Voice of Eastern India

ବିଶିଷ୍ଟ ବଙ୍ଗୀୟ ଫିଲ୍ମ ନିର୍ମାତା ରାଜା ସେନଙ୍କ ପରଲୋକ; ଧାରାବାହିକ, ସିନେମା ଓ ଡକ୍ୟୁମେଣ୍ଟାରୀ, ସବୁଥିରେ ଥିଲେ ମାଷ୍ଟର


କୋଲକାତା: ପଶ୍ଚିମବଙ୍ଗ ସିନେମା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ରାଜା ସେନଙ୍କ ପରଲୋକ ହୋଇଛି। କୋଲକାତାର ଏକ ସରକାରୀ ହସ୍ପିଟାଲରେ ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ତାଙ୍କ ନିର୍ଦ୍ଦେଶିତ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଦାମୁ’ ପାଇଁ ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ୧୯୯୬ ମସିହାରେ ଏହି ସିନେମାଟି ମୁକ୍ତିଲାଭ କରିଥିଲା।

ମିଳିଥିବା ସୂଚନା ଅନୁସାରେ, ରାଜା ସେନ ଗତ କିଛି ଦିନ ଧରି କୋଲକାତାର SSKM ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏକାଧିକ ଶାରୀରିକ ଜଟିଳତା ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତରଙ୍କ ସୂଚନା ଅନୁସାରେ, ଗତ କିଛି ଦିନ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହୋଇଥିଲା। ତାଙ୍କ ଫୁସଫୁସ, ହୃତପିଣ୍ଡ ଓ କିଡନୀରେ ଜଟିଳତା ଦେଖାଦେଇଥିଲା।

ଚିକିତ୍ସା ସତ୍ତ୍ୱେ ବିଗିଡ଼ିଥିଲା ସ୍ୱାସ୍ଥ୍ୟ

ସୂଚନା ଅନୁସାରେ, ତାଙ୍କ ଅଣ୍ଟାରେ ଆଘାତ ଲାଗିବା ପରେ ରାଜା ସେନଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କ ସ୍ଥିତି ଖରାପ ହେବା ସହ ଫୁସଫୁସ ଓ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା। ପରେ ତାଙ୍କୁ SSKM ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଡନୀ ସମ୍ବନ୍ଧୀୟ ଜଟିଳତା ମଧ୍ୟ ଦେଖାଦେଇଥିଲା। ରାଜା ସେନଙ୍କ ଶରୀରରେ ଏକାଧିକ ଜଟିଳତା ଦେଖାଦେଇଥିଲା ଏବଂ ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ଥିତି ଗୁରୁତର ରହିଥିଲା ଡାକ୍ତର ସୂଚନା ଦେଇଥିଲେ। ରବିବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

‘ଦାମୁ’ରୁ ଆରମ୍ଭ ହୋଇଥିଲା ଫିଚର ଫିଲ୍ମ ଯାତ୍ରା

ରାଜା ସେନ୍ ୧୯୮୦ ଦଶକରେ ଟେଲିଭିଜନ ମାଧ୍ୟମରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ‘ସୁବର୍ଣ୍ଣ ଲତା’, ‘ଆଦର୍ଶ ହିନ୍ଦୁ ହୋଟେଲ’ ଓ ‘ଆରୋଗ୍ୟ ନିକେତନ’ ଭଳି ଲୋକପ୍ରିୟ ବେଙ୍ଗଲୀ ଧାରାବାହିକର ନିର୍ଦ୍ଦେଶନା ଦେଇ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଏହା ପରେ ସେ ଫିଚର ଫିଲ୍ମ ଆଡକୁ ମୁହାଁଇଥିଲେ। ୧୯୯୬ ମସିହାରେ ରାଜା ସେନ ‘ଦାମୁ’ ଚଳଚ୍ଚିତ୍ର ମାଧ୍ୟମରେ ଫିଚର ଫିଲ୍ମ ନିର୍ଦ୍ଦେଶନରେ ପାଦ ରଖିଥିଲେ। ଏହି ଫିଲ୍ମ ଟି ପରେ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲା।

