Voice of Eastern India

CM Thanks Devotees: ରଥଯାତ୍ରାର ସଫଳ ସମାପନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର ୨୯।୭: ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡିତ ଓଡ଼ିଶାର ସବୁଠାରୁ ବଡ ଏବଂ ମହତ୍ତ୍ୱପୂର୍ଣ୍ଣ ପର୍ବ ରଥଯାତ୍ରାର ସଫଳ ସମାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମସ୍ତ ଜଗନ୍ନାଥ ପ୍ରେମୀ, ସେବାୟତ, ସରକାରୀ ଅଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ତଥା ଏହି ପବିତ୍ର କାର୍ଯ୍ୟ ସହ ଜଡିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ପ୍ରତିକୂଳ ପାଗ ସତ୍ତ୍ୱେ ଶ୍ରୀଜଗନ୍ନାଥ ଧାମ, ପୁରୀ ଠାରେ ଜଗନ୍ନାଥପ୍ରେମୀଙ୍କ ଅଭୂତପୂର୍ବ ସମାଗମ ହୋଇଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ସମ୍ପୂର୍ଣ୍ଣ ଶ୍ରଦ୍ଧା ସହିତ ସେବାୟତ ମାନେ ସମାପ୍ତ କରିଥିଲେ । ପାଗର ପ୍ରତିକୂଳ ପ୍ରଭାବ ଯୋଗୁଁ, ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ, ନବଯୌବନ ଦର୍ଶନ ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା । ମହାପ୍ରଭୁଙ୍କ ସେବାୟତ ମାନେ ଶ୍ରଦ୍ଧା ଓ ଭକ୍ତି ସହିତ ସମସ୍ତ ନୀତିକାନ୍ତି କରିଥିଲେ । ଏଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡିତ ସମସ୍ତ ସେବାୟତ ବନ୍ଧୁମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଏହି ନବଦିନ ବ୍ୟାପୀ ଘୋଷଯାତ୍ରାକୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ଶୃଙ୍ଖଳିତ କରିବାରେ ଓଡ଼ିଶା ପୋଲିସର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଅଛି । ସାଢେ ୧୩ ହଜାରରୁ ବି ଅଧିକ ପୋଲିସ ବଳ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷା ଓ ସେବା ଯୋଗାଇ ଦେଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀକୁ ଧନ୍ୟବାଦ ଦେଇଛନ୍ତି । ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ କରିବାରେ ତାଙ୍କର ଶୃଙ୍ଖଳିତ ବ୍ୟବହାରକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ସବୁ ସେବାୟତ ଏବଂ ମଠଗୁଡିକୁ ଧନ୍ୟବାଦ ଦେଇଛନ୍ତି ।

Also Read:- ମହାନଦୀ ଓ ଦୟାର ତଳି ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ, ବୈତରଣୀରେ ରହିଛି ବନ୍ୟା ସ୍ଥିତି

ପୁରୀକୁ ଆସି ରଥଯାତ୍ରା, ସୁନାବେଶ ଓ ନୀଳାଦ୍ରିବିଜେ ଉତ୍ସବରେ ସମସ୍ତ ଜଗନ୍ନାଥପ୍ରେମୀ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଦର୍ଶନ କରିଥିଲେ ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସାଧୁବାଦ ଜଣାଇଛନ୍ତି ।

ରାଜ୍ୟ ସରକାର ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ପୁରୀକୁ ଏକ ବିଶ୍ଵସ୍ତରୀୟ ଧର୍ମୀୟ-ପର୍ଯ୍ୟଟନ ସ୍ଥଳ କରିବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି । ପୁରୀ ବିମାନବନ୍ଦର, ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର, ମେରାଇନ ଆକ୍ଵାରିଅମ, ଶାମୁକା ପ୍ରକଳ୍ପ ମାଧ୍ୟମରେ ପୁରୀକୁ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ କରାଯାଉଛି । ରାଜ୍ୟ ସରକାର ପୁରୀକୁ ମହାନଗର ନିଗମ ଭାବେ ଘୋଷଣା କରିଛନ୍ତି । ଏହାଦ୍ୱାରା ଆଗାମୀ ଦିନରେ ପୁରୀବାସୀ ତଥା ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ବିଭିନ୍ନ ପ୍ରକାର ଗୁଣାତ୍ମକ ସେବା ପ୍ରଦାନ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Source link



Source link

Leave A Reply

Your email address will not be published.