ନୂଆଦିଲ୍ଲୀ: ଭାରତର ଆତ୍ମରକ୍ଷା ଅଧିକାରର ଆମେରିକା ସମ୍ମାନ କରୁ ଏବଂ ଆତଙ୍କବାଦ ପ୍ରତି ଜିରୋ-ଟଲେରାନ୍ସ ନୀତି ଗ୍ରହଣ କରୁ । ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ନୂଆଦିଲ୍ଲୀ ଏବଂ ଇସଲାମାବାଦ ସହ ଆମେରିକାର ସଂପର୍କ ମୂଳତଃ ଅଲଗା । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଆତଙ୍କବାଦ ଉପରେ ଶୂନ୍ୟ ସହନଶୀଳତା ନୀତି ରହିବା ଦରକାର, ଏତିକିରେ କଥା ଶେଷ । ଏହାର ଅର୍ଥ ହେଉଛି ଆମେ ଭାରତକୁ ନିଜର ରକ୍ଷା କରିବାର ଅଧିକାରକୁ ସମ୍ମାନ କରିବା ଦରକାର ।
ବ୍ଲିଙ୍କେନ୍ କରିଛନ୍ତି, ଭାରତ ଏକ ଗ୍ଲୋବାଲ୍ ଫୋର୍ସ, ୱାଶିଂଟନ ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ୱନ୍ଧ ଏବଂ ପାରସ୍ପାରିକ ହିତ “ପ୍ରକୃତରେ ବିଶ୍ୱସ୍ତରୀୟ” । ଏହାର ବିପରୀତରେ ସେ କହିଛନ୍ତି ଯେ ପାକିସ୍ତାନ ସହ ଆମେରିକାର ସଂପର୍କ ଅଞ୍ଚଳିକ ଅଟେ । ବ୍ଲିଙ୍କନ୍ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଇଣ୍ଡିଆ ଟ୍ରେଡ୍ ପ୍ରମୋସନ ଅର୍ଗାନାଇଜେସନ୍ ଅଧ୍ୟକ୍ଷ ଜାଭେଦ୍ ଅଶରଫଙ୍କ ସହ ଆଲୋଚନାରେ ଏହି କଥା କହିଛନ୍ତି ।
ବ୍ଲିଙ୍କେନ୍ କହିଛନ୍ତି ଯେ ଆମେରିକାର ରଣନୀତିରେ ଦୁଇଟି ବିଷୟ ଅନ୍ତର୍ଭୁକ୍ତ ହେବା ଉଚିତ, ଗୋଟିଏ, ଆକ୍ରମଣର ଜବାବ ଦେବା ପାଇଁ ଭାରତର ପ୍ରୟାସକୁ ସମର୍ଥନ କରିବା । ଦ୍ୱିତୀୟ, ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀ ନୂଆଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାକୁ ରୋକିବା ପାଇଁ କୂଟନୈତିକ ପ୍ରୟାସ । ସେ କହିଛନ୍ତି ଯେ ଉତ୍ତେଜନାକୁ ବୃଦ୍ଧିକୁ ରୋକିବା ଗୁରୁତ୍ୱପୂର୍ଣ୍ଣ କାରଣ ଉଭୟ ଦେଶ ପାଖରେ ଥିବା ଅସ୍ତ୍ରଶସ୍ତ୍ର ବ୍ୟାପକ ଧ୍ୱଂସ କରିବାର କ୍ଷମତା ରଖେ ।
ଇସଲାମାବାଦ ସହିତ ୱାଶିଂଟନର ଦୀର୍ଘକାଳୀନ ସମ୍ପର୍କ ଉପରେ ମଧ୍ୟ ବ୍ଲିଙ୍କେନ୍ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି ଯେ ଶୀତଳ ଯୁଦ୍ଧ ଏବଂ ଆଫଗାନିସ୍ତାନ ଯୁଦ୍ଧ ସମୟରେ ଆମେରିକାର ରଣନୈତିକ ସ୍ୱାର୍ଥ ଯୋଗୁଁ ହୁଏତ ଆମେରିକୀୟ ସରକାରମାନେ ପାକିସ୍ତାନର ନାଗରିକ ଏବଂ ସାମରିକ ବ୍ୟବସ୍ଥାକୁ ଯେତିକି ସମାଲୋଚନା କରିବା ଉଚିତ ତାହା କରି ନଥିଲେ । ସେ ଆହୁରି କହିଛନ୍ତି, “ନିଶ୍ଚିତ ଭାବରେ, ଆମେରିକା ପାଖରେ ଏବେ ଅଧିକ କିଛି କରିବାର ସୁଯୋଗ ଅଛି ।” ତେବେ ଭାରତ ସହ ସଂପର୍କ ଉପରେ ସେ କହିଛନ୍ତି, ଏହି ସହଭାଗୀତା ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମାନ ସ୍ୱାର୍ଥ ଏବଂ ଗଭୀର ସମ୍ପର୍କ ଉପରେ ଆଧାରିତ ।
