Voice of Eastern India

IIT ସ୍ୱପ୍ନ ଛାଡ଼ି AI ଦୁନିଆରେ ସଫଳତା: ୧୯ ବର୍ଷୀୟ ଧ୍ରବ୍ୟ ଶାହଙ୍କ କାହାଣୀ


ମୁମ୍ବାଇ: ବୟସ ମାତ୍ର ୧୯ ବର୍ଷ। ଯେଉଁ ବୟସରେ ଅଧିକାଂଶ ଯୁବକ-ଯୁବତୀ ପାଠପଢ଼ା ଓ କ୍ୟାରିୟର ନେଇ ଚିନ୍ତା କରନ୍ତି, ସେହି ବୟସରେ ମୁମ୍ବାଇର ଧ୍ରବ୍ୟ ଶାହ AI ଷ୍ଟାର୍ଟଅପ୍ ଦୁନିଆରେ ନିଜର ନାଁ କରିଛନ୍ତି। IITରେ ପଢ଼ିବାର ରାସ୍ତାକୁ ଛାଡ଼ି ସେ ନିଜର AI କମ୍ପାନୀ ”ସୁପ୍ରିମ ମେମୋରୀ” ଗଢ଼ିଛନ୍ତି। ଏହି ଷ୍ଟାର୍ଟଅପ୍ ପ୍ରାୟ ୩ ମିଲିୟନ୍ ଡଲାର, ଅର୍ଥାତ୍ ପ୍ରାୟ ୨୮ କୋଟି ଟଙ୍କାର ସିଡ୍ ଫଣ୍ଡିଂ ପାଇଛି।

IIT ପ୍ରସ୍ତୁତି ସମୟରୁ ଧ୍ରବ୍ୟ AI ଉପରେ ପରୀକ୍ଷା ନିରୀକ୍ଷା କରିବା ଆରମ୍ଭ କରିଥିଲେ I ପାଠପଢ଼ା ସହିତ ସେ ଏକ ଛୋଟ AI ଟୁଲ୍ ମଧ୍ୟ ତିଆରି କରିଥିଲେ। ଏହି ଛୋଟ ପ୍ରୋଜେକ୍ଟରୁ ସେ କିଛି ଅର୍ଥ ଉପାର୍ଜନ କରିପାରିଥିଲେ । ପରେ ସେହି ଟଙ୍କାକୁ ବ୍ୟବହାର କରି ସେ ଆମେରିକା ଯାଇଥିଲେ। ସେଠାରେ ସେ ଟେକ୍ନୋଲୋଜି କ୍ଷେତ୍ରରେ ନିଜର କାମ ଜାରି ରଖିଥିଲେ। ପରେ ତାଙ୍କୁ ଆମେରିକାର O-1 ଭିସା ମଧ୍ୟ ମିଳିଥିଲା। ଯେଉଁ ଭିସା ବିଶେଷ ପ୍ରତିଭା ଥିବା ବ୍ୟକ୍ତିଙ୍କ ପାଇଁ ଦିଆଯାଏ।

ଆମେରିକା ଯିବା ପରେ ଧ୍ରବ୍ୟ ପ୍ରତି ସପ୍ତାହରେ ଏକ ନୂଆ ପ୍ରଡକ୍ଟ ତିଆରି କରିବାର ଲକ୍ଷ୍ୟ ରଖିଥିଲେ। ସେ ଲଗାତାର ୪୦ ସପ୍ତାହ ପର୍ଯ୍ୟନ୍ତ ୪୦ଟି ନୂଆ ପ୍ରୋଡକ୍ଟ ତିଆରି କରିଥିଲେ।ଏହି ପ୍ରୋଜେକ୍ଟଗୁଡ଼ିକ ମଧ୍ୟରୁ ଗୋଟିଏ ପରେ ସୁପ୍ରିମ ମେମୋରୀର ରୂପ ନେଇଥିଲା।

ତେବେ କ’ଣ କରେ ଏହି ସୁପ୍ରିମ ମେମୋରୀ ?ସୁପ୍ରିମମେମୋରୀ ଏକ AI ମେମୋରୀ ସିଷ୍ଟମ୍। ସରଳ ଭାଷାରେ କହିଲେ, ଏହା AIକୁ ପୂର୍ବରୁ ମିଳିଥିବା ତଥ୍ୟ ମନେ ରଖିବାରେ ସାହାଯ୍ୟ କରେ। ସାଧାରଣ AI ସିଷ୍ଟମ୍ରେ ଅନେକ ସମୟରେ ପ୍ରତ୍ୟେକ ନୂଆ କଥାବାର୍ତ୍ତାକୁ ଅଲଗା ଭାବେ ଦେଖାଯାଏ। କିନ୍ତୁ ସୁପ୍ରିମ ମେମୋରୀ ଇମେଲ୍, ଫାଇଲ୍, ଚାଟ୍, PDF ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟରୁ ତଥ୍ୟ ସଂଗ୍ରହ କରି ତାହାକୁ ପରବର୍ତ୍ତୀ କାମରେ ବ୍ୟବହାର କରିପାରେ। ଏହା ଫଳରେ AI ଜଣେ ୟୁଜରଙ୍କ ବିଷୟରେ ପୂର୍ବରୁ ମିଳିଥିବା ତଥ୍ୟ ଓ ପରିପ୍ରେକ୍ଷୀକୁ ମନେ ରଖିପାରେ।

