ଛତ୍ରପୁର, ୧୯।୧୧ : ସମ୍ଭାବ୍ୟ ବାତ୍ୟା ଅକଭାନର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି l
ଜିଲ୍ଲାର କୌଣସି ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଲେ ଏବଂ ଜଳବନ୍ଦୀ ଅବସ୍ଥା ଦେଖାଗଲେ ତାର ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଯାଇଛି । ଲୋକଙ୍କୁ ତୁରନ୍ତ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସହଯୋଗ ପାଇଁ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମରୁ ପ୍ରାୟ ୨୫ଟି ଡ଼ଙ୍ଗାକୁ ୧୨ଟି ବ୍ଲକକୁ ପହଞ୍ଚାଯାଇଛି l ପୁରୁଣାବନ୍ଧ ଗ୍ରାମର ମତ୍ସଜୀବୀଙ୍କ ୨୫ଟି ବୋଟକୁ ଗାଡି ଯୋଗେ ଆସିକା, ଭଞ୍ଜନଗର, ସାନଖେମୁଣ୍ଡି, ଧରାକୋଟ, ବେଲଗୁଣ୍ଠା, ପାତ୍ରପୁର, ପୁରୁଷୋତ୍ତମପୁର, ଶେରଗଡ, ଚିକିଟି, ଗଞ୍ଜାମ, ହିଞ୍ଜିଳିକାଟୁ ଓ ସୋରଡ଼ା ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚାଯାଇଛି l
Also Read :- ସିମ୍ପାଞ୍ଜିଙ୍କ ପାଇଁ ରୁମ୍ ହିଟର, ମାଙ୍କଡ ପାଇଁ କମ୍ବଳ : ଶୀତ ମୁକାବିଲା ପାଇଁ ନନ୍ଦନକାନନରେ ବ୍ୟାପକ ପ୍ରସ୍ତୁତି
ହାଇଡ୍ରା ଯୋଗେ ସେଗୁଡିକୁ ଉଠାଇ ବ୍ଲକ କାର୍ଯ୍ୟାଳୟକୁ ପଠାଯାଇଛି l ଜିଲ୍ଲାରେ ନିୟୋଜିତ ହୋଇଥିବା ଓଡ୍ରାଫ, ଏନଡ଼ିଆରଏଫ ଓ ଅଗ୍ନିଶ୍ରମ ବିଭାଗରେ ଯେତିକି ଡ଼ଙ୍ଗା ରହିଛି ତାହା ସହିତ ଏହି ଡ଼ଙ୍ଗା ସବୁ କାମରେ ସହଯୋଗ ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି l
Source link
