Poland to Odisha love story: ପ୍ରେମ ପାଇଁ ସାତ ଦରିଆ ପାରି ହୋଇ ଆସିଲେ ବିଦେଶିନୀ, ଶଙ୍ଖା ଓ ସିନ୍ଦୂର ପିନ୍ଧି ଏବେ ଓଡ଼ିଆ ଘରର ବୋହୂ
ଆଠଗଡ଼ : କାନ୍ଥରେ ଲେଖା ଅଛି ଡିଆନା ୱେଡ୍ସ ସୁବଳ। ବାଜୁଛି ସାହାନାଇ , ପଡ଼ୁଛି ହାତଗଣ୍ଠି। ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପୂରା ପରିବେଶ। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ପ୍ରେମ ପକ୍ଷୀ। ଆରମ୍ଭ କରିଛନ୍ତି ଜୀବନର ଏକ ନୂଆ ଅଧ୍ୟାୟ। ଏ ଦୃଶ୍ୟ ଦେଖିବା ପରେ କିଛି ଭିନ୍ନତା ଆପଣ ନିଶ୍ଚୟ ଅନୁଭବ କରିପାରୁଥିବେ। କାରଣ ବର ଖାଣ୍ଟି ଓଡ଼ିଆକୁ କନିଆ ବିଦେଶିନୀ। ଅର୍ଥାତ୍ ଓଡ଼ିଶା ପୁଅକୁ ପୋଲାଣ୍ଡ କନିଆଁ। ମନ ମିଶିଲା , ଜଗାର ଭକ୍ତି ଟାଣି ଆଣିଲା। ଏବେ ସାତ ଦରିଆ ପାରି ହୋଇ ଆସି ଡିଆନା ଓଡ଼ିଆ ଘରର ବୋହୂ। କଟକ ଜିଲ୍ଲା ଆଠଗଡ ମହାଲଷ୍ମୀପୂର ଅଞ୍ଚଳର ଏହି ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା।
କଟକ ଆଠଗଡ ମହାଲଷ୍ମୀପୁର ଗ୍ରାମର ରତ୍ନାକର ବେଉରାଙ୍କ ପୁଅ ସୁବଳ ବେଉରା। ବର୍ଷେ ତଳେ ଚାକିରି କରିବା ଲାଗି ଯାଇଥିଲେ ନେଦରଲ୍ୟାଣ୍ଡ୍। ସେଠାରେ ଏକ ହୋଟେଲରେ ପୋଲାଣ୍ଡର ବିଦେଶୀ ଝିଅ ଡ଼ିଆନା ସହ ହୁଏ ଦେଖା। ସେହିଠାରୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମ କାହାଣୀ। ଡିଆନାଙ୍କ ହାତ ଧରିବାକୁ ସୁବଳଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଛି। ସେ ବାହା ହେବାକୁ ଇଣ୍ଟରଭ୍ୟୁ ଦେଇଛନ୍ତି, ପୋଲାଣ୍ଡରେ ଘାସ ବି କାଟିଛନ୍ତି। ଏବେ ଦୁକହିଁଙ୍କ ପ୍ରେମ ହୋଇଛି ସଫଳ। ଉଭୟ ଉଭୟଙ୍କ ପରିବାରକୁ ବୁଝାସୁଝା କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ପାଦରେ ଅଳତା, ମଥାରେ ସିନ୍ଦୂର, ହାତରେ ନାଲି ଶଙ୍ଖାକୁ ମୁଣ୍ଡରେ ନାଲି ଓଢଣୀ। ପୂରା ଓଡ଼ିଆଣୀ ବେଶରେ ଝଟକୁଛି ବିଦେଶୀ ବୋହୂ। ସେ ଏବେ ଜଗା ଭକ୍ତିରେ ବାନ୍ଧା। ଓଡ଼ିଆ କଥା କହୁଛି, ଓଡ଼ିଆ ଘରର ରାନ୍ଧଣା ଶିଖୁଛି। ଆଉ ଓଡ଼ିଆ ପରମ୍ପରା ଓ ରୀତିନୀତିରେ ଆପଣେଇ ନେଇଛି। ଏମିତି ବୋହୂ ପାଇଁ ପୁଅ ଘର ଲୋକେ ସମସ୍ତେ ଖୁସି।
ଏବେ ବାହାଘର ପରେ ବୋହୂକୁ ଦେଖିବାକୁ ପଡିଶା ଘର ଲୋକଙ୍କ ଜମିଛି ଭିଡ଼। ସମସ୍ତେ ଖୁସି ହେବା ପୁଅ ବୋହୂକୁ କରିଛନ୍ତି ଆଶୀର୍ବାଦ। ଏହି ବିବାହକୁ ନେଇ ଏବେ ପୂରା ଅଞ୍ଚଳରେ ଚର୍ଚ୍ଚା ହେବା ସହ ବିଦେଶୀ ବୋହୂର ପ୍ରଶଂସା ବି ଖୁବ୍ ହେଉଛି।
