ରାଇରଙ୍ଗପୁର: ବିଷାକ୍ତ ଖାଦ୍ୟ ଖାଇ ଆକ୍ରାନ୍ତ ହେଲେ ଛାତ୍ରୀ ନିବାସର ୯୦ରୁ ଅଧିକ ଛାତ୍ରୀ। ଆଉ ଏତେ ସଂଖ୍ୟକ ଛାତ୍ରୀଙ୍କ ଚିକିତ୍ସା ପାଇଁ ପହଞ୍ଚିଛି ମେଡିକାଲ ଟିମ୍। ସ୍ଥିତି ଏଭଳି ହୋଇଛି ଯେ, ଏବେ ଛାତ୍ରୀ ନିବାସ ପାଲଟିଛି ହସ୍ପିଟାଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଜାତଳା ଗୋଷ୍ଠୀ ଶିକ୍ଷା ଅଧୀନ ସରଗୋଡ଼ା କେଜିବିଭି ବିଦ୍ୟାଳୟର ଛାତ୍ରୀ ନିବାସରେ।
ଅଭିଯୋଗ ଅନୁସାରେ ବୁଧବାର ମୟୂରଭଞ୍ଜ ଜିଲ୍ଲା ବିଜାତଳା ଗୋଷ୍ଠୀଶିକ୍ଷା ଅଧୀନରେ ଥିବା ସରଗୋଡ଼ା କେଜିବିଭି ଛାତ୍ରୀ ନିବାସରେ ବର୍ଷେ ପୂର୍ବରୁ ବୈଧତା ସରିଥିବା ପନିରର ତରକାରୀ, ନିମ୍ନମାନର ଛତୁଆ ତଥା ବାସି ପଖାଳ ଛାତ୍ରୀ ମାନଙ୍କୁ ଖାଇବାକୁ ଦେଇଥିବାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨୦ ଜଣ ଛାତ୍ରୀ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ତେବେ ଗୁରୁବାର ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପରେ ଡାକ୍ତର ତାଙ୍କୁ ଡିସ୍ଚାର୍ଜ କରିଥିଲେ। କିନ୍ତୁ ଏହା ପରେ ଆଉ ତିନି ଛାତ୍ରୀଙ୍କୁ ରାଇରଙ୍ଗପୁର ଡାକ୍ତର ଖାନରେ ଆଡ଼ମିସନ କରି ଚିକିତ୍ସା କରାଯାଉଛି।
ଏପଟେ ଘଟଣା ପରେ ଡାକ୍ତରଖାନାରେ ବାମନଘାଟି ଉପଜିଲ୍ଲାପାଳ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କୁ ଖବର ଦେବା ପରେ ଉକ୍ତ ବିଦ୍ୟାଳୟରେ ଏକ ସତନ୍ତ୍ର ଡାକ୍ତରୀ ଟିମ ରହି ହଷ୍ଟେଲ ପରିସରରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କରି ଆହୁରି ଆକ୍ରାନ୍ତ ହୋଇଥିବା ଛାତ୍ରୀମାନଙ୍କୁ ଚିକିତ୍ସା କରୁଛନ୍ତି। ତେବେ ଏଭଳି ଖରାପ ଖାଦ୍ୟ ଦେଇ ଛାତ୍ରୀ ମାନଙ୍କ ଦେହ ଅସୁସ୍ଥ ହୋଇଥିବା ଅଭିଯୋଗରେ ବିଧାୟକଙ୍କ ପ୍ରତିନିଧି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କିନ୍ତୁ ଆକ୍ରାନ୍ତ ସଂଖ୍ୟା କମ ରହିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ।
Also Read: ନେଉଥିଲେ ୫ ହଜାର ୫ ଶହ ଲାଞ୍ଚ, ସହକାରୀ ରାଜସ୍ୱ ନିରୀକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ
ତେବେ ଚିକିତ୍ସା କରୁଥିବା ଡାକ୍ତର ମୋଟ ୯୨ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି ବୋଲି କହିଥିବା ବେଳେ ଆକ୍ରାନ୍ତ ସଂଖ୍ୟା କମାଇ ଜିଲ୍ଲା ଶିକ୍ଷା ଅଧିକାରୀ କାହିଁକି ପ୍ରତିକ୍ରିୟା ରଖିଛନ୍ତି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଏକା ସାଙ୍ଗରେ ୯୨ ଜଣ ଛାତ୍ରୀଙ୍କୁ ଝାଡ଼ାବାନ୍ତି ହୋଇଥିବାରୁ ଅଭିଭାବକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଯେଉଁଥିପାଇଁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଘରକୁ ନେଇଯିବାକୁ ବିଦ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।
ତେବେ ଗତକାଲି ସନ୍ଧ୍ୟା ସମୟରେ ଜିଲ୍ଲା ଶିକ୍ଷାଧିକାରୀ, ଗୋଷ୍ଠୀ ଶିକ୍ଷାଧିକାରୀ, ବିଡ଼ିଓଙ୍କ ସମେତ ବିଜେପିର ଏକ ସତନ୍ତ୍ର ଟିମ ବିଦ୍ୟାଳୟରେ ଯାଇ ସମୀକ୍ଷା କରିଛନ୍ତି । ତେବେ ଏଭଳି ଦାୟିତ୍ୱ ହୀନ କାର୍ଯ୍ୟ କରିଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ଉପରେ ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
Source link
