ପେପର ଲିକ୍ ମହାପାପ, ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ନିଟ୍ ମାମଲାରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ
ନୂଆଦିଲ୍ଲୀ: ସଂସଦୀୟ ଦଳ ବୈଠକରେ ‘ନୀଟ୍ (NEET)’ ପରୀକ୍ଷା ପେପର ଲିକ୍ ମାମଲାକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପେପର ଲିକ୍ ଘଟଣାକୁ ‘ମହାପାପ’ ବୋଲି ସେ କହିଛନ୍ତି। ସେ ସରକାର ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଦୋଷୀଙ୍କୁ ଗିରଫ କରାଯାଇଛି। ପେପର ଲିକ୍ ପରେ ପୁନର୍ବାର ପରୀକ୍ଷା ମଧ୍ୟ କରାଯାଇଛି। ଆଗାମୀ ଦିନରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ, ସେଥିପାଇଁ ସବୁ ରାଜ୍ୟ ସରକାରମାନଙ୍କୁ ମିଳିମିଶି କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି। ଏପର୍ଯ୍ୟନ୍ତ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଛି। ଭବିଷ୍ୟତରେ ଯେପରି କେହି ଏଭଳି ଦୁଃସାହସ ନକରନ୍ତି, ସେଥିପାଇଁ ଦୋଷୀମାନଙ୍କ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ନିଟ୍ ପେପର ଲିକ୍କୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଥିଲା। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏହି ପରୀକ୍ଷା ସହ ଜଡ଼ିତ ଥିବାରୁ ଏହା ଏକ ବଡ଼ ଜାତୀୟ ପ୍ରସଙ୍ଗ ପାଲଟିଥିଲା।
ପ୍ରଧାନମନ୍ତ୍ରୀ ସଂସଦୀୟ ବୈଠକରେ ଦୋହରାଇଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ କୌଣସି ବି ବିଷୟକୁ ହାଲୁକା ଭାବେ ନିଆଯାଇପାରିବ ନାହିଁ। ପରୀକ୍ଷା ପ୍ରଣାଳୀକୁ ଆହୁରି ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ସେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଛନ୍ତି। ପରୀକ୍ଷାରେ କୌଣସି ବି ପ୍ରକାରର ଦୁର୍ନୀତିକୁ ସରକାର ଆଦୌ ବରଦାସ୍ତ କରିବେ ନାହିଁ।
ଅନ୍ୟପଟେ, ପରୀକ୍ଷା ଦୁର୍ନୀତି ବିରୋଧରେ ମଙ୍ଗଳବାର ବି ଜନ୍ତର-ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଗତକାଲି ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ବିକ୍ଷୋଭକାରୀମାନେ ସଂସଦ ଆଡ଼କୁ ମାର୍ଚ୍ଚ କରୁଥିବା ବେଳେ ଦିଲ୍ଲୀ ପୋଲିସ ସେମାନଙ୍କୁ ଛତ୍ରଭଙ୍ଗ ଦେଇଥିଲା। ତଥାପି ବିଳମ୍ବିତ ସନ୍ଧ୍ୟାରେ ବିକ୍ଷୋଭକାରୀମାନେ ପୁଣିଥରେ ଜନ୍ତର-ମନ୍ତରରେ ଏକାଠି ହୋଇ ନିଜର ପ୍ରତିବାଦ ଜାରି ରଖିଛନ୍ତି।