Also Read- Vinod Kambli : ଆସୁଛି କାମ୍ବଲିଙ୍କ ସଂଘର୍ଷର କାହାଣୀ; ୨୦୧୯ରୁ ଚାଲିଛି ସ୍କ୍ରିଫ୍ଟର ଲେଖା, ଜାଣନ୍ତୁ କେବେ ଆରମ୍ଭ ହେବ ସୁଟି

ଦୀର୍ଘ କ୍ୟାରିୟରରେ ରାଜା ସେନ ଫିଚର ଫିଲ୍ମ ସହିତ ଟେଲିଭିଜନ ଧାରାବାହିକ ଓ ଡକ୍ୟୁମେଣ୍ଟାରୀ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ସେହିପରି ପରିବାର କଲ୍ୟାଣ ଉପରେ ଆଧାରିତ ତାଙ୍କ ଫିଲ୍ମ ‘ଆତ୍ମିୟ ସ୍ୱଜନ’କୁ ସର୍ବଶ୍ରେଷ୍ଠ ଚଳଚିତ୍ରର ଜାତୀୟ ପୁରସ୍କାର ମିଳିଥିଲା। ନିଜ କ୍ୟାରିୟରରେ ମୋଟ ୩ଟି ଜାତୀୟ ପୁରସ୍କାର ପାଇଥିବା ରାଜା ସେନ ‘ଆତ୍ମୀୟ ସ୍ୱଜନ’, ‘ଦେଶ’, ‘ଦେବୀପକ୍ଷ’, ‘କୃଷ୍ଣକାନ୍ତଙ୍କ ୱିଲ୍’, ‘ଲାବରେଟୋରୀ’ ଏବଂ ‘ମାୟା ମୃଦଙ୍ଗ’ ଆଦି ଅନେକ ଚଳଚିତ୍ର ନିର୍ମାଣ କରିଛନ୍ତି। ୨୦୦୨ରେ ମୁକ୍ତିଲାଭ କରିଥିବା ତାଙ୍କ ନିର୍ଦ୍ଦେଶିତ ‘ଦେଶ’ ଚଳଚ୍ଚିତ୍ରରେ ଜୟା ବଚ୍ଚନ ଓ ଅଭିଷେକ ବଚ୍ଚନ ଅଭିନୟ କରିଥିଲେ।

ଡକ୍ୟୁମେଣ୍ଟାରୀରେ ଛାପ ଛାଡିଥିଲେ ରାଜା ସେନ

ରାଜା ସେନ କେବଳ ଫିଚର ଫିଲ୍ମରେ ସୀମିତ ରହିନଥିଲେ। ବିଭିନ୍ନ ବିଶିଷ୍ଟ ବ୍ୟକ୍ତିତ୍ୱ ଓ ସାଂସ୍କୃତିକ କ୍ଷେତ୍ରର ପ୍ରତିଭାଙ୍କ ଉପରେ ସେ ଡକ୍ୟୁମେଣ୍ଟାରୀ ମଧ୍ୟ ନିର୍ମାଣ କରିଥିଲେ। ପ୍ରସିଦ୍ଧ ରବୀନ୍ଦ୍ର ସଙ୍ଗୀତ ଶିଳ୍ପୀ ସୁଚିତ୍ରା ମିତ୍ରଙ୍କ ଉପରେ ମଧ୍ୟ ସେ ଡକ୍ୟୁମେଣ୍ଟାରୀ ନିର୍ମାଣ କରିଥିଲେ। ରାଜା ସେନଙ୍କ ଦେହାନ୍ତରେ ବଙ୍ଗୀୟ ଫିଲ୍ମ ଓ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦଶନ୍ଧି ଧରି ସିନେମା, ଟେଲିଭିଜନ ଓ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।

Source link



Source link

Leave A Reply

Your email address will not be published.