India Rejects US Tariff: ବାଣିଜ୍ୟ ଚୁକ୍ତିରେ ନୂଆ ବିବାଦ; ଆମେରିକା ପ୍ରସ୍ତାବକୁ ରୋକଠୋକ୍ ମନା କଲା ଭାରତ, କହିଲା, ଚାପରେ ଡିଲ୍ କରିବୁନି
ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଆଲୋଚନା ମଧ୍ୟରେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଆମେରିକାର ସର୍ତ୍ତରେ ରାଜି ହେବାକୁ ରୋକଠୋକ ମନା କରିଦେଇଛି ଭାରତ। ପ୍ରକୃତରେ ଆମେରିକା ଭାରତରୁ ଆମଦାନୀ ହେଉଥିବା ଉତ୍ପାଦଗୁଡ଼ିକ ଉପରେ ୧୨.୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦେଇଛି। ହେଲେ ଏହି ପ୍ରସ୍ତାବକୁ ଭାରତ କଡ଼ା ବିରୋଧ କରିବା ସହ ନିଷ୍ପତ୍ତିର ପୁନଃସମୀକ୍ଷା କରିବାକୁ କହିଛି।
ଭାରତର ଯୁକ୍ତି ଅନୁସାରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସମାଧାନ ଏକପାଖିଆ ଶୁଳ୍କ କିମ୍ବା ଚାପ ପ୍ରୟୋଗ ନୀତି ଦ୍ୱାରା ନୁହେଁ, ବରଂ ପାରସ୍ପରିକ ଆଲୋଚନା ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ବାର୍ତ୍ତା ମାଧ୍ୟମରେ ହେବା ଉଚିତ। ଭାରତ ସ୍ପଷ୍ଟ ସଙ୍କେତ ଦେଇଛି ଯେ ସେ ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ, କିନ୍ତୁ ଯେକୌଣସି ବିବାଦର ସମାଧାନ ଏକ ସନ୍ତୁଳିତ ଏବଂ ସ୍ୱଚ୍ଛ ପ୍ରକ୍ରିୟା ଅଧୀନରେ ହିଁ ହେବା ଆବଶ୍ୟକ।
କ’ଣ ଏହି USTR ଯାଞ୍ଚ?
ଏହି ସମ୍ପୂର୍ଣ୍ଣ ମାମଲା ଆମେରିକୀୟ ବାଣିଜ୍ୟ ପ୍ରତିନିଧି (USTR) ଙ୍କ ‘ସେକ୍ସନ ୩୦୧’ ଯାଞ୍ଚ ସହ ଜଡ଼ିତ। ଏହି ଯାଞ୍ଚରେ ଅଭିଯୋଗ କରାଯାଇଛି ଯେ, ଅନେକ ଦେଶରେ ଜବରଦସ୍ତ ଶ୍ରମଜୀବୀ କିମ୍ବା ବାଧ୍ୟତାମୂଳକ ଶ୍ରମ ଦ୍ୱାରା ପ୍ରସ୍ତୁତ ଉତ୍ପାଦର ଆମଦାନୀକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉ ନାହିଁ। ଏହି ଯାଞ୍ଚ ଆଧାରରେ ଭାରତ ସମେତ ୫୪ଟି ଦେଶରୁ ଆମେରିକା ଆସୁଥିବା ଉତ୍ପାଦ ଉପରେ ୧୨.୫% ଅତିରିକ୍ତ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଭାରତ ଏହି ଯାଞ୍ଚ ପ୍ରକ୍ରିୟା ଏବଂ ଏହାର ନିଷ୍କର୍ଷ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