ବର୍ତ୍ତମାନ ଧ୍ରବ୍ୟଙ୍କ ସୁପ୍ରିମ ମେମୋରୀ ଷ୍ଟାର୍ଟଅପ୍ ପ୍ରାୟ ୩ ମିଲିୟନ୍ ଡଲାର, ଅର୍ଥାତ୍ ପ୍ରାୟ ୨୮ କୋଟି ଟଙ୍କାର ସିଡ୍ ଫଣ୍ଡିଂ ପାଇଛି। ଏହି ଫଣ୍ଡିଂରେ Susa Ventures, Browder Capital ଏବଂ SF1.vc ଭଳି ନିବେଶକ ସଂସ୍ଥା ସାମିଲ ଅଛନ୍ତି। Google, OpenAI ଏବଂ Cloudflare ସହ ଜଡ଼ିତ କିଛି ବରିଷ୍ଠ ଟେକ୍ନୋଲୋଜି ବ୍ୟକ୍ତି ମଧ୍ୟ ଏହି ଷ୍ଟାର୍ଟଅପ୍କୁ ସମର୍ଥନ କରିଥିବା ରିପୋର୍ଟରେ କୁହାଯାଇଛି।

ଧ୍ରବ୍ୟ ଶାହଙ୍କ ଯାତ୍ରାର ସବୁଠାରୁ ଆକର୍ଷଣୀୟ କଥା ହେଉଛି ତାଙ୍କ ବୟସ। ୨୦ ବର୍ଷ ବୟସ ପୂର୍ବରୁ ସେ ୧୫ରୁ ଅଧିକ ଓପନ୍-ସୋର୍ସ ପ୍ରୋଜେକ୍ଟ ଲଞ୍ଚ କରିଥିବା ଏବଂ ଦୁଇଟି କମ୍ପାନୀ ବିକ୍ରି କରିଥିବା କୁହାଯାଏ। IITକୁ ନେଇ ତାଙ୍କ ଶିକ୍ଷାଗତ ଯାତ୍ରା ସମ୍ପର୍କରେ ଭିନ୍ନ ତଥ୍ୟ ମଧ୍ୟ ମିଳିଥାଏ। କେତେକ ସ୍ଥାନରେ ତାଙ୍କୁ IIT ବମ୍ବେ ଛାଡ଼ିଥିବା ବୋଲି କୁହାଯାଇଥିବା ବେଳେ, ତାଙ୍କ ନିଜ ପ୍ରୋଫାଇଲରେ ସେ ଔପଚାରିକ ଭାବେ IITରେ ପଢ଼ିଥିବା କଥା ନେଇ ଭିନ୍ନ ସୂଚନା ରହିଛି।

ALSO READ- ୧୫ ବର୍ଷରେ ବଦଳିଗଲା ସ୍ମାର୍ଟଫୋନ୍ ବଜାର, ନୋକିଆ ରୁ ଆପଲ ଓ ସାମ୍ସଙ୍ଗ ପର୍ଯ୍ୟନ୍ତ ବଡ଼ ପରିବର୍ତ୍ତନ

ଧ୍ରବ୍ୟ ଶାହଙ୍କ କାହାଣୀ ଦେଖାଉଛି ଯେ ନୂଆ ଟେକ୍ନୋଲୋଜି ଶିଖିବା, ନିଜେ କିଛି ତିଆରି କରିବା ଏବଂ ନିଜ ଚିନ୍ତାଧାରା ଉପରେ କାମ କରିବା ଦ୍ୱାରା ଯୁବପିଢ଼ି ଅଳ୍ପ ବୟସରେ ମଧ୍ୟ ବଡ଼ ସଫଳତା ପାଇପାରିବେ। IIT ଭଳି ପ୍ରତିଷ୍ଠିତ ଶିକ୍ଷା ହେଉ କିମ୍ବା ନିଜର ଷ୍ଟାର୍ଟଅପ୍ସରେ ସଫଳତା ପାଇବା ଏସବୁ ପାଇଁ ଜ୍ଞାନ, ନୂଆ ଚିନ୍ତାଧାରା, ପରିଶ୍ରମ ଓ ନିରନ୍ତର ପ୍ରୟାସ ଗୁରୁତ୍ୱପୂର୍ଣ୍ଣ।

Source link



Source link

Leave A Reply

Your email address will not be published.