ନୂଆଦିଲ୍ଲୀ: ଭାରତକୁ ମିତ୍ର ବୋଲି କହୁଥିଲେ ବି ଭାରତ ଉପରେ ଚାପ ପକାଇବାକୁ କୌଣସି ସୁଯୋଗ ହାତ ଛଡ଼ା କରୁ ନାହିଁ ଆମେରିକା। ଭାରତକୁ ଆର୍ଥିକ ଦୁର୍ବଳ କରିବା ପାଇଁ ମଧ୍ୟ ସେ ଚେଷ୍ଟା ଚଲାଉଛି। ତେଣୁ ଆମେରିକା ସହ ଭାରତର ବାଣିଜ୍ୟିକ ସମ୍ପର୍କ ଏବେ ବି ଅନିଶ୍ଚିତତା ମଧ୍ୟରେ ରହିଛି। ସବୁଠାରୁ ବଡ଼ କଥା ହେଲା ଭାରତ ଉପରେ ଚାପ ପକାଇବା ପାଇଁ ଆମେରିକା ଗ୍ରାହାମ ବିଲ୍ ନେଇ ଆସିଛି। ଏହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଇନ କରି ଆଇନରେ ପରିଣତ କରିଛନ୍ତି।
ଏଥିରେ ଋଷରୁ ଇନ୍ଧନ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାର ବ୍ୟବସ୍ଥା ରହିଛି। ତେଣୁ ଭାରତ ଉପରେ ମଧ୍ୟ ଅତିରିକ୍ତ ଶୁଳ୍କ ଲାଗୁ ହେବ। ଏହା ଭାରତର ବାଣିଜ୍ୟ ଓ ତେଲ ଆମଦାନି ଉପରେ ପ୍ରଭାବ ପକାଇପାରେ। ଏହା ବାଦ୍ ବାହ୍ୟ ଚାପ ବଢ଼ିଛି। ତେଣୁ ଆମେରିକା ସହ ଡିଲ୍ ଅନିଶ୍ଚିତତା ମଧ୍ୟରେ ରହିଛି ବୋଲି ଅର୍ଥ ମନ୍ତ୍ରାଳୟର ସଦ୍ୟ ପ୍ରକାଶିତ ମାସିକ ଆର୍ଥିକ ସମୀକ୍ଷାରେ ଏହି ଚିନ୍ତା ପ୍ରକାଶ ପାଇଛି।
ଅନ୍ୟପଟେ, ସେପ୍ଟେମ୍ବରରେ ଅଶୋଧିତ ତେଲ ଦରରେ ତୀବ୍ର ବୃଦ୍ଧି ହୋଇଛି। ବିଶ୍ୱସ୍ତରରେ ବଣ୍ଡ୍ ୟିଲ୍ଡ୍ ମଧ୍ୟ ବଢ଼ିଛି। ଭାରତୀୟ ବଣ୍ଡ୍ ୟିଲ୍ଡ୍ ତୁଳନାମୂଳକ ଭାବେ କମ୍ ବଢ଼ିଥିଲେ ମଧ୍ୟ ରିସ୍କ ପ୍ରିମିୟମ୍ କମିବାରୁ ଟଙ୍କା ମୂଲ୍ୟ ଉପରେ ଚାପ ସୃଷ୍ଟି ହେଉଥିବା ଅର୍ଥ ମନ୍ତ୍ରାଳୟ କହିଛି।
ତେଲ ଦର ବୃଦ୍ଧି ଭାରତ ପାଇଁ ଆଉ ଏକ ବଡ଼ ଚିନ୍ତାର କାରଣ। କାରଣ ଏହା ଦେଶର ଆମଦାନି ବିଲ୍, ମୁଦ୍ରାସ୍ଫୀତି ଏବଂ ଟଙ୍କାର ବିନିମୟ ମୂଲ୍ୟକୁ ପ୍ରଭାବିତ କରିପାରେ। ଅଗଷ୍ଟରେ ବାଣିଜ୍ୟିକ ସାମଗ୍ରୀ ଆମଦାନି ବଢ଼ିବାରେ ପେଟ୍ରୋଲିୟମ୍ କ୍ରୁଡ୍ ଓ ପେଟ୍ରୋଲିୟମ୍ ଉତ୍ପାଦର ବଡ଼ ଭୂମିକା ଥିଲା।