ରିପୋର୍ଟର ତ୍ରୁଟି ପଦାରେ ପକାଇଲା ଭାରତ
ଏହି ସମ୍ପର୍କିତ ଏକ ସାର୍ବଜନୀନ ଶୁଣାଣି ସମୟରେ ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ବ୍ରିଜ ମୋହନ ମିଶ୍ର କହିଛନ୍ତି ଯେ, ବାଧ୍ୟତାମୂଳକ ଶ୍ରମ ପ୍ରଥାର ଉଚ୍ଛେଦ କରିବାକୁ ଭାରତ ନିଜର ଆଇନଗତ ଏବଂ ଆନ୍ତର୍ଜାତୀୟ ଦାୟିତ୍ୱ ମାନେ। ଭାରତ ଏହି ବିଷୟକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଏ ଏବଂ ଆନ୍ତର୍ଜାତୀୟ ନିୟମ ଓ ସିଦ୍ଧାନ୍ତକୁ ସମ୍ମାନ କରେ। ଭାରତ ଦର୍ଶାଇଛି ଯେ, ୟୁଏସଟିଆର ରିପୋର୍ଟରେ ଲଗାଯାଇଥିବା ଅଭିଯୋଗ ପଛରେ କୌଣସି ପର୍ଯ୍ୟାପ୍ତ ଓ ଦୃଢ଼ ପ୍ରମାଣ ନାହିଁ। କୌଣସି ଦେଶରେ ବାଧ୍ୟତାମୂଳକ ଶ୍ରମଭିତ୍ତିକ ଉତ୍ପାଦ ଆମଦାନୀ ଉପରେ ସମ୍ପୂର୍ଣ୍ଣ ରୋକ ନାହିଁ ବୋଲି ଖାଲି କହିଦେଲେ ହେବନି। ଏପରି କହି ଅନୁଚିତ ବାଣିଜ୍ୟିକ ବ୍ୟବହାରର ପ୍ରମାଣ ବୋଲି ଧରାଯାଇପାରିବ ନାହିଁ।
୪୬ଟି ଭିନ୍ନ ଅର୍ଥବ୍ୟବସ୍ଥାକୁ ଗୋଟିଏ ଶ୍ରେଣୀରେ ରଖିବା ଅନୁଚିତ
ଭାରତ ନିଜ ଆପତ୍ତିରେ ଏହା ମଧ୍ୟ କହିଛି ଯେ, ୟୁଏସଟିଆର୍ ୪୬ଟି ଭିନ୍ନ ଭିନ୍ନ ଅର୍ଥବ୍ୟବସ୍ଥାକୁ ଗୋଟିଏ ଶ୍ରେଣୀରେ ରଖି ଏହି ନିଷ୍କର୍ଷ ବାହାର କରିଛି, ଯେତେବେଳେ କି ପ୍ରତ୍ୟେକ ଦେଶର ଆର୍ଥିକ ସ୍ଥିତି, ଆଇନଗତ ଢାଞ୍ଚା ଏବଂ ବାଣିଜ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଲଗା। ଭାରତ ଅନୁଯାୟୀ, ଏହି ଯାଞ୍ଚ କିଛି ସୀମିତ ଉଦାହରଣ ଏବଂ ସାଧାରଣ ବାଣିଜ୍ୟିକ ପରିସଂଖ୍ୟାନ ଉପରେ ଆଧାରିତ। ରିପୋର୍ଟରେ କେଉଁଠି ହେଲେ ବି ଏହା ସ୍ପଷ୍ଟ କରାଯାଇ ନାହିଁ ଯେ ଭାରତର କେଉଁ ନୀତି ଯୋଗୁ ଆମେରିକୀୟ ଶିଳ୍ପ ପ୍ରକୃତରେ କ୍ଷତିଗ୍ରସ୍ତ ହେଉଛି କିମ୍ବା ଭାରତୀୟ କମ୍ପାନୀଗୁଡ଼ିକୁ କୌଣସି ଅନୁଚିତ ଲାଭ ମିଳୁଛି। ଏହି ଆଧାରରେ ଭାରତ ଆମେରିକାକୁ ଏହି ପ୍ରସ୍ତାବିତ ଅତିରିକ୍ତ ଶୁଳ୍କ ଉପରେ ପୁନର୍ବାର ବିଚାର କରିବାକୁ ଅପିଲ୍ କରିଛି।
