ନୂଆଦିଲ୍ଲୀ: ଆୟର୍ଲ୍ୟାଣ୍ଡ ଗସ୍ତ ଏବଂ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ରେ ବୈଭବଙ୍କୁ ସୁଯୋଗ ଦିଆ ନ ଯିବାକୁ ନେଇ ପ୍ରଶ୍ନ ଉଠୁଥିଲା । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ବୈଭବଙ୍କ ଡେବ୍ୟୁ ପରେ ଖୋଦ୍ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଯୋଗ୍ୟତା ଭିତ୍ତିରେ ହୋଇଥାଏ ଏବଂ କୌଣସି ଖେଳାଳିଙ୍କ ପ୍ରତି ପକ୍ଷପାତିତା କରାଯାଏ ନାହିଁ ।
ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ପଦାର୍ପଣ ଉପରେ ରାଜୀବ ଶୁକ୍ଲା ଏକ ବଡ଼ ବୟାନ ଦେଇଛନ୍ତି । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ବିସିସିଆଇ କୌଣସି ଖେଳାଳିଙ୍କ ସହ ଅନ୍ୟାୟ କରେନାହିଁ ଏବଂ ସଠିକ୍ ସମୟରେ ପ୍ରତିଭାବାନ ଖେଳାଳିମାନଙ୍କୁ ସୁଯୋଗ ନିଶ୍ଚୟ ମିଳିଥାଏ ।
ରାଜୀବ ଶୁକ୍ଲା ସେହି ଲୋକମାନଙ୍କୁ ମଧ୍ୟ ଜବାବ ଦେଇଛନ୍ତି, ଯେଉଁମାନେ ଗତ କିଛି ଦିନ ହେବ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ନ ମିଳିବା ଯୋଗୁଁ ଟିମ୍ ମ୍ୟାନେଜମେଣ୍ଟ, କୋଚ୍ ଏବଂ ଅଧିନାୟକଙ୍କୁ ସମାଲୋଚନା କରୁଥିଲେ । ଶୁକ୍ଲାଙ୍କ କହିବା ଅନୁସାରେ, ଟିମ୍ ମ୍ୟାନେଜମେଣ୍ଟ ଠିକ୍ ସମୟରେ ବୈଭବଙ୍କୁ ଡେବ୍ୟୁ କରାଇଛି । ଏବେ ତାଙ୍କ ସାମ୍ନାରେ ନିଜକୁ ପ୍ରମାଣିତ କରିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି ।
ଏଏନଆଇକୁ ସାକ୍ଷାତକାରରେ କହିଛନ୍ତି, “ବୈଭବ ସୂର୍ଯ୍ୟବଂଶୀଙ୍କୁ ତାଙ୍କ ଡେବ୍ୟୁ ପାଇଁ ଅନେକ ଅନେକ ଶୁଭେଚ୍ଛା । ବିସିସିଆଇ କାହା ସହିତ ଅନ୍ୟାୟ କରେନାହିଁ । ଯେଉଁ ଖେଳାଳି ସୁଯୋଗ ପାଇବାକୁ ଯୋଗ୍ୟ, ତାଙ୍କୁ ସୁଯୋଗ ନିଶ୍ଚୟ ମିଳେ । ସୋସିଆଲ ମିଡିଆରେ କୁହାଯାଉଥିଲା ଯେ ବୈଭବଙ୍କୁ ସୁଯୋଗ ଦିଆଯାଉ ନାହିଁ । କୋଚ୍-ଅଧିନାୟକଙ୍କୁ ସମାଲୋଚନା କରାଯାଉଥିଲା । କିନ୍ତୁ ପ୍ରକୃତରେ ସେମିତି କିଛି ନଥିଲା ।”
ସେ ଆହୁରି କହିଛନ୍ତି, “ମୁଁ କିଛି ଦିନ ପୂର୍ବରୁ ହିଁ କହିଥିଲି ଯେ ସଠିକ୍ ସମୟ ଆସିଲେ ବୈଭବଙ୍କୁ ସୁଯୋଗ ନିଶ୍ଚୟ ମିଳିବ ଏବଂ ସେୟା ହିଁ ହେଲା । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ସେ ଭବିଷ୍ୟତରେ ଚମତ୍କାର ପ୍ରଦର୍ଶନ କରିବେ । ଭାରତୀୟ ଦଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ । ଟିମ୍ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଠିକ୍ ଥିଲା ଏବଂ ଏହାର ପ୍ରଶଂସା ହେବା ଉଚିତ ।”
#WATCH | Delhi | On Vaibhav Sooryavanshi’s India debut, Congress MP Rajiv Shukla says, “Huge congratulations to Vaibhav Suryavanshi on his debut and for receiving this opportunity. The BCCI does not treat anyone unfairly; those who deserve it get their chance. There was a lot of… pic.twitter.com/Xd2MEGie32
— ANI (@ANI) July 5, 2026
ମାତ୍ର ୧୫ ବର୍ଷ ୯୯ ଦିନ ବୟସରେ ଡେବ୍ୟୁ କରି ବୈଭବ ସୂର୍ଯ୍ୟବଂଶୀ ଇତିହାସ ରଚିଛନ୍ତି । ସେ ଭାରତ ପାଇଁ ସବୁଠାରୁ କମ୍ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ଖେଳାଳି ହୋଇଛନ୍ତି । ଏହି ମାମଲାରେ ସେ ସଚିନ ତେନ୍ଦୁଲକର ଏବଂ ଶେଫାଳି ବର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି । ବୈଭବଙ୍କ ପ୍ରଥମ ମ୍ୟାଚରେ ୧୦ଟି ବଲ୍ ଖେଳି ୧୪ ରନ୍ ସଂଗ୍ରହ କରିଥିଲେ ।
