ଚେନ୍ନାଇ: ଏସବିଆଇ ବ୍ୟାଙ୍କର ମ୍ୟାନେଜରଙ୍କୁ କ୍ୟାମେରା ସାମ୍ନାରେ ଚାପୁଡ଼ା ମାରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଝିଅ । ଏତିକିରେ ବି ତାଙ୍କ ରାଗ ଶାନ୍ତ ହେଲାନି, ଚୌକିରୁ ଉଠି ଯାଇ ତାଙ୍କୁ ପିଟିବାକୁ ଉଦ୍ୟମ କରୁଥିଲେ । ଏତିକି ବେଳେ ପାଖ ସିଟ୍ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ରୋକିଥିଲେ । ମ୍ୟାନେଜର ଏବଂ ତାଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ସେ ହଠାତ ହାତ ଉଠାଇଥିଲେ । ମ୍ୟାନେଜରଙ୍କ ଗାଲକୁ ଚାପୁଡ଼ା ମାରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଝିଅ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.କେ. ଅଲଗିରିଙ୍କ ଝିଅ କାୟାଲଭିଜି ବ୍ୟାଙ୍କ ମ୍ୟାନେଜରଙ୍କୁ ଚାପୁଡ଼ା ମାରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ତାମିଲନାଡୁର ଚେନ୍ନାଇସ୍ଥିତ ଆଡ଼ୟାର (Adyar) ଶାଖାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସ୍ ଭତରେ ଏହି ଘଟଣା ଘଟିଛି।
ବ୍ୟାଙ୍କ ଚାଲୁଥିବା ବ୍ୟାବସାୟିକ କୋଠାଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.କେ. ଅଲଗିରିଙ୍କ ଝିଅ କାୟାଲଭିଜିଙ୍କର । ବିଲ୍ଡିଂରେ ଥିବା ଲିଫ୍ଟ ଖରାପ ଥିବାରୁ ଏହାକୁ ମରାମତି କରିବା ପାଇଁ ବ୍ୟାଙ୍କ ମ୍ୟାନେଜର କାୟାଲଭିଜିଙ୍କୁ ଅନୁରୋଧ କରିଥିଲେ। ଏହି ବିଷୟକୁ ନେଇ କାୟାଲଭିଜି ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ସିସିଟିଭି (CCTV) ରେ କଏଦ ହେଲା ଦୃଶ୍ୟ
ବ୍ୟାଙ୍କ ଅଫିସରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ କଏଦ ହୋଇଛି । ଭିଡିଓରେ ଦେଖାଯାଉଛି ଯେ, କାୟାଲଭିଜି ଜଣେ ବ୍ୟକ୍ତିଙ୍କ ସହ ବ୍ୟାଙ୍କ ମ୍ୟାନେଜରଙ୍କ ସମ୍ମୁଖରେ ବସି କଥାବାର୍ତ୍ତା ହେଉଛନ୍ତି। କଥାବାର୍ତ୍ତା ଚାଲିଥିବା ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। କାୟାଲଭିଜି ହଠାତ୍ ନିଜ ସ୍ଥାନରୁ ଉଠିପଡ଼ି ବ୍ୟାଙ୍କ ମ୍ୟାନେଜରଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ।
ଏହି ଘଟଣା ପରେ ବ୍ୟାଙ୍କର ଚିଫ୍ ମ୍ୟାନେଜର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ ସିସିଟିଭି ଫୁଟେଜକୁ ମୁଖ୍ୟ ପ୍ରମାଣ ଭାବେ ଗ୍ରହଣ କରି କାୟାଲଭିଜିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ୪ଟି ଭିନ୍ନ ଭିନ୍ନ ଧାରାରେ ମାମଲା ରୁଜୁ କରିଛି। ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କାର୍ଯ୍ୟସ୍ଥଳରେ ଏପରି ଆକ୍ରମଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବଂ ସୋସିଆଲ ମିଡିଆରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
