Voice of Eastern India

ମାତ୍ର ୩ ବର୍ଷରେ ଦେବାଳିଆରୁ ବିକଶିତ ଅର୍ଥନୀତି ଆଡ଼କୁ ଅଗ୍ରସର ଶ୍ରୀଲଙ୍କା: ଭାରତଠୁ ସାହାଯ୍ୟ ନେଇ ଭାରତକୁ ଟପିଗଲା


କଲମ୍ବୋ: ମାତ୍ର କିଛି ବର୍ଷର କଥା। ଦେବାଳିଆ ହୋଇଯାଇଥିଲା ଶ୍ରୀଲଙ୍କା। ଡାଲି ଚାଉଳ ଠାରୁ ଆରମ୍ଭ କରି ଛୋଟମୋଟ ସାମଗ୍ରୀର ଦାମ ଥିଲା ଆକାଶ ଛୁଆଁ। ଦେଶରେ ଏମିତି ଅରଜକତା ବ୍ୟାପିଥିଲା ଯେ ଜନତା ସେଠାକାରେ ରାଜପକ୍ଷେ ସରକାରଙ୍କ ବିରୁଦ୍ଧରେ ରଣ ହୁଙ୍କାର ଦେଇ ତାଣ୍ଡବ କରିଥିଲେ। ରାଷ୍ଟ୍ରପତି ଭବନ କବ୍ଜଜା ଠାରୁ ଆରମ୍ଭ କରି ଚାରିଆଡ଼େ ଭଙ୍ଗାରୁଜା। ଚାହୁଁ ଚାହୁଁ ସୁନ୍ଦର ଦ୍ୱୀପ ଦେଶ ପୂରା ଉଜୁଡ଼ି ଛିନଛତର ହୋଇଯାଇଥିଲା। ଏହି ସମୟରେ ସହଯୋଗରେ ହାତ ବଢ଼ାଇଥିଲା ଭାରତ। ନୂଆଦିଲ୍ଲୀରୁ ସବୁ ପ୍ରକାର ସହଯୋଗ ନେଇ ଶ୍ରୀଲଙ୍କା ଆରମ୍ଭ କରିଥିଲା ଗୋଟେ ନୂଆ ଇନିଂସ୍। ଆଉ ଆଜି ପୂରା ଆକାଶ ପାତାଳ ଫରକ। ମାତ୍ର ୩ ବର୍ଷ….. ମାତ୍ର ୩ ବର୍ଷରେ ଶ୍ରୀଲଙ୍କା ଭାରତ ଠାରୁ ଧନୀ ହୋଇଯାଇଛି। କଥାଟା ବିଶ୍ୱାସ ହେଉ ନଥଲେ ବି ସତ। ୱାର୍ଲ୍ଡ ବ୍ୟଙ୍କର ଡାଟାରୁ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ତାହା ଆଶ୍ଚର୍ଯ୍ୟ କଲା ଭଳି।

୨୦୨୨ରେ ଗଭୀର ଆର୍ଥିକ ସଙ୍କଟ ଏବଂ ଦେବାଳିଆ ପରିସ୍ଥିତିରେ ପହଞ୍ଚିଥିବା ଶ୍ରୀଲଙ୍କା ବର୍ତ୍ତମାନ ଏକ ବଡ଼ ସଫଳତା ହାସଲ କରିଛି। ୱାର୍ଲ୍ଡ ବ୍ୟାଙ୍କର ସଦ୍ୟତମ ଆୟ ବର୍ଗୀକରଣ ଅନୁସାରେ, ଶ୍ରୀଲଙ୍କା ପୁଣିଥରେ ‘ଅପର-ମିଡଲ ଇନକମ୍ ଇକୋନୋମି’ (Upper-Middle Income Economy) ଶ୍ରେଣୀକୁ ଫେରିଛି। ଅନ୍ୟପକ୍ଷରେ, ଭାରତ ଏବେ ମଧ୍ୟ ‘ଲୋୟର-ମିଡଲ ଇନକମ୍ ଇକୋନୋମି’ (Lower-Middle Income Economy) ଶ୍ରେଣୀରେ ରହିଛି। ଏହାର ଅର୍ଥ ହେଉଛି ପ୍ରତି ବ୍ୟକ୍ତି ଆୟ (Per Capita Income) ଆଧାରରେ ଶ୍ରୀଲଙ୍କା ବର୍ତ୍ତମାନ ଭାରତଠାରୁ ଆଗରେ ରହିଛି।

