍ତ୍ତମାନର ଦଳରୁ କେବଳ ରବିନ୍ଦ୍ର ଜାଡ଼େଜା ୨୦୧୭ ଶ୍ରୀଲଙ୍କା ଗସ୍ତ ସମୟରେ ଟେଷ୍ଟ ଖେଳିଥିଲେ। ବାକି ସବୁ ଖେଳାଳି ପ୍ରଥମ କରି ଶ୍ରୀଲଙ୍କା ମାଟିରେ ଟେଷ୍ଟ ମ୍ୟାଚ ଖେଳିବେ।
ଶ୍ରୀଲଙ୍କାର ଟପ୍ ଖେଳାଳି
ପଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ ଆହତ ହୋଇ ଦଳରୁ ବାଦ ପଡ଼ିଥିବାରୁ ଶ୍ରୀଲଙ୍କାର ବ୍ୟାଟିଂ ବିଭାଗ ମୁଖ୍ୟତଃ ଦିନେଶ ଚାନ୍ଦିମଲ,କାମିଣ୍ଡୁ ମେଣ୍ଡିସ ଓ ଧନଞ୍ଜୟ ଡି ସିଲଭାଙ୍କ ଉପରେ ନିର୍ଭର କରିବ। ବାକି କାର୍ଯ୍ୟ ସ୍ପିନ ବିଭାଗ ତୁଲାଇବ। କିଙ୍ଗ ଅଫ ଗାଲେ ନାମରେ ପରିଚିତ ପ୍ରବଥ ଜୟସୂରିୟା ଟେଷ୍ଟ କ୍ରିକେଟ୍ରେ ମୋଟ୍ ୧୨୫ଟି ୱିକେଟ୍ ଅର୍ଜନ କରିସାରିଛନ୍ତି। ଏଥୁରୁ କେବଳ ଗାଲେ ଗ୍ରାଉଣ୍ଡ୍ରେ ରହିଛି ୮୧ଟି ୱିକେଟ୍। ରମେଶ ମେଣ୍ଡିସ ମଧ୍ଯ ଗାଲେରେ ୬୪ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି।
ଭାରତର ସ୍ପିନ୍ ଆଟାକ୍
ଭାରତ ୩ ଜଣ ସ୍ପିନର ନେଇ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯୋଜନା କରୁଛି। ଦୁଇ ବାମହାତୀ ସ୍ପିନର ଜାଡ଼େଜା ଓ ମାନବ ସୂତାର ଏକାଦଶରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ତୃତୀୟ ସ୍ପିନର ସ୍ଥାନ ପାଇଁ କୁଲଦୀପ ଯାଦବ ଓ ସାରାଂଶ ଜୈନଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ୱିତା ହେବ। ଯୁବ ପେସ୍ ବୋଲର ଗୁରନୁର ବ୍ରାର୍ ମଧ୍ୟ ପଦାର୍ପଣ କରିବାର ସମ୍ଭାବନା ରହିଛି।
Also Read :- ସ୍ୱାଧୀନତାକୁ ୮୦ ବର୍ଷ…ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ
ଭାରତର ବ୍ୟାଟିଂ ବିଭାଗ ଏକ ପ୍ରକାର ଚୂଡ଼ାନ୍ତ ହୋଇ ସାରିଛି। ଆହତ ସାଇ ସୁଦର୍ଶନଙ୍କ ସ୍ଥାନରେ ଦେବଦତ୍ତ ପାଡ଼ିକଲ ୩ନଂ ସ୍ଥାନରେ ବ୍ୟାଟିଂ କରିବେ। ୬ନଂ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ଅଗ୍ରାଧିକାର ମିଳିବ। ଫଳରେ ସର୍ପରାଜ ଖାନ ଏକାଦଶକୁ ଫେରିବା ସମ୍ଭାବନା ନାହିଁ । ଗାଲେ ପିଚ୍ ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା କରିଆସୁଛି । ମାତ୍ର ଏଥର ପିଚରେ ସାମାନ୍ୟ ପରିବର୍ତ୍ତନ ଦେଖୁବାକୁ ମିଳିପାରେ। ପିଚକୁ ସାମାନ୍ୟ ବ୍ୟାଟିଂ ଉପଯୋଗୀ କରାଯାଇଛି। ପାଗ ସମ୍ପୂର୍ଣ ଶୁଖୁଲା ରହିଲେ ଦ୍ଵିତୀୟ ଦିବସ ଅପରାହ୍ନରୁ ପିଚ ସ୍ପିନରଙ୍କୁ ସହାୟତା କରିବ । ମାତ୍ର ସମୁଦ୍ର କୂଳରେ ଷ୍ଟାଡ଼ିୟମ୍ ରହିଥିବାରୁ ମଝିରେ ମଝିରେ ବର୍ଷା ଯୋଗୁଁ ମ୍ୟାଚ ଅଟକି ପାରେ। ପ୍ରାରମ୍ଭରୁ ପିଚ୍ ବ୍ୟାଟିଂ ଉପଯୋଗୀ ରହିବ। ତେଣୁ ଟସ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରିବା ଏକ ପ୍ରକାର ନିଶ୍ଚିତ।
