Adhara Pana ritual: ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି, ଦାରୁବ୍ରହ୍ମଙ୍କ ନିକଟରେ ଲାଗି ହେବ ସୁବାସିତ ପଣା
ଭୁବନେଶ୍ବର ୨୬।୭: ରବିବାର ଦ୍ଵାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଲାଗିବ । ନୀତି ସମୟ ଶ୍ରୀମନ୍ଦିର ପ୍ରଶାସନ ସନ ଅନୁସାରେ ଅଧର ନୀତି ସମୟ ରାତି ୮ଟା ରହିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ବାକୃତି ମାଟିପାତ୍ରରେ ପଣା ପ୍ରସ୍ତୁତ ହେବ । ଭୋଗ ପରେ ରଥ ଉପରେ ହାଣ୍ଡି ଭଙ୍ଗାଯିବ । କୁହାଯାଏ ଏହି ଭୋଗ ପଣା ରଥ ପାର୍ଶ୍ଵ ଦେବଦେବୀ, ଅଶରୀର ତଥା ଚଣ୍ଡୀ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ ।
ପ୍ରତି ରଥରେ ଦାରୁ ବିଗ୍ରହଙ୍କ ଉଦ୍ଦେଶ୍ୟରେ ୩ଟି ଲେଖାଏଁ ହାଣ୍ଡିରେ ପଣା ଭୋଗ କରାଯିବ । ଛାଚି, ସର, କଦ କଦଳୀ, ଛେନା, ଗୋଲମରିଚ, ମରିଚ, କର୍ପୂର ଜାଇଫଳ ଆଦି ସାମଗ୍ରୀ ପଣାରେ ମିଶିବ । ମହାପ୍ରଭୁଙ୍କ ସେବକ ମାନେ ପଣା ପ୍ରସ୍ତୁତ କରିବେ । ଅଧର ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ପାରମ୍ପରିକ କୁମ୍ଭାରମାନେ ୯ଟି ଅଧର ହାଣ୍ଡି ତିଆରି କରି ଯୋଗାଇଥାନ୍ତି ।
Also Read:- ଛାତିଥରା ଦୁର୍ଘଟଣା : ଦୁଇ ଭାଇଙ୍କୁ ଅଜଣା ଗାଡ଼ି ଧକ୍କା ଦେଇ ଘୋଷାଡ଼ି ନେଲା, ମିଳିଲା ମୁଣ୍ଡ ବିହୀନ ମୃତଦେହ
ମଧ୍ୟାହ୍ନ ଧୂପ ବଢ଼ିବା ପରେ ଅଧରପଣା ପ୍ରସ୍ତୁତି ଆରମ୍ଭ ହେବ । ପ୍ରଶାସନିକ ଅଧର ନୀତି ମୁତାବକ ସକାଳ ୬ଟାରୁ ରଥରେ ଠାକୁରଙ୍କ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ହେବା ସହ ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୪ଟା ମଧ୍ୟରେ ଠାକୁରଙ୍କ ମଧ୍ୟାହ୍ନ ଧୂପ ନୀତି ବଢ଼ିବ । ପରେ ରାତ୍ର ୮ଟା ମଧ୍ୟରେ ୩ ରଥରେ ଅଧର ନୀତି ଶେଷ ହେବ ।
