Hardeep Singh Nijjar: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରର ବଡ଼ ଦାବି: କାନାଡାର ହରଦିପ ସିଂହ ନିଜ୍ଜରକୁ ମୋ ଲୋକ ମାରିଛନ୍ତି, ଭାରତୀୟ ଲୋକ ନୁହେଁ !
ନୂଆଦିଲ୍ଲୀ: କାନାଡ଼ାର ଶିଖ୍ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ନିଜ୍ଜରକୁ ହତ୍ୟା କରିବାରେ କୌଣସି ଭାରତୀୟ ଅଧିକାରୀଙ୍କର ହାତ ନାହିଁ ବରଂ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଟିମ୍ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ଏକ ଲିକ୍ ହୋଇଥିବା ଅଡିଓ କଥାବାର୍ତ୍ତାରେ ବ୍ରାର କହୁଛି ଯେ ସେ ଓ ତାଙ୍କ ଟିମ୍ ମିଶି ନିଜ୍ଜରଙ୍କୁ ହତ୍ୟା କରିଛନ୍ତି।
ବ୍ରାର ଓ ବ୍ରିଟେନ୍ରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପମ୍ମାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ସାମ୍ନାକୁ ଆସିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ବ୍ରାର ନିଜ୍ଜରଙ୍କୁ କାହିଁକି ହତ୍ୟା କରାଯାଇଥିଲା ବୋଲି ଏହା ପଛର କାରଣ ବିଷୟରେ କହୁଥିବା ଶୁଣିବାକୁ ମିଳୁଛି। ଅଡିଓରେ ବ୍ରାର ନିଜ୍ଜରଙ୍କ ଉପରେ ଡ୍ରଗ୍ସ ନେଟୱର୍କ ସହ ଜଡ଼ିତ ଲୋକଙ୍କୁ ସମର୍ଥନ କରିବା ଏବଂ ନିଜ ସ୍ୱାର୍ଥରେ ସେମାନଙ୍କୁ ଶକ୍ତିଶାଳୀ କରିବାର ଅଭିଯୋଗ ଆଣିଛି। ବ୍ରାରର କହିବା ଅନୁସାରେ, ଏହି ନେଟୱର୍କ ସହ ଜଡ଼ିତ କିଛି ଲୋକ ୧୬-୧୭ ବର୍ଷର ନାବାଳକଙ୍କୁ ଡ୍ରଗ୍ସ ବିକ୍ରି କରିବା ପାଇଁ ନିୟୋଜିତ କରୁଥିଲେ। ଏପରିକି ନାବାଳକଙ୍କୁ ବ୍ଲାକମେଲ୍ କରି ଡ୍ରଗ୍ସ ବିକ୍ରି କରାଇବା ଓ ସୂଚନାଦାତା ଭାବେ ବ୍ୟବହାର କରାଯାଉଥିଲା। ଯାହାକୁ ଉତ୍ସାହିତ କରୁଥିଲା ହରଦିପ ସିଂହ ନିଜ୍ଜର।
ଅଡିଓରେ ବ୍ରାର କହୁଛି, “ଯେଉଁମାନେ ୧୬-୧୭ ବର୍ଷର ପିଲାଙ୍କୁ ଡ୍ରଗ୍ସ ବିକ୍ରି କରିବାକୁ ପ୍ରସ୍ତୁତ କରାଉଥିଲେ ଏବଂ ଏଥିପାଇଁ ଉତ୍ସାହିତ କରୁଥିଲେ, ଯେଉଁମାନେ ପିଲାଙ୍କୁ ବ୍ଲାକମେଲ୍ କରି ଡ୍ରଗ୍ସ ବିକ୍ରି କରାଉଥିଲେ ଏବଂ ସୂଚନାଦାତା ଭାବେ ବ୍ୟବହାର କରୁଥିଲେ, ନିଜ୍ଜର ସେମାନଙ୍କୁ ସମର୍ଥନ କରୁଥିଲା ଏବଂ ବଳ ଯୋଗାଉଥିଲା।” ବ୍ରାରର ଦାବି ଅନୁସାରେ, ନିଜ୍ଜର ଆବଶ୍ୟକ ସମୟରେ ନିଜ ସ୍ୱାର୍ଥରେ ସେମାନଙ୍କୁ ବ୍ୟବହାର କରିପାରିବା ପାଇଁ ସେମାନଙ୍କୁ ସମର୍ଥନ ଦେଉଥିଲେ। କେବଳ ସେତିକି ନୁହେଁ ନିଜ୍ଜର ବେଆଇନ ଅସ୍ତ୍ର କାରବାରରେ ସମ୍ପୃକ୍ତ ଥିବାର ମଧ୍ୟ ବ୍ରାର ଅଭିଯୋଗ ଆଣିଛି। ଏହିସବୁ କାରଣୁ ନିଜ୍ଜରୁ ତା’ଟିମ ହତ୍ୟା କରିଛି ବୋଲି ସେ ଦାବି କରିଛି।
ଲିକ୍ ଅଡିଓରେ ବ୍ରାର କହୁଛି “ଏହି କାରଣରୁ ଆମକୁ ତାଙ୍କୁ ହତ୍ୟା କରିବାକୁ ପଡ଼ିଲା। ଖଲିସ୍ତାନୀ ଆତଙ୍କବାଦୀଙ୍କୁ ତାଙ୍କ କାର୍ଯ୍ୟର ପରିଣାମ ଭୋଗିବାକୁ ପଡ଼ିଛି। “ପ୍ରତ୍ୟେକ ବ୍ୟକ୍ତି ନିଜେ କରିଥିବା କାମର ପରିଣାମ ଭୋଗିବାକୁ ପଡ଼େ ବୋଲି ବ୍ରାର କହିଥିବା ଦାବି କରାଯାଇଛି।
ତେବେ ଏହି ଲିକ୍ ଅଡିଓର ପ୍ରାମାଣିକତା ଏବଂ ଏଥିରେ ଥିବା ଦାବିଗୁଡ଼ିକର ସତ୍ୟତା ସ୍ପଷ୍ଟ ହୋଇ ନାହିଁ। ନିଜ୍ଜର ହତ୍ୟା ମାମଲାକୁ ନେଇ ଭାରତ ଓ କାନାଡା ମଧ୍ୟରେ ପୂର୍ବରୁ ମଧ୍ୟ ତୀବ୍ର କୂଟନୈତିକ ବିବାଦ ଦେଖାଦେଇଥିଲା। ଜଷ୍ଟିନ ଟ୍ରୁଡେୟୁ ରାଷ୍ଟ୍ରପତି ଥିବା ବେଳେ ଭାରତ ସହିତ ସମ୍ପର୍କ ଖରାପ ହୋଇଯାଇଥିଲା। ଏମିତିକ ଦୂତାବାସ ବନ୍ଦ କରିବାକୁ ପଡ଼ିଥିଲା। ହେଲେ ଏବେ ରାଷ୍ଟ୍ରପତି ମାର୍କ କାର୍ନିଙ୍କ ନେତୃତ୍ୱରେ ଧୀରେ ଧୀରେ ସମ୍ପର୍କ ସୁଧୁରୁଛି।
