Voice of Eastern India

ପସନ୍ଦ ଆସିଲାନି ଶ୍ଵଶୁର ଘର ! ସ୍ତ୍ରୀ ସହ ଝଗଡା ପରେ ଜଘନ୍ୟ କାଣ୍ଡ, ଶାଶୂ ସହ ୭ ଜଣଙ୍କୁ ମାରିଦେଲା ଜ୍ବାଇଁ


ନୂଆଦିଲ୍ଲୀ ୦୬।୧୧; ପାରିବାରିକ କଳହରୁ ଭୟଙ୍କର ହତ୍ୟା ! ରକ୍ତର ସମ୍ପର୍କକୁ ଭୁଲିଗଲା ଜଣେ ସ୍ୱାମୀ । ସ୍ତ୍ରୀ ସମେତ ଶ୍ୱଶୁର ଘରର ୭ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ । ବେଙ୍ଗାଲୁରୁରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା । ଅଭିଯୁକ୍ତ କ୍ୟାବ୍ ଡ୍ରାଇଭର ଇନ୍ଦୁଶେଖର । ମୃତକଙ୍କ ମଧ୍ୟରେ ଅଛନ୍ତି ତାଙ୍କ ସ୍ତ୍ରୀ, ଶାଶୁ, ଦୁଇ ଶଳା, ଦୁଇ ଯାଆ ଏବଂ ୭ ବର୍ଷର ଶିଶୁ । ହତ୍ୟା ପରେ ମୃତଦେହଗୁଡ଼ିକୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ବର୍ତ୍ତମାନ ପୋଲିସ ନନ୍ଦୀ ହିଲ୍ସ ନିକଟରୁ ଶିଶୁର ମୃତଦେହ ଉଦ୍ଧାର କରିଛି । ଅନ୍ୟ ୬ ଜଣଙ୍କ ମୃତଦେହ ଖୋଜା ଚାଲିଛି ।

ଅଭିଯୁକ୍ତ କ୍ୟାବ୍ ଡ୍ରାଇଭର ଇନ୍ଦୁଶେଖର । ପୋଲିସର ସୂଚନା ଅନୁସାରେ, ପ୍ରଥମେ ନିଜ ସ୍ତ୍ରୀ ସୁନୀତାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଏହାପରେ ଶ୍ୱଶୁର ଘରର ଲୋକଙ୍କୁ ଭୋଜି ଖାଇବା ପାଇଁ ନିଜ ଘରକୁ ଡାକିଥିଲା । ଦୁଇ ଶଳା ଓ ସେମାନଙ୍କ ପରିବାର ଘରେ ପହଞ୍ଚିବା ପରେ ସେମାନଙ୍କୁ ମଧ୍ୟ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତ ଶିଳପୁଆରେ ଆକ୍ରମଣ କରି ସମସ୍ତଙ୍କୁ ହତ୍ୟା କରିଥିବା କୁହାଯାଉଛି । ପରେ ନିଜ କାର୍ରେ ମୃତଦେହଗୁଡ଼ିକୁ ବିଭିନ୍ନ ସ୍ଥାନକୁ ନେଇ ଫିଙ୍ଗି ଦେଇଥିଲା । ଏପରିକି ପ୍ରମାଣ ନଷ୍ଟ କରିବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରିଥିବା ମଧ୍ୟ ତଦନ୍ତରୁ ସନ୍ଦେହ କରାଯାଉଛି । ତେବେ କାହିଁକି ଏତେ ବଡ଼ ଜଘନ୍ୟ କାଣ୍ଡ ଘଟାଇଲା ଅଭିଯୁକ୍ତ ? ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସ୍ତ୍ରୀ ସୁନୀତା ନିଜ ବାପଘର ଲୋକଙ୍କ ସହ ନିୟମିତ ସମ୍ପର୍କ ରଖୁଥିବାକୁ ନେଇ ଇନ୍ଦୁଶେଖର ଅସନ୍ତୁଷ୍ଟ ଥିଲା । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ବିବାଦ ହେଉଥିଲା ।

ଅନ୍ୟପଟେ ଶ୍ରୀରାମପୁରା ଥାନାରେ ନିଖୋଜ ଅଭିଯୋଗ ପରେ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା ପୋଲିସ । ପଚରାଉଚରା ବେଳେ ଅଭିଯୁକ୍ତର ବୟାନରେ ତାଳମେଳ ନ ରହିବାରୁ ସନ୍ଦେହ ବଢ଼ିଥିଲା । ପରେ ଜେରା ସମୟରେ ସେ ୭ ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ପ୍ରାୟ ୪ ଘଣ୍ଟା ଧରି ଖୋଜାଖୋଜି ପରେ ୭ ବର୍ଷର ଶିଶୁ ପୁନିତଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଅନ୍ୟ ୬ ଜଣଙ୍କ ମୃତଦେହ ପାଇଁ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରହିଛି ।

Source link



Source link

Leave A Reply

Your email address will not be published.