Voice of Eastern India

ଆମେରିକା- ଜର୍ମାନୀ ଫେଲ୍ ! ଭାରତରେ ତିଆରି ହେବ ରୁଷର ମାରାତ୍ମକ ଟ୍ୟାଙ୍କ T-90MS


ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଓ ରୁଷର ପୁରୁଣା ବନ୍ଧୁତା ଏବେ ଏକ ନୂଆ ମୋଡ଼ ନେବାକୁ ଯାଉଛି। ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏକ ବଡ଼ ଚାଲ୍ ଖେଳିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ରୁଷର ସବୁଠୁ ସାଂଘାତିକ ଓ ମାରାତ୍ମକ ଯୁଦ୍ଧ ଟ୍ୟାଙ୍କ T-90MSକୁ ଭାରତରେ ମିଳିତ ଭାବେ ତିଆରି କରିବା ପାଇଁ ମସ୍କୋ ପକ୍ଷରୁ ଏକ ବଡ଼ ପ୍ରସ୍ତାବ ଦିଆଯାଇଛି। ରୁଷର ସରକାରୀ ପ୍ରତିରକ୍ଷା ରପ୍ତାନିକାରୀ ସଂସ୍ଥା ‘ରୋସୋବୋରନଏକ୍ସପୋର୍ଟ’ (ROE) ପକ୍ଷରୁ ଏହି ଅଫର ମିଳିଛି, ଯେଉଁଥିରେ ପର୍ଯ୍ୟାୟକ୍ରମେ ଭାରତ ଭିତରେ ହିଁ ଏହି ଟ୍ୟାଙ୍କର ସମସ୍ତ ପାର୍ଟସ ନିର୍ମାଣ କରାଯିବ।

କାହିଁକି ଏହି ପ୍ରସ୍ତାବ ଭାରତ ପାଇଁ ସହଜ ?

ଭାରତୀୟ ସେନା ପାଖରେ ପୂର୍ବରୁ ହିଁ ରୁଷ ନିର୍ମିତ T-72 ଏବେ T-90S ଟ୍ୟାଙ୍କର ଏକ ବିଶାଳ ବାହିନୀ ରହିଛି। ଭାରତୀୟ ପ୍ରତିରକ୍ଷା ସଂସ୍ଥାଗୁଡ଼ିକ ଏହି ଟ୍ୟାଙ୍କଗୁଡ଼ିକର ଆଧୁନିକୀକରଣ କାମ ମଧ୍ୟ କରୁଛନ୍ତି। ରୁଷ କହିବା କଥା, ଭାରତୀୟ କମ୍ପାନୀଗୁଡ଼ିକର ଏହି ପୁରୁଣା ଅଭିଜ୍ଞତା ଯୋଗୁ ନୂଆ ଆଧୁନିକ T-90MS ଟ୍ୟାଙ୍କର ଉତ୍ପାଦନ ଖୁବ୍ ଶୀଘ୍ର ଏବଂ କମ୍ ଖର୍ଚ୍ଚରେ ହୋଇପାରିବ।

Also Read: ଋଷର ଦୀର୍ଘଦିନର ଗେମ ପ୍ଲାନ୍ରେ ଭାରତର ଏଣ୍ଟ୍ରି, ଥରେ ସଫଳ ହେଲେ ଡରାଇ ପାରିବନି ଆମେରିକା

ରୁଷର ମାଷ୍ଟର ପ୍ଲାନ:

ପ୍ରଥମ ପର୍ଯ୍ୟାୟ: ରୁଷରୁ ଟେକ୍ନୋଲୋଜି କିଟ୍ ଆସିବ ଏବଂ ଭାରତୀୟ କାରଖାନାରେ ଏହାର ଆସେମ୍ବଲି ହେବ।

ଦ୍ୱିତୀୟ ପର୍ଯ୍ୟାୟ: ଧୀରେ ଧୀରେ ଭାରତୀୟ ସ୍ଥାନୀୟ ଶିଳ୍ପ ସହାୟତାରେ ଏହାର ସମସ୍ତ ଯନ୍ତ୍ରାଂଶ ଏଠାରେ ତିଆରି କରାଯିବ।

କାହିଁକି ଏତେ ଭୟଙ୍କର T-90MS ଟ୍ୟାଙ୍କ ?

