Voice of Eastern India

୧୦ ମାସର ଶିଶୁ ଗିଳି ଦେଲା କୋଲ୍ଡ ଡ୍ରିଙ୍କସ ବୋତଲ ଠିପି, ମୃତ୍ୟୁ ପରେ ବାହାର କଲା ମାଆ…


କୁଜଙ୍ଗ,|୦୭ଗୁରୁବାର ରାତି ପ୍ରାୟ ୧୦ଟାରେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁର ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା ଦେଖା ଦେଇଛି। ଏକ ୧୦ ମାସର ଶିଶୁପୁତ୍ର ମୃଦୁ ପାନୀୟ ବୋତଲର ଠିପି ଗିଳି ଦେବାରୁ ତାର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ମୃତ ଶିଶୁଙ୍କ ପରିବାର ଏହି ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ କୁଜଙ୍ଗ ମେଡିକାଲରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି।

ମିଳିଥିବା ସୂଚନା ମୁତାବକ, ତିର୍ତ୍ତୋଲ ଥାନା ଶାରଳା ରୋଡ୍ ଅଞ୍ଚଳର ସଂଜୟ ଦାସ ଓ ମିତାଲି ଦାସଙ୍କ ୧୦ ମାସର ଶିଶୁପୁତ୍ର ସାଇ ଦାସ ତାଙ୍କ ମାମୁଘର କୁଜଙ୍ଗ ଥାନା ଗୁଆମୁଣ୍ଡାକୁ ଆସିଥିଲେ। ସେଠାରେ କୌଣସି କାରଣରୁ ଶିଶୁପୁତ୍ରଟି ଏକ ମୃଦୁ ପାନୀୟ ବୋତଲର ପାଷ୍ଟିକ ଠିପିକୁ ଗିଳି ଦେଇଥିଲା। ଏହା ଜଣାପଡ଼ିବା ପରେ ତାକୁ ପରିବାର ଲୋକେ ତୁରନ୍ତ ବାଲିତୁଠ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଏହି ଠିପି ବାହାର କରି ନପାରିବାରୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

କୁଜଙ୍ଗ ମେଡିକାଲରେ ଡାକ୍ତର ଆର୍. ପ୍ରୀତମ୍ ଶ୍ରୀକୁମାର ଶିଶୁଟିର ଚିକିତ୍ସା କରିଥିଲେ। ଶିଶୁଟି ମୃଦୁ ପାନୀୟ ବୋତଲ ଠିପି ଗିଳିଦେବା କଥା ପରିବାର ଲୋକେ କହିଥିଲେ ହେଁ ଡାକ୍ତର ଏହାକୁଗୁରୁତ୍ବ ଦେଇନଥିବା ଅଭିଯୋଗ ହୋଇଛି। ଡାକ୍ତର ପରୀକ୍ଷା ନିରୀକ୍ଷା କରୁଥିବା ସମୟରେ ଶିଶୁର ଶ୍ଵାସକ୍ରିୟା ବନ୍ଦ ହୋଇଯାଇଥିଲା। ଡାକ୍ତର ଶ୍ଵାସକ୍ରିୟା ଫେରାଇ ଆଣିବା ପାଇଁ ଛାତିକୁ ଚାପ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶିଶୁ ଟିକୁ ପରିବାର ଲୋକେ କଟକ ରେଫର୍ କରିବାକୁ କହିଥିଲେ। ମାତ୍ର ଶିଶୁଟି ମୃତ ବୋଲି ଡାକ୍ତର ଘୋଷଣା କରି ରେଫର୍ କରି ନଥିଲେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଶିଶୁର ମୃତ୍ୟୁ ପରେ ତା ମା’ ଶିଶୁର ପାଟିରୁ ପ୍ଲାଷ୍ଟିକ୍ ଠିପି ବାହାର କରିଥିଲେ ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Source link



Source link

Leave A Reply

Your email address will not be published.