ନୂଆଦିଲ୍ଲୀ: ଲୋକପ୍ରୀୟ ୟୁଟ୍ୟୁବର ତଥା ‘ଟ୍ରିଗର୍ଡ ଇନସାନ୍’ (Triggered Insaan) ନାଁରେ ପରିଚିତ ସୋସିଆଲ ମିଡିଆ ଷ୍ଟାର ନିଶ୍ଚୟ ମଲହାନ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଆସାମର ଭୟଙ୍କର ବନ୍ୟାରେ ଲକ୍ଷାଧିକ ଲୋକ ପୀଡ଼ିତ ହୋଇଛନ୍ତି । ବନ୍ୟାରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୦ ଜଣଙ୍କର ମୃତ୍ୟୁ ଘଟିଛି, ତା’ସହିତ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ସମଗ୍ର ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି ।
ଏହି ସଙ୍କଟ ସମୟରେ ସାରା ଦେଶରୁ ସରକାର, ସଂଗଠନ, ବ୍ୟକ୍ତିବିଶେଷ ଏବଂ ସାଧାରଣ ନାଗରିକ ସାହାଯ୍ୟର ହାତ ବଢ଼ାଉଛନ୍ତି । ଏହି ପ୍ରଚେଷ୍ଟାରେ ଜଣାଶୁଣା ୟୁଟ୍ୟୁବର ଏବଂ ଷ୍ଟ୍ରିମର ‘ଟ୍ରିଗର୍ଡ ଇନସାନ୍’ ଅର୍ଥାତ୍ ନିଶ୍ଚୟ ମଲହାନଙ୍କ ନାଁ ମଧ୍ୟ ସାମିଲ ହୋଇଛି ।
ସେ ଆସାମର ବନ୍ୟା ପୀଡ଼ିତଙ୍କ ସାହାଯ୍ୟ ପାଇଁ ୟୁଟ୍ୟୁବରେ କ୍ରମାଗତ ୫୦ ଘଣ୍ଟା ପର୍ଯ୍ୟନ୍ତ ମାରାଥନ୍ ଲାଇଭ୍-ଷ୍ଟ୍ରିମ୍ କରି ୭୦ ଲକ୍ଷ ଟଙ୍କା ଏକାଠି କରିଛନ୍ତି । ସାରା ଦେଶରୁ ହଜାର ହଜାର ଦର୍ଶକ ଏହି ଲାଇଭ୍ ସହ ଯୋଡ଼ି ହୋଇଥିଲେ । ଶୁକ୍ରବାର ଜୁଲାଇ ୩୧ରୁ ଆରମ୍ଭ ହୋଇଥିବା ଏହି ଲାଇଭଷ୍ଟ୍ରିମରେ ୫୩.୫ ଲକ୍ଷ ଟଙ୍କାରୁ ଅଧିକ ସହାୟତା ଦିଆଯାଇଥିଲା । ବଳକା ଟଙ୍କା ମଲହାନ ପରିବାର ଦାନ କରିଥିଲେ । ମୋଟ ପ୍ରାୟ ୭୦ ଲକ୍ଷ ଟଙ୍କା ଜମା ହୋଇଥିଲା ।
ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି ୟୁଟ୍ୟୁବର ଏହି ସୂଚନା ଦେଇଛନ୍ତି । ସୋସିଆଲ୍ ମିଡିଆ ପୋଷ୍ଟର କ୍ୟାପ୍ସନରେ ସେ ଲେଖିଛନ୍ତି, ‘ଏବେ ନିକଟରେ ୫୦ ଘଣ୍ଟା ନ ଶୋଇ ମାରାଥନ୍ ଷ୍ଟ୍ରିମ୍ ଶେଷ କଲି ଏବଂ ୭୦ ଲକ୍ଷ ଟଙ୍କା ଏକାଠି କଲି । ୧୦ ଲକ୍ଷ ଟଙ୍କା ମୁଁ ନିଜେ ଦାନ କଲି, ୫ ଲକ୍ଷ ଟଙ୍କା ଫୁକରା ଇନସାନ୍ ଦାନ କଲେ, ୧ ଲକ୍ଷ ଟଙ୍କା ପ୍ରେରଣା ଏବଂ ୫୦ ହଜାର ଟଙ୍କା ରୁଚିକା ଦାନ କଲେ । ଆସାମ ବନ୍ୟା ପାଇଁ ଦର୍ଶକମାନେ ୫୪ ଲକ୍ଷ ଟଙ୍କାରୁ ଅଧିକ ଏକାଠି କଲେ ।’
ସୋସିଆଲ ମିଡିଆରେ ମିଳିଲା ପ୍ରଶଂସା
ଅନଲାଇନରେ ତାଙ୍କର ଏହି ପଦକ୍ଷେପକୁ ବେଶ ପ୍ରଶଂସା କରାଯାଇଛି । ଫ୍ୟାନ୍ସମାନେ କେବଳ ଏତେ ଲମ୍ବା ଲାଇଭଷ୍ଟ୍ରିମ୍ ଜାରି ରଖିବାର ତାଙ୍କ ଧୈର୍ଯ୍ୟ ଓ ସାହସକୁ ପ୍ରଶଂସା କରିନାହାନ୍ତି, ବରଂ ଏହି ମହତ୍ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଛନ୍ତି ।
