Voice of Eastern India

ଭୟଙ୍କର ଭୂସ୍ଖଳନ: ଶିଶୁଙ୍କ ସମେତ ୮ ମୃତ, ମାଟି ତୋଳେ ପୋତି ହୋଇଗଲା ଅନେକ ଘର


କୋହିମା: ନାଗାଲାଣ୍ଡର ମୋନ୍ ଜିଲ୍ଲାର ଡିଫେନ୍ସ କଲୋନୀରେ ରବିବାର ଭୋରୁ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଶିଶୁଙ୍କ ସମେତ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଭୂସ୍ଖଳନରେ ଏକାଧିକ ଘର ମାଟିତଳେ ପୋତି ହୋଇଯାଇଥିବା ବେଳେ ବହୁ ଲୋକ ଧ୍ୱଂସାବଶେଷ ତଳେ ଫସି ରହିଥିଲେ। ଘଟଣା ସ୍ଥଳରେ ବିଭିନ୍ନ ସଂସ୍ଥା ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ।

ନାଗାଲାଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୪ଟି ମୃତଦେହ ଉଦ୍ଧାର କରିଛନ୍ତି। ଆଉ ୪ ଜଣ ଧ୍ୱଂସାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ମଧ୍ୟରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଧିକ ଲୋକ ଧ୍ୱଂସାବଶେଷ ତଳେ ପୋତି ହୋଇଥିବା ନେଇ ଅଧିକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

୧୫ଟି ଘର ଧ୍ୱଂସ, ବ୍ୟାପକ କ୍ଷୟକ୍ଷତି

ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ, ପାହାଡ଼ ଧସିଯିବା ପରେ ଡିଫେନ୍ସ କଲୋନୀର ପ୍ରାୟ ୧୫ଟି ଘର ସମ୍ପୂର୍ଣ୍ଣ କିମ୍ବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଘର ଓ ଧନସମ୍ପତ୍ତିର ବ୍ୟାପକ କ୍ଷତି ହୋଇଛି। ଉଦ୍ଧାର କାର୍ଯ୍ୟରେ ଆସାମ ରାଇଫଲ୍ସ, ଜାତୀୟ ବିପର୍ଯ୍ୟୟ ମୋକାବିଲା ବଳ (NDRF), ରାଜ୍ୟ ବିପର୍ଯ୍ୟୟ ମୋକାବିଲା ବଳ (SDRF), ନାଗାଲାଣ୍ଡ ପୋଲିସ, ଭାରତୀୟ ସେନା, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ସାମିଲ ହୋଇଛନ୍ତି। ପ୍ରତିକୂଳ ପାଣିପାଗ ଓ ବିପଜ୍ଜନକ ପରିସ୍ଥିତି ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଚାଲିଛି।

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହାସହ ପ୍ରତ୍ୟେକ ଆହତଙ୍କୁ ୭୪ ହଜାର ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ପ୍ରଭାବିତ ପରିବାରମାନଙ୍କୁ ଖାଦ୍ୟ, ଅସ୍ଥାୟୀ ଆଶ୍ରୟ, ଆବଶ୍ୟକ ସାମଗ୍ରୀ ଏବଂ ନିୟମ ଅନୁଯାୟୀ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କ ଶୋକ ପ୍ରକାଶ

ଏକ ସରକାରୀ ବିବୃତ୍ତିରେ ନାଗାଲାଣ୍ଡ ସରକାର ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି। ଜୀବନହାନି ସହ ଘରବାଡ଼ି ଓ ଭିତ୍ତିଭୂମିର ବ୍ୟାପକ କ୍ଷତି ହୋଇଥିବାରୁ ସରକାର ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତ ଆତ୍ମାଙ୍କ ସଦ୍ଗତି କାମନା କରାଯାଇଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରାଯାଇଛି।

ସରକାର କହିଛନ୍ତି ଯେ, ଲଗାତାର ଅତ୍ୟଧିକ ବର୍ଷାର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପଡ଼ୁଥିବାରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଉଛି।

ଅନ୍ୟ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରକୋପ

ମୋନ୍ ଜିଲ୍ଲା ବ୍ୟତୀତ ମୋକୋକଚୁଙ୍ଗ ଜିଲ୍ଲାର ତୁଲି ଉପଖଣ୍ଡ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ, ଆକସ୍ମିକ ବନ୍ୟା, ରାସ୍ତା ଅବରୋଧ ଏବଂ ସରକାରୀ ଓ ବେସରକାରୀ ସମ୍ପତ୍ତିର କ୍ଷତି ହୋଇଛି। NSDMA, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, ଏସଡିଆରଏପ୍, ନାଗାଲାଣ୍ଡ ପୋଲିସ ଏବଂ ଅନ୍ୟାନ୍ୟ ବିଭାଗ ୨୪ ଘଣ୍ଟା କାମ କରି ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ଜରୁରୀ ସେବା ପୁନଃସ୍ଥାପନ ଏବଂ ରିଲିଫ୍ ସାମଗ୍ରୀ ବଣ୍ଟନ କରୁଛନ୍ତି।

ସମସ୍ତ ବିଭାଗକୁ ହାଇ ଆଲର୍ଟରେ ରହିବା, ପରସ୍ପର ସମନ୍ୱୟ ବଜାୟ ରଖିବା ଏବଂ ରାସ୍ତା ସଂଯୋଗ ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ଜନଶକ୍ତି ଓ ଯନ୍ତ୍ରପାତି ମୁତୟନ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

Source link



Source link

Leave A Reply

Your email address will not be published.