Karnataka Tobacco Ban 2026: ତମାଖୁ ଓ ନିକୋଟିନ୍ ଥିବା ଗୁଟଖା ଓ ପାନ ମସଲା ବ୍ୟାନ କଲା କର୍ଣ୍ଣାଟକ: ଜନସ୍ୱାସ୍ଥ୍ୟ ପାଇଁ ବଡ଼ ପଦକ୍ଷେପ
ବେଙ୍ଗାଲୁରୁ: ଗତକାଲି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ (FSSAI)। ପାନ ମସଲାର ପ୍ଲାଷ୍ଟିକ୍ ପ୍ୟାକେଜିଂ ବ୍ୟାନ୍ କରିଥିବା ବେଳେ କର୍ଣ୍ଣାଟକ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ଷକ ପାଇଁ ରାଜ୍ୟରେ ତମାଖୁ ଓ ନିକୋଟିନ ସାମଗ୍ରୀ ବହନ କରୁଥିବା ସମସ୍ତ ପ୍ରକାର ଗୁଟଖା ଓ ପାନ ମସଲା ଉପରେ ବ୍ୟାନ ଲଗାଇଛନ୍ତି। ଅଗଷ୍ଟ ୧୦ ତାରିଖରେ ଏକ ବିଜ୍ଞପ୍ତି ଜାରି କରି ସରକାର ଏହି ସୂଚନା ଦେଇଛନ୍ତି।
ଲୋକଙ୍କ ସ୍ୱାସ୍ଥ୍ୟ ହିତରେ ଏହି ବ୍ୟାନ ଲଗାଯାଇଛି ବୋଲି କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି। ଏହିସବୁ ସାମଗ୍ରୀର ବିକ୍ରି, ଡିଷ୍ଟ୍ରିବ୍ୟୁସନ ଓ ପ୍ରଡକ୍ସନ ଉପରେ ବ୍ୟାନ୍ ଲାଗିଥିବା ବେଳେ କଞ୍ଜପସନ ବା ବ୍ୟବହାର ଉପରେ କିନ୍ତୁ ରୋକ ଲଗାଯାଇ ନାହିଁ। ବ୍ୟବହାର ନେଇ ସରକାରୀ ବିଜ୍ଞପ୍ତୀରେ କୌଣସି ସୂଚନା ଦିଆଯାଇ ନାହିଁ।
ଖାଦ୍ୟ ସୁରକ୍ଷା ଏବଂ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍ ବିଭାଗର ‘ଫୁଡ୍ ସେଫ୍ଟି ଡିଭିଜନ୍’ ପକ୍ଷରୁ ଗୁଟ୍ଖା, ପାନ୍ ମସଲା ଏବଂ ତମାଖୁ କିମ୍ବା ନିକୋଟିନ୍ ଥିବା ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀର ଉତ୍ପାଦନ, ସଂରକ୍ଷଣ, ପରିବହନ, ବଣ୍ଟନ ଓ ବିକ୍ରି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଖାଦ୍ୟ ସୁରକ୍ଷା ଅଧିକାରୀ (FSO) ମାନଙ୍କ ନେତୃତ୍ୱରେ ସାରା କର୍ଣ୍ଣାଟକରେ ଏଥିପାଇଁ ସ୍ୱତନ୍ତ୍ର ଯାଞ୍ଚ ଏବଂ ଚଢ଼ାଉ ଅଭିଯାନ ଜାରି ରହିଛି।
ଖାଦ୍ୟ ସୁରକ୍ଷା ଓ ମାନକ ଆଇନ୍, ୨୦୦୬ର ଧାରା ୩୦(୨)(a) ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରି ପ୍ରତିବନ୍ଧକ ଏବଂ କଟକଣା) ନିୟମାବଳୀ, ୨୦୧୧ର ନିୟମ ୨.୩.୪ ଅନୁଯାୟୀ ବିଭାଗ ପକ୍ଷରୁ ଅଗଷ୍ଟ ୧୦ ତାରିଖରେ ଏହି ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖରୁ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଏହି ବ୍ୟାନ୍ ସାରା ରାଜ୍ୟରେ ବଳବତ୍ତର ରହିବ।
ଏକ “ସ୍ୱାସ୍ଥ୍ୟକର ଓ ନିଶାମୁକ୍ତ କର୍ଣ୍ଣାଟକ” ଗଠନ କରିବା ପାଇଁ ସରକାର ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ନିଷିଦ୍ଧ ତମାଖୁ ଓ ନିକୋଟିନ୍ ଯୁକ୍ତ ସାମଗ୍ରୀର ଉତ୍ପାଦନ, ବିକ୍ରି କିମ୍ବା ବଣ୍ଟନ ସମ୍ପର୍କରେ କୌଣସି ସୂଚନା ମିଳିଲେ, ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
