NATO Arms Deals: ଟ୍ରମ୍ପ କାଗଜ ବାଘ କହି ସମାଲୋଚନା କରିବା ପରେ ନାଟୋର ମେଗା ଅସ୍ତ୍ର ଚୁକ୍ତି, ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ କରିବ
ଅଙ୍କାରା: ନାଟୋ (NATO) ସଦସ୍ୟ ଦେଶଗୁଡ଼ିକ ମଙ୍ଗଳବାର ତୁର୍କୀର ରାଜଧାନୀ ଆଙ୍କାରାରେ ଅନୁଷ୍ଠିତ ପ୍ରତିରକ୍ଷା ଶିଳ୍ପ ସମ୍ମିଳନୀରେ ଦଶ ବିଲିୟନରୁ ଅଧିକ ଡଲାର ମୂଲ୍ୟର ଅସ୍ତ୍ର କ୍ରୟ ଚୁକ୍ତି ଘୋଷଣା କରିଛନ୍ତି। ନାଟୋ ମହାସଚିବ ମାର୍କ ରୁଟେ କହିଛନ୍ତି ଯେ, ବର୍ତ୍ତମାନର ସୁରକ୍ଷା ଚ୍ୟାଲେଞ୍ଜକୁ ମୁକାବିଲା ପାଇଁ “ଟ୍ରାନ୍ସ-ଆଟଲାଣ୍ଟିକ୍ ପ୍ରତିରକ୍ଷା ଶିଳ୍ପ ବିପ୍ଳବ” ଆବଶ୍ୟକ। ସେ କହିଛନ୍ତି, କେବଳ ଅର୍ଥ ବ୍ୟୟ କଲେ ହେବ ନାହିଁ, ଶୀଘ୍ର ଚୁକ୍ତି ସମ୍ପାଦନ ଓ ଉତ୍ପାଦନ ବଢ଼ାଇବା ଉପରେ ମଧ୍ୟ ଜୋର ଦେବାକୁ ପଡ଼ିବ। ରୁଟେଙ୍କ କହିବା ଅନୁଯାୟୀ, ଗତ ବର୍ଷକରେ ନାଟୋ ସଦସ୍ୟମାନେ ୩୭ ବିଲିୟନ ଡଲାର ବ୍ୟୟ କରିଛନ୍ତି ଏବଂ ଆସନ୍ତା ବର୍ଷ ସୁଦ୍ଧା ସହଯୋଗୀରାଷ୍ଟ୍ରମାନେ ମିଳିତ ଭାବେ ୪୦ ଲକ୍ଷ ଆର୍ଟିଲେରୀ ଶେଲ୍ ଉତ୍ପାଦନ କ୍ଷମତା ହାସଲ କରିବେ।
୫ ବର୍ଷରେ ୪୦ ବିଲିୟନ ଡଲାର ନିବେଶ
ନାଟୋ ସଦସ୍ୟ ଦେଶଗୁଡ଼ିକ ଆଗାମୀ ୫ ବର୍ଷ ମଧ୍ୟରେ ଆଣ୍ଟି-ଡ୍ରୋନ୍ କ୍ଷମତା ବୃଦ୍ଧି ପାଇଁ ୪୦ ବିଲିୟନ ଡଲାରରୁ ଅଧିକ ନିବେଶ କରିବେ ବୋଲି ରୁଟେ ଘୋଷଣା କରିଛନ୍ତି। ଏହି ଚୁକ୍ତି ଅନୁସାରେ ୟୁରୋପୀୟ ଦେଶଗୁଡ଼ିକ ଆମେରିକୀୟ କମ୍ପାନୀ ନର୍ଥରପ ଗ୍ରୁନମନ(Northrop Grumman) ଠାରୁ ଅତ୍ୟାଧୁନିକ ସର୍ଭିଲାନ୍ସ ଡ୍ରୋନ୍ କିଣିବେ। ସେହିପରି ନାଟୋ ସ୍ୱିଡେନର ସାବ କମ୍ପାନୀଠାରୁ ୧୦ଟି ଗ୍ଲୋବାଲ ଆଇ ସର୍ଭିଲାନ୍ସ ବିମାନ କ୍ରୟ କରିବ। ସ୍ୱିଡେନର ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ୍ ଏହାକୁ ନାଟୋ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି।
ୟୁରୋପରେ ମିସାଇଲ ଉତ୍ପାଦନ ଯୋଜନା
ଆମେରିକା ଜର୍ମାନୀ ସମେତ ଅନ୍ୟ ଦେଶମାନଙ୍କ ସହ ୟୁରୋପରେ ମିଳିତ ଭାବେ ମିସାଇଲ ଉତ୍ପାଦନ ପାଇଁ ଆଲୋଚନା କରୁଛି। ୟୁକ୍ରେନ ଓ ଇରାନ ଯୁଦ୍ଧ ପରେ ଆମେରିକାର ଅସ୍ତ୍ର ଭଣ୍ଡାର ଉପରେ ଚାପ ବଢ଼ିଥିବାରୁ ଏହି ପଦକ୍ଷେପ ନିଆଯାଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ନାଟୋ ସଦସ୍ୟ ଦେଶମାନଙ୍କୁ ପ୍ରତିରକ୍ଷା ଖର୍ଚ୍ଚ କମ୍ କରିବା ଓ ଆମେରିକା ଉପରେ ଅତ୍ୟଧିକ ନିର୍ଭରଶୀଳ ରହିବାକୁ ନେଇ ସମାଲୋଚନା କରିଆସୁଛନ୍ତି। ସେ ନାଟୋକୁ “ପେପର ଟାଇଗର” ବୋଲି କହିବା ସହ ଆମେରିକା ବିନା ଏହି ସାମରିକ ମେଣ୍ଟ୍ରୀ ପ୍ରଭାବହୀନ ହୋଇଯିବ ବୋଲି ମତ ଦେଇଛନ୍ତି। ଏପରି ସ୍ଥିତିରେ ୟୁରୋପୀୟ ଦେଶମାନେ ପ୍ରତିରକ୍ଷା ଖର୍ଚ୍ଚ ବଢ଼ାଇବା ସହ ମିଳିତ ଭାବେ ଅସ୍ତ୍ର ଉତ୍ପାଦନ ଓ କ୍ରୟ ଉପରେ ଗୁରୁତ୍ୱ ଦେଉଛନ୍ତି।
