Voice of Eastern India

ଲାଗୁ ହେଲା ଭାରତ-ଅଷ୍ଟ୍ରେଲିଆ ସିଭିଲ ନ୍ୟୁକ୍ଲିୟର ବୁଝାମଣା, ୟୁରାନିୟମ ଯୋଗାଣ ଲାଗି ଖୋଲିଲା ରାସ୍ତା


ନୂଆଦିଲ୍ଲୀ: ସିଭିଲ ନ୍ୟୁକ୍ଲିୟର ଏଗ୍ରିମେଣ୍ଟ କାର୍ଯ୍ୟକାରୀ କରିବାକୁ ଭାରତ ଓ ଅଷ୍ଟ୍ରେଲିଆ ଗୁରୁବାର ପ୍ରଶାସନିକ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ରାଜିନାମାରେ ଦୁଇ ଦେଶ ୨୦୧୪ ମସିହାରେ ସ୍ୱାକ୍ଷର କରିଥିଲେ। ଏହି ପ୍ରଶାସନିକ ବ୍ୟବସ୍ଥାକୁ ଚୂଡ଼ାନ୍ତରୂପ ଦିଆଯିବା ପରେ ଅଷ୍ଟ୍ରେଲିଆରୁ ୟୁରାନିୟମ ଯୋଗାଣର ରାସ୍ତା ଖୋଲି ଯାଇଛି। ଏହି ଐତିହାସିକ ବୁଝାମଣା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଅଷ୍ଟ୍ରେଲିଆ ସମକକ୍ଷ ଏନ୍ଥନୀ ଆଲବାନିଜଙ୍କ ମଧ୍ୟରେ ମେଲବର୍ଣ୍ଣରେ ଅନୁଷ୍ଠିତ ବ୍ୟାପକ ଶିଖର ବାର୍ତ୍ତାରେ ହୋଇଛି। ଏହା ସହିତ ଦୁଇ ଦେଶଙ୍କ ମଧ୍ୟରେ ୨୦୧୪ମସିହାରେ ହୋଇଥିବା ମୂଳ ପରମାଣୁ ସହଯୋଗ ବୁଝାମଣାକୁ କାର୍ଯ୍ୟାନ୍ୱୟନ କରିବାରେ ଆସୁଥିବା ବୈଷୟିକ ଓ ପ୍ରଶାସନିକ ବାଧା ଦୂର ହୋଇଛି।

ବିଶ୍ୱର ସବୁଠୁ ବଡ଼ ୟୁରାନିୟମ ଭଣ୍ଡାର ହୋଇଥିବା ସତ୍ତ୍ୱେ ଅଷ୍ଟ୍ରେଲିଆରୁ ଭାରତକୁ ହେବାକୁ ଥିବା ରପ୍ତାନୀରେ କଡ଼ା ସୁରକ୍ଷା କଟକଣା ଓ ରିପୋର୍ଟିଂ ନିୟମଗୁଡିକୁ ନେଇ ଦୀର୍ଘ ସମୟରୁ ପେଞ୍ଚ ଫଶିଥିଲା। ଭାରତ ସରକାରଙ୍କ ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି ଯେ ଏ ନେଇ ଗତ ୨ ବର୍ଷ ହେଲା ଗହନ ବିଚାରବିମର୍ଶ ପରେ ଉଭୟ ଦେଶ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସୀ (ଆଇଏଇଏ) ମାନକ ଅନରୂପ ଟ୍ରାକିଂ ପ୍ରକ୍ରିୟାକୁ ନେଇ ସହମତ ହୋଇଛନ୍ତି। ଏହି ନୂଆ ସରକାରୀ ଢାଞ୍ଚା ଅନୁସାରେ ଅଷ୍ଟ୍ରେଲିଆରୁ ଆସିବାକୁ ଥିବା ୟୁରାନିୟମ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ବେସାମରିକ ଉର୍ଜା ଉଦ୍ଦେଶ୍ୟ ଲାଗି କରାଯିବ। ଏହି ବ୍ୟବସ୍ଥା ପୁରା ହେବା ପରେ ଦୁଇ ଦେଶର ବ୍ୟବସାୟିକ କମ୍ପାନୀ ସିଧାସଳଖ ସପ୍ଲାଇ କଣ୍ଟ୍ରାକ୍ଟ ସ୍ୱାକ୍ଷର କରିପାରିବେ।

ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପରିବେଶ ଓ ଶକ୍ତି ଆବଶ୍ୟକତା ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆଜି ଆମେ ପରମାଣୁ ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାରେ ସ୍ୱାକ୍ଷର କରିଛୁ। ଏହା ଦ୍ୱାରା ଅଷ୍ଟ୍ରେଲିଆରୁ ଭାରତକୁ ୟୁରାନିୟମ ଯୋଗାଣର ରାସ୍ତା ଖୋଲିବ। ଆମର ସ୍ୱଚ୍ଛ ଉର୍ଜା ଉଦ୍ଦେଶ୍ୟକୁ ନୂଆ ଗତି ମିଳିବ।

Source link



Source link

Leave A Reply

Your email address will not be published.