କିଛି ବର୍ଷ ପୂର୍ବରୁ ଶ୍ରୀଲଙ୍କା ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରିଥିଲା। ବିଦେଶୀ ଋଣ ପରିଶୋଧ କରିବାରେ ଅସମର୍ଥ ହୋଇ ଦେଶ ୨୦୨୨ରେ ସୋଭରେନ୍ ଡେଟ୍ ଡିଫଲ୍ଟ (Sovereign Debt Default) ଘୋଷଣା କରିଥିଲା। କୋଭିଡ୍-୧୯ ମହାମାରୀ ଯୋଗୁ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବାରୁ ଅର୍ଥନୀତି ଦୁର୍ବଳ ହୋଇପଡ଼ିଥିଲା। ମୁଦ୍ରାସ୍ଫୀତି ଚରମ ସୀମାରେ ପହଞ୍ଚିଥିଲା ଏବଂ ଜନ ଅସନ୍ତୋଷ ଏତେ ବଢ଼ିଯାଇଥିଲା ଯେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ଦଖଲ କରିଥିଲେ। ସେହି ଘଟଣା ସମଗ୍ର ବିଶ୍ୱର ନଜର ଆକର୍ଷଣ କରିଥିଲା।

ତେବେ ବର୍ତ୍ତମାନ ଶ୍ରୀଲଙ୍କା ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରିଛି। ୱାର୍ଲ୍ଡ ବ୍ୟାଙ୍କ କହିଛି ଯେ, ୨୦୨୫ରେ ଶ୍ରୀଲଙ୍କାର ବାସ୍ତବ ଜିଡିପି (GDP) ଅଭିବୃଦ୍ଧି ହାର ୫ ପ୍ରତିଶତ ରହିଥିଲା। ସେହିପରି ଏଟଲାସ୍ ଗ୍ରସ୍ ନ୍ୟାସନାଲ ଇନକମ୍ (Atlas GNI) ପ୍ରତି ବ୍ୟକ୍ତି ଆୟ ୧୧.୨ ପ୍ରତିଶତ ବୃଦ୍ଧି ପାଇଛି। ଉନ୍ନତ ଆର୍ଥିକ କାର୍ଯ୍ୟକଳାପ, ମୁଦ୍ରାସ୍ଫୀତି ହ୍ରାସ ଏବଂ ବିନିମୟ ମୂଲ୍ୟର ସ୍ଥିରତା ଯୋଗୁ ଶ୍ରୀଲଙ୍କାର ପ୍ରତି ବ୍ୟକ୍ତି ଆୟ ‘ଅପର-ମିଡଲ ଇନକମ୍’ ପାଇଁ ନିର୍ଦ୍ଧାରିତ ସୀମାକୁ ଅତିକ୍ରମ କରିଛି। ମଜଭୁତ ଶିଳ୍ପ କାର୍ଯ୍ୟକଳାପ ଏବଂ ପର୍ଯ୍ୟଟନ ଓ ଆର୍ଥିକ ସେବାରେ ପୁନରୁଦ୍ଧାର କରିବାରୁ ଦେଶ ଉଚ୍ଚ-ମଧ୍ୟମ-ଆୟ ସୀମା ଅତିକ୍ରମ କରିପାରିଛି।

୨୦୨୬ ଜୁଲାଇ ୧ରେ ୱାର୍ଲ୍ଡ ବ୍ୟାଙ୍କ ଜାରି କରିଥିବା ନୂଆ ଆୟ ବର୍ଗୀକରଣ ତାଲିକା ଅନୁସାରେ ଶ୍ରୀଲଙ୍କା ବ୍ୟତୀତ ଭିଏତନାମ, ଫିଲିପାଇନ୍ସ, ଜୋର୍ଡାନ ଏବଂ ଫେଡେରେଟେଡ୍ ଷ୍ଟେଟ୍ସ ଅଫ୍ ମାଇକ୍ରୋନେସିଆ ମଧ୍ୟ ‘ଲୋୟର-ମିଡଲ’ରୁ ‘ଅପର-ମିଡଲ’ ଆୟ ବର୍ଗକୁ ଉନ୍ନୀତ ହୋଇଛନ୍ତି। ସେହିପରି ମାୟୋଟ ‘ଅପର-ମିଡଲ’ରୁ ‘ହାଇ ଇନକମ୍’ ଅର୍ଥନୀତି ଶ୍ରେଣୀକୁ ସ୍ଥାନ ପାଇଛି।ଏହି ବାର୍ଷିକ ତାଲିକାରେ ୨୧୮ଟି ଅର୍ଥନୀତିକୁ ସାମିଲ କରାଯାଇଛି। ଏହି ତାଲିକା ୨୦୨୭ ଜୁନ୍ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଭାରତର ଅନ୍ୟ ଏକ ପଡ଼ୋଶୀ ଦେଶ ବାଂଲାଦେଶର ସ୍ଥିତି ଅପରିବର୍ତ୍ତିତ ରହିଛି। ବାଂଲାଦେଶ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ (BBS) ଅନୁଯାୟୀ, ଏହାର ସଦ୍ୟତମ ଆନୁମାନିକ ମୁଣ୍ଡପିଛା ଆୟ $୩,୦୨୦ ସତ୍ତ୍ୱେ ଦେଶକୁ ଏକ ନିମ୍ନ-ମଧ୍ୟମ ଆୟ ଅର୍ଥନୀତି ଭାବରେ ବର୍ଗୀକୃତ କରାଯାଇଛି। ତେବେ ଭାରତର ମୁଣ୍ଡ ପିଛା ଆୟ ଠାରୁ ବାର୍ଷିକ $୨,୮୧୩) ଠାରୁ ବାଂଲାଦେଶର ମୁଣ୍ଡ ପିଛା ଆୟ ଅଧିକ ରହିଛି।

