ମୁମ୍ବାଇ : ବଲିଉଡର ଭାଇଜାନ୍ ସଲମାନ ଖାନ୍ ଓ ସାଉଥ୍ ସୁନ୍ଦରୀ ନୟନତାରାଙ୍କ ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏବେଠୁ ଜୋରଦାର ଚର୍ଚ୍ଚା । ଫିଲ୍ମର କାହାଣୀଠାରୁ ଆରମ୍ଭ କରି କାଷ୍ଟିଂ ପର୍ଯ୍ୟନ୍ତ ପ୍ରତ୍ୟେକ ଅପଡେଟ୍ ଫ୍ୟାନ୍ସଙ୍କ ଉତ୍ସାହ ବଢ଼ାଇଛି । ଆଉ ଏବେ ଫିଲ୍ମରେ ଆଉ ଦୁଇ ଜଣ ଅଭିନେତାଙ୍କ ଏଣ୍ଟ୍ରି ଖବର ସାମ୍ନାକୁ ଆସିବା ପରେ ଫିଲ୍ମକୁ ନେଇ ବଢିଛି କ୍ରେଜ ।
ସଲମାନ ଓ ନୟନତାରାଙ୍କ ଏହି ଅନଟାଇଟଲ୍ଡ ଫିଲ୍ମକୁ ଏବେ ଅସ୍ଥାୟୀ ଭାବେ ‘SVC 63’ ବୋଲି କୁହାଯାଉଛି। ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଉଛନ୍ତି ଭାମ୍ସି ପୈଡିପଲ୍ଲୀ ଏବଂ ପ୍ରଯୋଜନା କରୁଛନ୍ତି ଦିଲ୍ ରାଜୁ । ଫିଲ୍ମଟି ୨୦୨୭ ଇଦରେ ରିଲିଜ୍ ହେବା ନେଇ ଯୋଜନା ରହିଛି । ମିଳିଥିବା ଅପଡେଟ୍ ଅନୁସାରେ, ‘ସ୍ପେଶାଲ୍ ଅପ୍ସ’ ଫେମ୍ ‘ମୁଜାମିଲ୍ ଇବ୍ରାହିମ୍’ ଫିଲ୍ମରେ ନୂଆ ଯୋଗ ଦେଇଛନ୍ତି ଏବଂ ସେ ସୁଟିଂ ମଧ୍ୟ ଆରମ୍ଭ କରିସାରିଛନ୍ତି। ତେବେ ତାଙ୍କ ଚରିତ୍ର ବିଷୟରେ ମେକର୍ସମାନେ ଏପର୍ଯ୍ୟନ୍ତ ଗୋପନୀୟତା ବଜାୟ ରଖିଛନ୍ତି। ଅଭିନେତା ନିଜେ ସଲମାନଙ୍କ ସହ କାମ କରିବାକୁ ନିଜ କ୍ୟାରିୟରର ଏକ ବଡ଼ ମୁହୂର୍ତ୍ତ ବୋଲି କହିଛନ୍ତି।
ଏହା ସହ ‘ଚକ୍ ଦେ ! ଇଣ୍ଡିଆ’ ଫେମ୍ ସାଗରିକା ଘାଟଗେ ମଧ୍ୟ ଫିଲ୍ମର କାଷ୍ଟରେ ସାମିଲ ହୋଇଥିବା ଖବର ସାମ୍ନାକୁ ଆସିଛି । ସେ ମୁମ୍ବାଇ ସୁଟିଂ ସ୍କେଡ୍ୟୁଲରେ ଯୋଗ ଦେଇଛନ୍ତି। ତେବେ ତାଙ୍କ ଭୂମିକାକୁ ନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଫିଲ୍ମରେ ଜ୍ୟାକି ଶ୍ରଫ୍ଙ୍କ ଭୂମିକାକୁ ନେଇ ରହିଛି ବଡ଼ ଅପଡେଟ୍ । ସେ ଫିଲ୍ମର ଭିଲେନ୍ ଭୂମିକାରେ ନଜର ଆସିବେ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି । ଫିଲ୍ମର ନେଗେଟିଭ୍ ରୋଲ୍ ପାଇଁ ରାହୁଲ ଦେବ ଓ ଅନ୍ୟ କଳାକାରଙ୍କୁ ନିଆଯାଇଥିବା ସୂଚନା ମିଳିଛି । ଏପଟେ ସଲମାନ-ନୟନତାରାଙ୍କ ଏହି ଫିଲ୍ମର ଟାଇଟଲ୍ ‘Monster’ ହୋଇପାରେ ବୋଲି ରିପୋର୍ଟ ସାମ୍ନାକୁ ଆସିଛି।
ତେବେ ଏପର୍ଯ୍ୟନ୍ତ ମେକର୍ସଙ୍କ ପକ୍ଷରୁ ଫିଲ୍ମର କାଷ୍ଟ ଏବଂ ଟାଇଟଲ୍ର ଅଫିସିଆଲ୍ ଘୋଷଣା ହୋଇନାହିଁ । ସଲମାନ ଖାନ୍ ଓ ନୟନତାରାଙ୍କ ପ୍ରଥମ ସ୍କ୍ରିନ୍ କୋଲାବରେସନ୍ ସହ ଏହି ଷ୍ଟାର୍-ଷ୍ଟଡେଡ୍ କାଷ୍ଟ ଫିଲ୍ମ ପ୍ରତି ଦର୍ଶକଙ୍କ କ୍ରେଜ ବଢିଚାଲିଛି । ଏବେ ସମସ୍ତଙ୍କ ନଜର ରହିଛି ଫିଲ୍ମର ଫାର୍ଷ୍ଟ ଲୁକ୍, ଟାଇଟଲ୍ ଏବଂ କାଷ୍ଟଗୁଡ଼ିକର ଅଫିସିଆଲ୍ ଘୋଷଣା ଉପରେ।