ଅଗଷ୍ଟରେ ଫ୍ୟୁଏଲ୍ ଓ ପାୱାର୍ ମୁଦ୍ରାସ୍ଫୀତି ପ୍ରାୟ ୨୩ ପ୍ରତିଶତକୁ ବଢ଼ିଥିବା ବେଳେ କ୍ରୁଡ୍ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ରେ ମୁଦ୍ରାସ୍ଫୀତି ପ୍ରାୟ ୩୪ ପ୍ରତିଶତ ରହିଥିଲା।
ବିଶ୍ୱସ୍ତରରେ ନିବେଶ ପାଇଁ ଦେଶଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଏବଂ ଗ୍ଲୋବାଲ୍ ସପ୍ଲାଇ ଚେନ୍ର ବିଭାଜନ ଭାରତ ପାଇଁ ବିଦେଶୀ ପୁଞ୍ଜି ଆକର୍ଷଣରେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ତେବେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଏକ ବଡ଼ ସୁରକ୍ଷା କବଚ ଭାବେ କାମ କରୁଛି। ସେପ୍ଟେମ୍ବର ୧୮, ୨୦୨୬ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭୬୫.୯ ବିଲିୟନ୍ ଡଲାର ରହିଥିଲା।
Also Read- CAFE-3 ନିୟମ ଘୋଷଣା କଲେ କେନ୍ଦ୍ର ସରକାର; ଶସ୍ତା ହୋଇପାରେ ଇଭି; ପେଟ୍ରୋଲ-ଡିଜେଲ୍ ଗାଡ଼ିରେ ବଢ଼ିବ ମାଇଲେଜ୍
ମାସିକ ଆର୍ଥିକ ସମୀକ୍ଷାରେ ବିଶ୍ୱ ଅର୍ଥନୀତିରେ ଚାଲିଥିବା AI ନିବେଶ ବୃଦ୍ଧିକୁ ମଧ୍ୟ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ, ଏଆଇ କ୍ଷେତ୍ରରେ ନିବେଶ ଏବେ ବି ଦ୍ରୁତ ଗତିରେ ଚାଲିଛି ଏବଂ ଏହା ବିଭିନ୍ନ ଦେଶ ମଧ୍ୟରେ ପୁଞ୍ଜି ପ୍ରବାହକୁ ପ୍ରଭାବିତ କରୁଛି। ବିକଶିତ ଦେଶଗୁଡ଼ିକ ମଧ୍ୟ ନିଜ ମାନୁଫାକ୍ଚରିଂ କ୍ଷମତା ବଢ଼ାଇବା ପାଇଁ ନିବେଶ ଆକର୍ଷଣରେ ପ୍ରତିଯୋଗିତା କରୁଛନ୍ତି।
ଏଭଳି ପରିସ୍ଥିତିରେ ଭାରତ ସମେତ ବିକାଶଶୀଳ ଦେଶଗୁଡ଼ିକ ପାଇଁ ବିଦେଶୀ ପୁଞ୍ଜି ଆକର୍ଷଣ ଆହୁରି ଚ୍ୟାଲେଞ୍ଜିଂ ହୋଇପାରେ। ତଥାପି ଚଳିତ ଆର୍ଥିକ ବର୍ଷରେ ଭାରତର ନେଟ୍ ବିଦେଶୀ ପ୍ରତ୍ୟକ୍ଷ ନିବେଶ ବା ଏପ୍ଡିଆଇ ପୂର୍ବବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିବ ବୋଲି ଅର୍ଥ ମନ୍ତ୍ରାଳୟ ଆଶା ପ୍ରକାଶ କରିଛି।