ଚାଉଳ ଆମଦାନୀକୁ ନେଇ ମଧ୍ୟ ଭାରତ ଦେଲା ଜବାବ
ଶୁଣାଣି ସମୟରେ କୃଷି ଓ ପ୍ରୋସେସିଂ ଫୁଡର ରପ୍ତାନି ବିକାଶ କର୍ତ୍ତୃପକ୍ଷ (APEDA) ପକ୍ଷରୁ ମଧ୍ୟ ଭାରତର ପକ୍ଷ ରଖାଯାଇଥିଲା। ୱାଶିଂଟନ ସ୍ଥିତ ଭାରତୀୟ ଦୂତାବାସର ପ୍ରଥମ ସଚିବ ଶ୍ରେୟଂସ ଗୁପ୍ତା ଆମେରିକାର ଦାବିକୁ ଜୋରଦାର ବିରୋଧ କରିଥିଲେ। ଆମେରିକା ଅଭିଯୋଗ କରିଥିଲା ଯେ ଭାରତରୁ ବାଧ୍ୟତାମୂଳକ ଶ୍ରମ ଦ୍ୱାରା ଉତ୍ପାଦିତ ଚାଉଳ ଆମଦାନୀ କରାଯାଉଛି। ହେଲେ ଶ୍ରେୟଂସ ଗୁପ୍ତା ଏହାକୁ ବିରୋଧ କରିଥିଲେ।
ଏନେଇ ଭାରତ କହିଥିଲା ଯେ ଆମେରିକାକୁ ଚାଉଳ ରପ୍ତାନି କରିବାର ଅନୁମତି କେବଳ ସେହି ରାଇସ୍ ମିଲ୍ ଏବଂ ପ୍ରକ୍ରିୟାକରଣ ୟୁନିଟ୍ଗୁଡ଼ିକରୁ ଦିଆଯାଏ, ଯାହା କୃଷି ମନ୍ତ୍ରଣାଳୟ ଅଧୀନରେ ପଞ୍ଜୀକୃତ ହୋଇଥାନ୍ତି। ଏହାର ଅର୍ଥ ହେଉଛି ଭାରତୀୟ ଚାଉଳ ରପ୍ତାନିର ସମ୍ପୂର୍ଣ୍ଣ ପ୍ରକ୍ରିୟା ପୂର୍ବରୁ ନିର୍ଦ୍ଧାରିତ ନିୟମ ଏବଂ କଡ଼ା ନଜରରେ ପରିଚାଳିତ ହେଉଛି। ତେଣୁ ଆମେରିକୀୟ ରିପୋର୍ଟରେ ଲଗାଯାଇଥିବା ଅଭିଯୋଗ ବାସ୍ତବ ସ୍ଥିତିକୁ ଦର୍ଶାଉ ନାହିଁ ବୋଲି ଭାରତ କହିଛି।
ଶିଳ୍ପ ଜଗତ ମଧ୍ୟ ଶୁଳ୍କ ପ୍ରସ୍ତାବର ବିରୋଧୀ
ସରକାରଙ୍କ ବ୍ୟତୀତ ଭାରତୀୟ ଶିଳ୍ପ ସଂଗଠନଗୁଡ଼ିକ ମଧ୍ୟ ଏହି ପ୍ରସ୍ତାବିତ ଅତିରିକ୍ତ ଶୁଳ୍କକୁ ବିରୋଧ କରିଛନ୍ତି। ଫିକି (FICCI) ର କହିବା ଅନୁଯାୟୀ, ଅତିରିକ୍ତ ଶୁଳ୍କର ପ୍ରଭାବ କେବଳ ଭାରତୀୟ ରପ୍ତାନିକାରୀଙ୍କ ମଧ୍ୟରେ ସୀମିତ ରହିବ ନାହିଁ। ଏହାଦ୍ୱାରା ଆମେରିକୀୟ ଆମଦାନୀକାରୀ, ନିର୍ମାତା କମ୍ପାନୀ, ଖୁଚୁରା ବ୍ୟବସାୟ ଏବଂ ଶେଷରେ ଆମେରିକୀୟ ଗ୍ରାହକମାନଙ୍କ ଉପରେ ମଧ୍ୟ ଖର୍ଚ୍ଚର ବୋଝ ବଢ଼ିବ। ଫିକି ଅନୁସାରେ ଭାରତର ଆଇନଗତ ଢାଞ୍ଚା, ଶିଳ୍ପଗୁଡ଼ିକର ନିୟମାନୁବର୍ତ୍ତିତା ଏବଂ ଦୁଇ ଦେଶ ମଧ୍ୟରେ ଥିବା ମଜବୁତ ଯୋଗାଣ ଶୃଙ୍ଖଳ ଏଭଳି ଅତିରିକ୍ତ ଶୁଳ୍କକୁ ଆଦୌ ଯୁକ୍ତିଯୁକ୍ତ ପ୍ରମାଣିତ କରୁ ନାହିଁ ବୋଲି ଫିକି କହିଛି।
