Voice of Eastern India

Earthquake: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା; ରିକ୍ଟର ସ୍କେଲରେ ତୀବ୍ରତା ୭.୭ ରେକର୍ଡ, ୨ ମୃତ, ସୁନାମୀ ଆଲର୍ଟ


ନୂଆଦିଲ୍ଲୀ ୧୫।୦୮; ଇଣ୍ଡୋନେସିଆରେ ପୁଣି ଥରେ ପ୍ରକୃତିର ତାଣ୍ଡବ । ଆଜି ସକାଳୁ ଭୟଙ୍କର ଭୂକମ୍ପରେ ଥରିଲା ଦେଶ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୭.୭ ମ୍ୟାଗ୍ନିଚ୍ୟୁଡ୍ । ଭୂକମ୍ପର କେନ୍ଦ୍ର ସମୁଦ୍ର ଭିତରେ ଥିବା ବେଳେ, ଏହାର ଗଭୀରତା ଥିଲା ମାତ୍ର ୧୫ କିଲୋମିଟର । ତେଣୁ ଝଟକା ଅତ୍ୟନ୍ତ ଶକ୍ତିଶାଳୀ ଥିବା କୁହାଯାଉଛି । ସ୍ଥାନୀୟ ସମୟ ଭୋର ପ୍ରାୟ ୪ଟା ୫୮ ମିନିଟ୍ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରାୟ ଏକ ମିନିଟ୍ ଧରି ଭୂମି ଥରିଥିବା କହିଛନ୍ତି ସ୍ଥାନୀୟ ଲୋକ। ନାଗେକିଓ ଓ ବିମା ସମେତ ଅନେକ ଅଞ୍ଚଳରେ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି ।

ଭୂକମ୍ପ ପରେ ସ୍ଥିତି ଆହୁରି ଭୟଙ୍କର ହୋଇଥିଲା । କାରଣ ସମୁଦ୍ର ଭିତରେ ଭୂକମ୍ପ ହୋଇଥିବାରୁ ସୁନାମି ଆଶଙ୍କା ଦେଖାଦେଇଥିଲା। ଇଣ୍ଡୋନେସିଆର ଭୂବିଜ୍ଞାନ ସଂସ୍ଥା BMKG କିଛି ଅଞ୍ଚଳ ପାଇଁ ସୁନାମି ଚେତାବନୀ ଜାରି କରିଥିଲା। ଉପକୂଳ ଅଞ୍ଚଳରେ ସୁନାମି ଢେଉ ମଧ୍ୟ ପହଞ୍ଚିଥିବା ଖବର ମିଳିଛି। ତେବେ କିଛି ଘଣ୍ଟା ପରେ ସୁନାମି ଚେତାବନୀ ପ୍ରତ୍ୟାହାର କରାଯାଇଥିଲା ।

ଏହି ଭୂକମ୍ପରେ ଅତିକମରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମାଉମେରେ ବନ୍ଦର ଅଞ୍ଚଳରେ ଏକ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିଥିବା ଭିଡିଓ ସାମ୍ନାକୁ ଆସିଛି । ଲୋକେ ଭୟରେ ରାସ୍ତାକୁ ଦୌଡ଼ି ଆସିଥିଲେ । ଏଣେ ଏଣ୍ଡେ ଜିଲ୍ଲାର ଏକ ହସ୍ପିଟାଲରୁ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ବାହାର କରାଯାଇଥିଲା । ଭୂକମ୍ପ ପରେ ଏକାଧିକ ଆଫ୍ଟରଶକ୍ ମଧ୍ୟ ଅନୁଭୂତ ହୋଇଛି । ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ କ୍ଷୟକ୍ଷତି ଆକଳନ ଜାରି ରହିଛି। ସେପଟେ ଅଷ୍ଟ୍ରେଲିଆର ସୁନାମି ଚେତାବନୀ କେନ୍ଦ୍ର କହିଛି, ଏହି ଭୂକମ୍ପ ଯୋଗୁଁ ଅଷ୍ଟ୍ରେଲିଆ ମୁଖ୍ୟଭୂମି କିମ୍ବା ଏହାର ଦ୍ୱୀପପୁଞ୍ଜ ପାଇଁ କୌଣସି ସୁନାମି ବିପଦ ନାହିଁ ।

Source link



Source link

Leave A Reply

Your email address will not be published.