ସେହିପରି ଭିଏତନାମ କଥା ଯଦି ଦେଖିବା ନିରନ୍ତର ରପ୍ତାନି ଅଭିବୃଦ୍ଧି ମାଧ୍ୟମରେ ଭିଏତନାମ ଏହି ସଫଳତା ହାସଲ କରିଛି। ୨୦୨୪ ଏବଂ ୨୦୨୫ ଉଭୟରେ ରପ୍ତାନି ୧୫%ରୁ ଅଧିକ ବୃଦ୍ଧି ପାଇଛି। ଜିଡିପି ଯଥାକ୍ରମେ ୭% ଏବଂ ୮% ବୃଦ୍ଧି ପାଇଛି। ୨୦୨୧ ଏବଂ ୨୦୨୫ ମଧ୍ୟରେ, ଦେଶର ଜିଏନଆଇ ବାର୍ଷିକ ହାରାହାରି ୧୦% ବୃଦ୍ଧି ପାଇଛି। ଫଳରେ ଭିଏତନାମ ଏସିଆର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇଛି।

ଅନ୍ୟପଟେ ଫିଲିପାଇନ୍ସ ଗୋଟିଏ କ୍ଷେତ୍ର ଉପରେ ନିର୍ଭରଶୀଳତା ବଦଳରେ ବ୍ୟାପକ-ଆଧାରିତ ଅର୍ଥନୈତିକ ପ୍ରସାର ମାଧ୍ୟମରେ ଉଚ୍ଚ-ମଧ୍ୟମ-ଆୟ ସ୍ଥିତିରେ ପହଞ୍ଚିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଏହାର ଅର୍ଥନୀତି ବାର୍ଷିକ ହାରାହାରି ୫.୮% ଅଭିବୃଦ୍ଧି ହୋଇଛି। ଯାହା ଉତ୍ପାଦନ, ସେବା ଏବଂ ଅନ୍ୟାନ୍ୟ ପ୍ରମୁଖ ଶିଳ୍ପରେ ଲାଭ ଦ୍ୱାରା ସମୃଦ୍ଧ ହୋଇଛି।

ଭାରତ ଦୁନିଆର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇଥିଲେ ମଧ୍ୟ ୱାର୍ଲ୍ଡ ବ୍ୟାଙ୍କ ଏହାକୁ ଏପର୍ଯ୍ୟନ୍ତ ‘ଲୋୟର-ମିଡଲ ଇନକମ୍’ ଶ୍ରେଣୀରେ ରଖିଛି। ଏହାର କାରଣ ହେଉଛି ୱାର୍ଲ୍ଡ ବ୍ୟାଙ୍କ କୌଣସି ଦେଶର ମୋଟ ଜିଡିପିକୁ ନୁହେଁ, ବରଂ ପ୍ରତି ବ୍ୟକ୍ତି ଗ୍ରସ୍ ନ୍ୟାସନାଲ ଇନକମ୍ (Per Capita GNI) କୁ ଆଧାର କରି ବର୍ଗୀକରଣ କରେ। ଭାରତର ମୋଟ ଅର୍ଥନୀତି ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତି ମଧ୍ୟରେ ଥିଲେ ମଧ୍ୟ, ୧୪୦ କୋଟିରୁ ଅଧିକ ଜନସଂଖ୍ୟା ମଧ୍ୟରେ ଏହି ଆୟ ବଣ୍ଟନ ହେଉଥିବାରୁ ପ୍ରତି ବ୍ୟକ୍ତି ଆୟ ‘ଅପର-ମିଡଲ ଇନକମ୍’ ଶ୍ରେଣୀର ସୀମାରୁ ତଳେ ରହିଛି।

Source link



Source link

Leave A Reply

Your email address will not be published.