T-90MS ହେଉଛି ରୁଷର ସର୍ବାଧୁନିକ T-90M ଟ୍ୟାଙ୍କ ପରିବାରର ରପ୍ତାନି ସଂସ୍କରଣ, ଯାହାକୁ ବିଶ୍ୱପ୍ରସିଦ୍ଧ ‘ଉରାଲଭାଗନଜାଭୋଡ୍’ କମ୍ପାନୀ ପ୍ରସ୍ତୁତ କରିଛି। ଏହି ଟ୍ୟାଙ୍କରେ ଏମିତି କିଛି ଟେକ୍ନୋଲୋଜି ଅଛି ଯାହା ଶତ୍ରୁ ପାଇଁ କାଳ ସାଜିବ।

ଡିଜିଟାଲ ଆର୍କିଟେକ୍ଚର: ଏଥିରେ ଅତ୍ୟାଧୁନିକ ଫାୟାର କଣ୍ଟ୍ରୋଲ ସିଷ୍ଟମ ଅଛି, ଯାହା ଅତି ସହଜରେ ଶତ୍ରୁର ସ୍ଥିତି ଚିହ୍ନଟ କରି ଟାର୍ଗେଟ କରିପାରେ।

ଗାଇଡେଡ୍ ମିସାଇଲ୍: ଏହି ଟ୍ୟାଙ୍କରୁ ଶକ୍ତିଶାଳୀ ଗାଇଡେଡ୍ ମିସାଇଲ୍ ଓ ଅତ୍ୟାଧୁନିକ ଗୋଳାବାରୁଦ ମାଡ଼ କରାଯାଇପାରିବ।

ଅଭେଦ୍ୟ ସୁରକ୍ଷା କବଚ: ଡ୍ରୋନ୍ ଆଟାକରୁ ବଞ୍ଚିବା ପାଇଁ ଏଥିରେ ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ ଏବଂ ବିସ୍ଫୋରକ ପ୍ରତିରୋଧୀ ଆର୍ମର (Explosive Reactive Armour) ଲଗାଯାଇଛି।

ଆମେରିକା ଓ ଜର୍ମାନୀ ଟ୍ୟାଙ୍କକୁ ଦେଉଛି କଡ଼ା ଟକ୍କର!

ୟୁକ୍ରେନ ଯୁଦ୍ଧ ଭୂମିରେ ଏହି T-90M ଟ୍ୟାଙ୍କର ପ୍ରଦର୍ଶନ ଖୁବ୍ ଚମତ୍କାର ରହିଥିବା ରୁଷ ଦାବି କରିଛି। ଏପରିକି ଆମେରିକାର ସବୁଠୁ ଶକ୍ତିଶାଳୀ M1 ଆବ୍ରାମ୍ସ (M1 Abrams) ଏବଂ ଜର୍ମାନୀର ଲେପାର୍ଡ ୨ (Leopard 2) ଟ୍ୟାଙ୍କ ତୁଳନାରେ ଏହା ଯୁଦ୍ଧ ମଇଦାନରେ ଅଧିକ ସଫଳ ସାବ୍ୟସ୍ତ ହୋଇଛି ବୋଲି ରୁଷର ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି।

ଭାରତୀୟ ସେନା ଏବେ ନିଜର ସ୍ଥଳ ବାହିନୀର ଆଧୁନିକୀକରଣ ଉପରେ ଜୋର ଦେଉଛି। ଯଦିଓ ଏହି ମିଳିତ ଉତ୍ପାଦନ ନେଇ କୌଣସି ଚୂଡ଼ାନ୍ତ ଚୁକ୍ତି ସ୍ୱାକ୍ଷରିତ ହୋଇନାହିଁ, କିନ୍ତୁ ରୁଷର ଏହି ଅଫର ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ଏକ ବଡ଼ ସଫଳତା ଦେଇପାରେ।

Source link



Source link

Leave A Reply

Your email address will not be published.