ଏହି ସମସ୍ତ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତର ବାଣିଜ୍ୟ ପ୍ରଦର୍ଶନ ମଜବୁତ ରହିଛି। ଅଗଷ୍ଟରେ ଦେଶର ମୋଟ ରପ୍ତାନି ବାର୍ଷିକ ଭିତ୍ତିରେ ୨୫.୪ ପ୍ରତିଶତ ବଢ଼ି ୮୨.୭ ବିଲିୟନ୍ ଡଲାରରେ ପହଞ୍ଚିଛି। ସେହି ସମୟରେ ଆମଦାନି ୧୮.୮ ପ୍ରତିଶତ ବଢ଼ି ୯୨.୧ ବିଲିୟନ୍ ଡଲାର ହୋଇଛି। ଫଳରେ ବାଣିଜ୍ୟ ନିଅଣ୍ଟ ୧୧.୬ ବିଲିୟନ୍ ଡଲାରରୁ କମି ୯.୪ ବିଲିୟନ୍ ଡଲାର ହୋଇଛି।
ଅଗଷ୍ଟରେ ସାମଗ୍ରୀ ରପ୍ତାନି ୨୬.୧ ପ୍ରତିଶତ ବଢ଼ି ୪୩.୮ ବିଲିୟନ୍ ଡଲାର ଏବଂ ସେବା ରପ୍ତାନି ୨୪.୬ ପ୍ରତିଶତ ବଢ଼ି ୩୮.୯ ବିଲିୟନ୍ ଡଲାର ହୋଇଛି। ସେବା କ୍ଷେତ୍ରରେ ଭାରତର ୧୭.୫ ବିଲିୟନ୍ ଡଲାରର ସର୍ପ୍ଲସ୍, ସାମଗ୍ରୀ ବାଣିଜ୍ୟର ନିଅଣ୍ଟର ପ୍ରାୟ ୬୫ ପ୍ରତିଶତକୁ ସମତୁଲ କରିଛି।
ଅର୍ଥ ମନ୍ତ୍ରାଳୟର ସମୀକ୍ଷା ଅନୁସାରେ, ଭାରତ ପ୍ରତି ନିବେଶକଙ୍କ ଆଗ୍ରହ କମି ନାହିଁ, କିନ୍ତୁ ସେମାନେ ଏବେ ଅଧିକ ସତର୍କ ରହିଛନ୍ତି। ଆମେରିକା ସହ ବାଣିଜ୍ୟ ସମ୍ପର୍କର ଅନିଶ୍ଚିତତା, ଟାରିଫ୍ ଚାପ, ଅଶୋଧିତ ତେଲ ଦର ଏବଂ ବିଶ୍ୱ AI ନିବେଶ ଧାରାରେ ଭାରତର ଭୂମିକା ନେଇ ଅନିଶ୍ଚିତତା ନିବେଶକଙ୍କ ମନୋଭାବକୁ ପ୍ରଭାବିତ କରୁଛି।
ରିପୋର୍ଟ ଅନୁସାରେ, ସମୟ ସହ ଏହି ଅନିଶ୍ଚିତତାଗୁଡ଼ିକ କିଛି ମାତ୍ରାରେ କମିଲେ ଭାରତର ମୌଳିକ ଅଭିବୃଦ୍ଧି କ୍ଷମତା ପୁଣି ନିବେଶକଙ୍କ ଧ୍ୟାନ ଆକର୍ଷଣ କରିପାରେ। ତେବେ ନିକଟ ଭବିଷ୍ୟତରେ ଭୂ-ରାଜନୈତିକ ଓ ଭୂ-ଆର୍ଥିକ ଅନିଶ୍ଚିତତା ଯୋଗୁଁ ଭାରତ ନିଜର କୋଭିଡ୍ ପରବର୍ତ୍ତୀ ଆର୍ଥିକ ଅଭିବୃଦ୍ଧିକୁ ସ୍ୱତଃସିଦ୍ଧ ଭାବେ ନେଇପାରିବ ନାହିଁ ବୋଲି ସମୀକ୍ଷାରେ କୁହାଯାଇଛି।