ସେହିପରି ଭାରତୀୟ ଶିଳ୍ପ ମହାସଂଘ (CII) ମଧ୍ୟ ପ୍ରସ୍ତାବିତ ୧୨.୫% ଅତିରିକ୍ତ ଶୁଳ୍କକୁ ବିରୋଧ କରିଛି। ସଂଗଠନର କହିବା କଥା ହେଲା ଯେ ଉପଲବ୍ଧ ତଥ୍ୟ ଏବଂ ପ୍ରମାଣ ଆଧାରରେ ଏଭଳି ଅତିରିକ୍ତ ଶୁଳ୍କକୁ ଗ୍ରହଣ କରାଯାଇପାରିବ ନାହିଁ। ଭାରତର ନୀତିଗୁଡ଼ିକ ଆମେରିକୀୟ ବାଣିଜ୍ୟ ଉପରେ ଅନୁଚିତ ବୋଝ ପକାଉଛି ବୋଲି USTR ଏହା ପ୍ରମାଣିତ କରିବାରେ ବିଫଳ ହୋଇଛି ବୋଲି ସିଆଇଆଇ କହିଛି।
କେବେ ଆରମ୍ଭ ହୋଇଥିଲା ଏହି ଯାଞ୍ଚ?
USTR ମାର୍ଚ୍ଚ ୨୦୨୬ରେ ‘ସେକ୍ସନ ୩୦୧’ ଅଧୀନରେ ବାଧ୍ୟତାମୂଳକ ଶ୍ରମ ଏବଂ ଅତ୍ୟଧିକ ଶିଳ୍ପ କ୍ଷମତା ସହ ଜଡ଼ିତ ସମସ୍ୟା ଉପରେ ୬୦ଟି ଅର୍ଥବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଥିଲା। ଏହାପରେ ଜୁନ୍ ୨୦୨୬ରେ ରିପୋର୍ଟ ଜାରି କରାଯାଇଥିଲା, ଯେଉଁଥିରେ ଭାରତ ଏବଂ ଚୀନ୍ ସମେତ ୫୪ଟି ଦେଶର ଉତ୍ପାଦ ଉପରେ ୧୨.୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦିଆଯାଇଥିଲା।
ଆଗକୁ କ’ଣ ହେବ?
ବର୍ତ୍ତମାନ ସମସ୍ତଙ୍କ ନଜର ଏହା ଉପରେ ରହିବ ଯେ, ଆମେରିକା ଭାରତର ଏହି ଆପତ୍ତିଗୁଡ଼ିକୁ କେତେ ଗୁରୁତ୍ୱ ଦେଉଛି ଏବଂ ପ୍ରସ୍ତାବିତ ଶୁଳ୍କ ଉପରେ ପୁନର୍ବାର ବିଚାର କରୁଛି କି ନାହିଁ। ତେବେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି ଯେ, ସେ ପ୍ରତ୍ୟେକ ପ୍ରସଙ୍ଗରେ ରଚନାତ୍ମକ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ବାଣିଜ୍ୟିକ ବିବାଦର ସମାଧାନ ଏକପାଖିଆ ନିଷ୍ପତ୍ତି ବଦଳରେ ପାରସ୍ପରିକ ବିଶ୍ୱାସ, ସନ୍ତୁଳିତ ବାର୍ତ୍ତା ଏବଂ ଦ୍ୱିପାକ୍ଷିକ ସହଯୋଗ ମାଧ୍ୟମରେ ହିଁ ହେବା ଉଚିତ।
